ଅନୁଗୁଳ: ଆଠମଲ୍ଲିକ ବିଧାନସଭା ଆସନରେ ୨୦୧୯ରେ ପ୍ରାୟ ୪୭ ହଜାର ଭୋଟରେ ଜିତିଥିଲା ବିଜେଡି। ୨୦୦୦ ମସିହାରୁ ଏହି ଆସନକୁ ବିଜେଡି ନିଜ ହାତରେ ରଖିଛି। ବିଜେଡିର ଏହା ଅଭେଦ୍ୟ ଦୁର୍ଗ ପାଲଟିଥିଲା ବେଳେ ଗଡ଼ରକ୍ଷା ପାଇଁ ଏଥର ଦଳ ଦାୟିତ୍ବ ଦେଇଛି ବରିଷ୍ଠ ନେତା ନଳିନୀ ପ୍ରଧାନଙ୍କୁ। ଏପଟେ ତାଙ୍କୁ ମୁକାବିଲା କରିବା ପାଇଁ ବିଜେଡିରୁ ଆସିଥିବା ସଂଜୀବ ସାହୁଙ୍କୁ ଆଗକୁ ଆଣିଛି ବିଜେପି। ବିକାଶର ନାରା ଦେଇ ନିର୍ବାଚନକୁ ନଳିନୀ ଓହ୍ଲାଇଥିଲା ବେଳେ ଧର୍ମେନ୍ଦ୍ରଙ୍କ ଭରସାରେ ଅଛି ବିଜେପି।

Advertisment

୨୦୧୯ ଲୋକସଭା ନିର୍ବାଚନରେ ନଳିନୀ ପ୍ରଧାନ ସମ୍ବଲପୁର ଆସନରୁ ଲଢ଼ିଥିଲା ବେଳେ ଆଠମଲ୍ଲିକ ବିଧାନସଭା ‌କ୍ଷେତ୍ରରୁ ରେକର୍ଡ ସଂଖ୍ୟକ ଭୋଟ ପାଇଥିଲେ। ଏହି ଆସନରୁ ନଳିନୀ ପ୍ରାୟ ୫୦ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ରହିଥିଲେ। ତାଙ୍କୁ ୯୦, ୫୧୮ ଖଣ୍ଡ ଭୋଟ ମିଳିଥିଲା। ନୀତେଶ ଗଙ୍ଗଦେବ ପାଇଥିଲେ ୩୯ ହଜାର ଭୋଟ। ତେଣୁ ଏଥର ସେ ଏହି ଆସନକୁ ବାଛିଛନ୍ତି। ଏହି ଅଞ୍ଚଳ‌ରେ ସେ କରିଥିବା ବିକାଶମୂଳକ କାମ ପାଇଁ ଲୋକେ ତାଙ୍କୁ ପୁଣି ଭରସା କରିବେ ବୋଲି ବିଶ୍ବାସ ରଖିଛି ବିଜେଡି। ଏହାକୁ ଆଧାର କରି ଦଳ ମଧ୍ୟ ପ୍ରଚାରକୁ ଜୋରଦାର କରିଛି। ନଳିନୀ ପୂର୍ତ୍ତ ସଚିବ ଥିବା ସମୟରେ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ପାଇଁ କରିଥିବା ବିଭିନ୍ନ କାମର ହିସାବ ଦେଉଛନ୍ତି। ସେହିପରି ଗତ ୫ ବର୍ଷ ଭିତରେ ତାଙ୍କ ଉଦ୍ୟମରେ ହୋଇଥିବା ପ୍ରକଳ୍ପଗୁଡ଼ିକ ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି। ଆଗକୁ କ’ଣ କରିବେ ତା’ ତାଲିକା ମଧ୍ୟ ଦେଉଛନ୍ତି। ଏ ଭିତରେ ନଳିନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରି ଫେରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ବିଜେଡି ଶିବିରରେ ଉତ୍ସ‌ାହ ବଢ଼ିଥିଲା ବେଳେ ନଳିନୀଙ୍କ ବିକାଶ ମୂଳକ କାମ ଓ ଲୋକପ୍ରିୟତାକୁ ଆଧାର କରି ଗାଁ ଗାଁରେ ଗଡ଼ ଜଗିଛନ୍ତି ବିଜେଡି କର୍ମକର୍ତ୍ତା।

ବିଜେଡିର ଏହି ଗଡ଼କୁ ଭେଦିବା ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛି। ହେଲେ ଗତଥର ଭୋଟ ହାରକୁ ଦେଖିଲେ ବିଜେପି ପାଇଁ କାମ ଏତେ ସହଜ ହେଲା ପରି ଲାଗୁନି। ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ୮୬,୨୫୪ ଖଣ୍ଡ ଭୋଟ ପାଇଥିଲେ। ବିଜେପି ଖାତାକୁ ୩୯, ୦୭୦ ଓ କଂଗ୍ରେସ ଖାତାକୁ ୩୦, ୯୨୫ ଖଣ୍ଡ ଭୋଟ ଯାଇଥିଲା। ବିଜେଡି ପ୍ରାୟ ୪୭ ହଜାର ଭୋଟରେ ଜିତିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ଏହି ଆସନ ଅଧୀନରେ ଥିବା ସମସ୍ତ ୭ଟି ଯାକ ଜିଲ୍ଲା ପରିଷଦ ଜୋନ୍‌‌ରେ ବିଜୟୀ ହୋଇଥିଲା। ଆଠମଲ୍ଲିକ ‌ଏନ୍‌ଏସିକୁ ମଧ୍ୟ ହାତେଇଥିଲା। ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଥିବାରୁ ସ୍ବାଭାବିକ ଭାବେ ଦଳୀୟ କର୍ମୀ ଉତ୍ସାହିତ ଅଛନ୍ତି। ଦଳର ଭୋଟ୍‌ ବ୍ୟାଙ୍କକୁ ସୁରକ୍ଷିତ ରଖିପାରିଲେ ଦଳର ବିଜୟକୁ କେହି ରୋକିପାରିବେ ନାହିଁ ବୋଲି ସେମାନେ ନିଶ୍ଚିତ ଅଛନ୍ତି। ଅପରପକ୍ଷରେ ଏହି ଆସନରେ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଚାର ଚଳାଇଛି। ଅନ୍ୟ କୌଣସି ବଡ଼ ନେତା ପ୍ରଚାରକୁ ଆସିନାହାନ୍ତି। ଧର୍ମେନ୍ଦ୍ରଙ୍କ ପ୍ରଭାବରେ କିଛି ଭୋଟ ଟାଣିବାକୁ ଦଳ ଚେଷ୍ଟା ଚଳାଇଛି। ପୁଣି କଂଗ୍ରେସର ସ୍ଥିତି ଏ ଭିତରେ ଦୋହଲି ଯାଇଛି। ଦଳ ସଂଗଠନ ଦୁର୍ବଳ ହୋଇଥିଲା ବେଳେ ପ୍ରଚାରକୁ ନେତା ଗୁରୁତ୍ବ ଦେଉନାହାନ୍ତି। ଗତ ନିର୍ବାଚନରେ କଂଗ୍ରେସ ପାଇଥିବା ୩୦ ହଜାର ଭୋଟକୁ ନିଜ ଆଡ଼କୁ ଭିଡ଼ିବା ପାଇଁ ଉଭୟ ବିଜେପି ଓ ବିଜେଡି କସରତ ଚଳାଇଥିଲା ବେଳେ ଏହା ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି।