ମାତିଲେଣି ବିରୋଧୀ, ବଢ଼ିଲାଣି ଅଡ଼ୁଆ; ନୂଆବର୍ଷରୁ ନୂଆଢଙ୍ଗରେ ଜବାବ

ବିରୋଧୀଙ୍କୁ ମାତ୍ ଦେବା ପାଇଁ ବିଜେଡିର ସଜବାଜ

ଆସନ୍ତା ସପ୍ତାହରୁ ଛାମୁଆ ସଙ୍ଗଠନର ବୈଠକ
୩୩ ସାଙ୍ଗଠନିକ ଜିଲ୍ଲାରେ ହେବ ନିଜସ୍ବ କାର୍ଯ୍ୟାଳୟ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରିବା ପରେ ବିଧାନସଭାରେ ବିଜେଡିର ସଂଖ୍ୟା ଏବେ ୧୧୨। ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନରେ ଯେ କୌଣସି ମୁହୂର୍ତରେ ଉପ ନିର୍ବାଚନ ହେବ। ନିକଟରେ କିନ୍ତୁ ବିଜେଡିକୁ ଦୁଇଟି ବଡ଼ ସଫଳତା ମିଳିଛି। ବିଜେଡି ବାଲେଶ୍ବର ସଦର ଆସନ ବିଜେପି ଠାରୁ ଛଡ଼ାଇ ଆଣିଛି। ଆଉ ତିର୍ତ୍ତୋଲ ବିଧାନସଭା ଆସନରେ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ବିଜେଡି ପ୍ରାର୍ଥୀ। ସାଧାରଣ ନିର୍ବାଚନ ପରବର୍ତୀ ସମୟରେ ହୋଇଥିବା ଚାରି ଚାରିଟି ନିର୍ବାଚନ (ପାଟକୁରା ଓ ବିଜେପୁର ଉପନିର୍ବାଚନ)ରେ ବିଜେଡି ବିରୋଧୀ ପକ୍ଷଙ୍କୁ ତାଙ୍କର ସୀମା ଦେଖାଇଛନ୍ତି।

କିନ୍ତୁ କାହିଁକି କେଜାଣି; ଯେଉଁ ମୁହୂର୍ତରେ ଦଳ ବିଜୟ ଦୁନ୍ଦୁଭି ପିଟି ବିରୋଧୀ ଦଳକୁ ନିରାଶା ଭିତରେ ଠେଲିଦେବା କଥା, ସେହି ସମୟରେ ଗୋଟିଏ ପରେ ଗୋଟିଏ ବିବାଦ ବିଜେଡି ଓ ସରକାରର ଖୁସି ଛଡାଇ ନେବାକୁ ବସିଛି। ସାଢେ ଚାରିମାସ ପରେ ପରୀ ହତ୍ୟା ଘଟଣାକୁ ନେଇ ରାଜ୍ୟ ପଡୁଛି ଉଠୁଛି। ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲା ଓ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠ ମାମଲାରେ ସରକାର ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପରିପ୍ରେକ୍ଷୀରେ ଯେଭଳି ପ୍ରଶଂସା ଗୋଟାଇବା କଥା ତାହା ପରିଦୃଷ୍ଟ ହେଉନାହିଁ। ପାଖାପାଖି ୧୪ହଜାର କୋଟି ଟଙ୍କା ଚାଷୀଙ୍କୁ ଋଣ ଦେଉଥିବା ସରକାରଙ୍କୁ ବିରୋଧୀ ସମବାୟ କେଳେଙ୍କାରୀ ଭିତରେ ଛନ୍ଦି ଦେଇଛନ୍ତି। ନୂଆଦିଲ୍ଲୀରେ ଚାଷୀ ଆନ୍ଦୋଳନ ବେଳେ ବିଧାନସଭା ସାମ୍ନାରେ ଏହି ପ୍ରସଙ୍ଗକୁ ନେଇ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ବିରୋଧୀଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଇଛି।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେପି ଓ କଂଗ୍ରେସକୁ ମୁହଁତୋଡ ଜବାବ ଦେବା ଲାଗି ବିଜେଡିର ଛାମୁଆ ନେତାମାନେ କୁନ୍ଥକୁନ୍ଥ। ଆହୁରି ବିସ୍ମୟକର କଥା ହେଲା, ୩୦ଟି କାର୍ଯ୍ୟଦିବସ ଥାଇ ବିଧାନସଭାକୁ ଆଗତୁରା ବନ୍ଦ କରାଗଲା। ଅଥଚ ରାଜ୍ୟ ସରକାରଙ୍କ କୋଭିଡ୍ ମୁକାବିଲା ସ୍ଥିତି ଉଲ୍ଲେଖନୀୟ ଥିଲେ ହେଁ ନା ଏହି ସଫଳତା ବିଷୟରେ କିଏ ମୁହଁ ଖୋଲିଲେ ନା ପୁରୀ, ଭୁବନେଶ୍ବର, କଟକ ଆଦି ଅଞ୍ଚଳରେ ଯେଉଁ ବିଶ୍ବସ୍ତରୀୟ ପ୍ରକଳ୍ପ ହାତକୁ ନିଆଯାଉଛି, ସେ ପ୍ରସଙ୍ଗ ରଖି ମୁଖ୍ୟମନ୍ତ୍ରୀଙ୍କ ବିକୋଶୋନ୍ମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ବିରୋଧୀଙ୍କୁ ଜବାବ ଦେଲେ। ସରକାରଙ୍କ ସଫଳତା ସଂପର୍କରେ କେହି ପଦୁଟିଏ କହିଲେନି।

କେବଳ ସେତିକି ନୁହେଁ, ଉତ୍ତର ଓ ଉପକୂଳ ଓଡ଼ିଶାରେ େହାଇଥିବା ଦୁଇ ଦୁଇଟି ଉପନିର୍ବାଚନରେ ଲୋକେ ବିଜେଡିକୁ ଜିତାଇଥିଲେ ହେଁ ଦଳର ଏହି ସଫଳତାକୁ ବିଧାନସଭାରେ ରେକର୍ଡ କରାଇବା ଲାଗି ମଧ୍ୟ କେହି ଆଗ୍ରହ ଦେଖାଇନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ଦ୍ବିତୀୟ ବର୍ଷରେ ହଠାତ୍ କାହିଁକି ଏଭଳି ନିଷ୍କ୍ରିୟତା ପ୍ରକାଶ ପାଇଲା, ତାହାକୁ ନେଇ ରାଜନୈତିକ ସମୀକ୍ଷକ ତର୍ଜମା ଚଳାଇଛନ୍ତି। ଏହି ମହଲର କହିବା କଥା ହେଉଛି, ଓଡ଼ିଶାରେ ବିରୋଧୀ ପକ୍ଷର ଉପସ୍ଥାନ ସେଭଳି ନାହିଁ। ତା ସତ୍ତ୍ବେ ବିଜେଡିର ନୈରାଶ୍ୟଜନକ ପ୍ରଦର୍ଶନ ନିଶ୍ଚୟ ଚିନ୍ତାଜନକ।

ଉଲ୍ଲେଖଥାଉକି, ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଓଡ଼ିଶାରେ କଳି; ଦିଲ୍ଲୀରେ କୋଳାକୋଳି। ଏମିତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣକୁ ଧୀରେ ପ୍ରଚଣ୍ଡ କଲାଣି କଂଗ୍ରେସ। ଦଳର ପ୍ରଭାରୀ ଡାକ୍ତର ଏ ଚେଲ୍ଲାକୁମାର ନିୟମିତ ବ୍ୟବଧାନରେ ଆସି ପରୀ ତଥା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି ଦୋହରାଉଛନ୍ତି।

ସେପଟେ ବିଧାନସଭା ଭିତରେ ଓ ବାହାରେ ବିଜେଡି-କଂଗ୍ରେସ ଭିତ୍ତିରି ସଂପର୍କ ଅଭିଯୋଗ ଆଣି ସମଗ୍ର ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଲାଣି ବିଜେପି। ପରୀ ପ୍ରସଙ୍ଗରେ କଂଗ୍ରେସ ସହିତ ବିଜେଡିର ସଲାକୁସ୍ତି ପରିପ୍ରେକ୍ଷୀରେ ସରକାର ଏସ୍‌ଆଇଟି ତଦନ୍ତ କରିଛନ୍ତି ବୋଲି ଅଭିଯୋଗ କରି ଦଳର ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ଗର୍ଜନ କଲେଣି। ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ସେମାନେ ଅଟଳ ରହିଛି।

ସଂଖ୍ୟା କମ୍ ହେଲେ ବି ବିରୋଧୀ ଦଳର ଏଭଳି ରାଜନୈତିକ କାର୍ଯ୍ୟକ୍ରମ ଏବେ ରାଜ୍ୟ ରାଜନୀତିରେ ସରକାରୀ ଦଳ ପାଇଁ ସଙ୍ଗିନ୍ ସ୍ଥିତି ସୃଷ୍ଟି କରିଛି। ପରୀ ଠାରୁ ଆଇନଶୃଙ୍ଖଳା, ଚାଷୀ, ଖଣି କେଳେଙ୍କାରୀ ଠାରୁ ଆରମ୍ଭ କରି ସମବାୟ, ବନୀକରଣ ଆଦି ଦୁର୍ନୀତି ପ୍ରସଙ୍ଗ ଏବେ ସରକାରଙ୍କ ସବୁ ଭଲ କାମକୁ ଘୋଡ଼ାଇ ଦେଉଛି।

ବିଜେଡି ଶୀର୍ଷସ୍ତରରୁ ମିଳୁଥିବା ଖବର ଅନୁସାରେ, ବିରୋଧୀଙ୍କର ପରିବର୍ତ୍ତିତ ରଣକୌଶଳକୁ ବିଜେଡି ମୁଖିଆ ହାଲୁକା ଭାବେ ନେଇନାହାନ୍ତି। ବରଂ ସେମାନଙ୍କୁ ମୁହଁତୋଡ଼ ଜବାବ ଦେଲା ଲାଗି ବିଜେଡି ନେତାଙ୍କୁ ପ୍ରସ୍ତୁତ ହେବାପାଇଁ ସଙ୍କେତ ଦିଆଯାଇଛି। ନୂଆ ଟିମ୍ ନୂଆବର୍ଷରୁ ନୂଆ ଢ଼ଙ୍ଗରେ ବିରୋଧୀଙ୍କୁ ଜବାବ ଦେବେ। ଏହା ପୂର୍ବରୁ ଏକ ବଡ଼ ଧରଣର କସରତ କରାଯିବ।

ଆସନ୍ତା ୧୮ ତାରିଖ ଦିନ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି। ୨୦ ଓ ୨୧ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ଏବଂ ରାଜ୍ୟ ପରିଷଦ ବୈଠକ ଡାକିବା ଲାଗି ଯୋଜନା ଚାଲିଛି। ୨୨ରୁ ୨୪ ତାରିଖ ମଧ୍ୟରେ ବିଜୁ ଛାତ୍ରଜନତା ଦଳର କାର୍ଯ୍ୟକାରିଣୀ ବୈଠକ ହୋଇପାରେ। ଏହି ତିନି ପ୍ରମୁଖ ବୈଠକରେ ବିଜେଡିକୁ ଅଧିକ ସକ୍ରିୟ ହେବା ଲାଗି ହାଇକମାଣ୍ଡ କିଛି ସୂତ୍ର ବତାଇବେ।

ତେବେ ଯେଉଁ ପ୍ରମୁଖ ଶାଖାକୁ ଧରି ବିଜେଡି ଗତ ସାଧାରଣ ନିର୍ବାଚନରେ ବାଜିମାତ୍ କରିଥିଲା, ତାହା କିନ୍ତୁ ଏଯାଏ ବିଜେଡି ସୁପ୍ରିମୋଙ୍କ ଫୋକସ୍‌ରେ ନାହିଁ। ବିଜେଡି ମହିଳା ଶାଖା ପୁର୍ନଗଠନ ହୋଇନାହିଁ। ୨୦୧୯ ନିର୍ବାଚନରେ ବିଜେପିକୁ ଦୂରରେ ରଖିବାରେ ମହିଳା ଭୋଟର ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏ କ୍ଷେତ୍ରରେ ନବୀନ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଉଲ୍ଲେଖଥାଉକି, ବିଜେଡି ସାଂଗଠନିକ ପୁର୍ନବିନ୍ୟାସ ପରେ ଏବେ କ୍ୟାଡ଼ର ଭିତ୍ତିକ ଦଳ ଗଠନ ଲାଗି ଗୁରୁତ୍ବ ଦେଇ ଆସିଛି। କରୋନା କାରଣରୁ ଏହି ପ୍ରକ୍ରିୟା ପ୍ରଭାବିତ େହାଇଥିଲା। ଦଳ ପ୍ରଥମ ଥର ପାଇଁ ସାଗଂଠନିକ ସଂପାଦକ ଭାବେ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ବ ଦେଇଛି ଓ ସାଗଂଠନିକ ସଂପାଦକ (ମୁଖ୍ୟାଳୟ) ଭାବେ ସଂଜୟ ଦାସବର୍ମା ନିଯୁକ୍ତି ପାଇଛନ୍ତି।

ଏବେ ଏହି କ୍ରମରେ ଆଉ ଗୋଟେ ପାଦ ଆଗକୁ ଯାଇ ବିଜେଡି ଆଲୋଚନା କରୁଛି ଯେ ପ୍ରତି ଜିଲ୍ଲାରେ ନିଜସ୍ବ କାର୍ଯ୍ୟାଳୟ କରିବ। ୩୩ଟି ସାଂଗଠନିକ ଜିଲ୍ଲା ସଦର ମହକୁମାରେ ଗୋଟିଏ ଶୈଳୀରେ କାର୍ଯ୍ୟାଳୟ ନିଜସ୍ବ କାର୍ଯ୍ୟାଳୟ ଖୋଲିବ। ଏଥିରେ ଆନୁମାନିକ ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଜିଲ୍ଲାର ସମସ୍ତ ଶାଖା କାର୍ଯ୍ୟାଳୟ ରହିବ। ପୌର ଓ ପଞ୍ଚାୟତ ନିର୍ବାଚନ କସରତ ଏହିଠାରୁ ହିଁ ହେବ।

ଏହା ପୂର୍ବରୁ ବିଜେପି ୨୦୧୭ରେ ପ୍ରତି ଜିଲ୍ଲାରେ ନିଜସ୍ବ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା। ଏବେ ସୁଦ୍ଧା ୬ଟି ଜିଲ୍ଲାରେ ସେମାନଙ୍କ ନିଜସ୍ବ କାର୍ଯ୍ୟାଳୟ ଆରମ୍ଭ ହୋଇଗଲାଣି।

ସମ୍ବନ୍ଧିତ ଖବର