ଭୁବନେଶ୍ବର: ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇଛି। ବିଜେଡି ବିଧାୟକମାନେ ପାଣ୍ଡିଆନଙ୍କ କଥାରେ ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି, ତାଙ୍କର ଚାମଚାଗିରି କରୁଛନ୍ତି ବୋଲି ଶ୍ରୀ ମିଶ୍ର ଆକ୍ଷେପ କରିଥିଲେ। ଏହାକୁ ବିଜେଡି ସଭ୍ୟମାନେ ପ୍ରତିବାଦ କରିବାକୁ ଉଠିଥିଲେ ବି ପରେ ପୁଣି ପଛଘୁଞ୍ଚା ଦେଇଥିଲେ। ଲାଗୁଥିଲା ଯେମିତି ପାଣ୍ଡିଆନ କଣ୍ଟା ସେମାନଙ୍କ ତଣ୍ଟିରେ ଲାଗିଛି। ଭିତରକୁ ନେଇ ପାରୁନାହାନ୍ତି କି ଓଗାଳି ପାରୁନାହାନ୍ତି।
ଗତକାଲି କଂଗ୍ରେସ ପକ୍ଷରୁ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା ପାଇଁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଗୃହୀତ ହୋଇଥିଲା। ମଧ୍ୟାହ୍ନ ୧୨ଟା ବେଳେ ଆଲୋଚନା ହେବାର ଥିଲା। କିନ୍ତୁ ସେହି ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି ପ୍ରଶ୍ନକାଳରେ ହୋହଲ୍ଲା କରିଥିଲା। ଦଳୀୟ ବିଧାୟକମାନେ ଆଲୋଚନାରେ ଭାଗ ନେବା ପରିବର୍ତ୍ତେ ସମାନ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଜି ମଧ୍ୟ ପ୍ରଶ୍ନକାଳରେ ବିଜେଡି ପକ୍ଷରୁ ଚାଷୀ ପ୍ରସଙ୍ଗ ଉଠାଯାଇ ହୋହଲ୍ଲା କରାଯାଇଥିଲା। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ହୋଇ ପାରି ନଥିଲା। ମଧ୍ୟାହ୍ନ ୧୨ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ବିସ୍ଫୋରଣ କଲେ। କହିଲେ, ଗତକାଲି ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ରାଜି ଥିଲେ। ତାହା ପରେ ବି ସେହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ଗୃହକୁ ବନ୍ଦ କରିଦିଆଗଲା। ଏଥି ପାଇଁ ଦାୟୀ କିଏ? ଆଜି ବାହାରେ ବିଜେଡିର କିଛି ବିଧାୟକଙ୍କ ସହ ଆଲୋଚନା ବେଳେ ସେମାନେ କହିଥିଲେ ଯେ ପାଣ୍ଡିଆନ କହିଲେ ବୋଲି ଏମିତି କଲୁ। ଏ ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ? ଜଣେ ବାହାର ଲୋକ କଥାରେ ଗୃହ ପରିଚାଳିତ ହେବ?
ଏହି ସମୟରେ ବିଜେଡି ବିଧାୟକମାନେ ଠିଆ ହୋଇ ପ୍ରତିବାଦ କରିଥିଲେ। ଶ୍ରୀ ମିଶ୍ରଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା ବୋଲି କହିଥିଲେ। କିନ୍ତୁ ଜୟନାରାୟଣ ଛାଡ଼ି ନଥିଲେ। ବିଜେଡି ସଭ୍ୟମାନଙ୍କୁ ଆହୁରି ଶାଣିତ ଭାଷାରେ ସମାଲୋଚନା କରିଥିଲେ। ସେମାନଙ୍କୁ ଆକ୍ଷେପ କରି କହିଥିଲେ, ଏମାନେ କ’ଣ କହିବେ। ଜରି ବୁହା, ଟେଣ୍ଟ୍ ବୁହା ଓ ଚଉକି ବୁହା ଲୋକ ବିଧାନସଭାକୁ ଆସିଯାଇଛନ୍ତି। ଏମାନଙ୍କର ବୁଦ୍ଧି ବିବେକ ନାହିଁ। ଗୃହରେ ସଭ୍ୟମାନଙ୍କ ସମୟ ଏମାନେ ନଷ୍ଟ କରୁଛନ୍ତି। ପାଣ୍ଡିଆନଙ୍କ ଚାମଚାଗିରି କରୁଛନ୍ତି। ପାଣ୍ଡିଆନଙ୍କ ଏକ ନମ୍ବର ଚାମଚା କିଏ ହୋଇପାରିବ, ସେଥିପାଇଁ ଏମାନଙ୍କ ଭିତରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଏମାନଙ୍କର ନୈତିକତା ନାହିଁ।
ଚାଷୀ ପ୍ରସଙ୍ଗରେ ଗୃହ ବନ୍ଦ ନେଇ ଅଡ଼ୁଆରେ ବିଜେଡି
ପାଣ୍ଡିଆନଙ୍କ ଚାମଚାଗିରି କରୁଛନ୍ତି ବିଜେଡି ନେତା: ଜୟନାରାୟଣ
ତାରା ବି ଅକଳରେ ପକାଇଦେଲେ
ଜୟନାରାୟଣଙ୍କ ଏପରି ମନ୍ତବ୍ୟରେ ହଡ଼ବଡ଼େଇ ଯାଇଥିଲେ ବିଜେଡି ବିଧାୟକମାନେ। କେତେବେଳେ ଠିଆ ହୋଇ ପ୍ରତିବାଦ କରୁଥିଲେ ତ କେତେବେଳେ ବସି ପଡ଼ୁଥିଲେ। ଜୟନାରାୟଣ କହି ସାରିବା ପରେ ସେମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ହୋହଲ୍ଲା କରିଥିଲେ। ଏହି ସମୟରେ ବାଚସ୍ପତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ କହିବା ପାଇଁ ଡାକିଥିଲେ। ସେ କହିଲେ, ଗୃହର ବରିଷ୍ଠ ସଦସ୍ୟ ସାମ୍ବିଧାନିକ ବିଧିବ୍ୟବସ୍ଥାର ଉଲ୍ଲଂଘନ କରିଛନ୍ତି। ଗୃହର ସଦସ୍ୟ ନଥିବା ବ୍ୟକ୍ତିଙ୍କ ବିଷୟରେ ଏଠି ଆଲୋଚନା କରାଯାଇପାରିବ ନାହିଁ। ଯଦି କେଉଁ ବିଧାୟକ ତାଙ୍କୁ ଏହା କହିଛନ୍ତି, ତେବେ ସେ ତାଙ୍କ ନାମ ପ୍ରକାଶ କରନ୍ତୁ। ଏହାର ପ୍ରମାଣ ଦିଅନ୍ତୁ। ଏମିତି ମନଗଢ଼ା କଥା ନ କୁହନ୍ତୁ। ଚାଷୀ ପ୍ରସଙ୍ଗରେ ସରକାର ପଳାୟନପନ୍ଥୀ ସାଜିଛନ୍ତି। ଆମେ ଗତକାଲି ଗୃହରେ ସବୁ କାର୍ଯ୍ୟ ବାତିଲ କରି ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲୁ। କିନ୍ତୁ ସରକାର ଆମ ଦାବି ଶୁଣିଲେ ନାହିଁ। ଶ୍ରୀ ମିଶ୍ର ଯାହାଙ୍କ ନାମ ନେଇଛନ୍ତି, ସେ ଗୃହର ସଦସ୍ୟ ନ ଥିବାରୁ ତାଙ୍କ ନାମକୁ ଗୃହ ବିବରଣୀରୁ ବାଦ୍ ଦିଆଯାଉ।
ତେବେ ବାଚସ୍ପତି ପାଣ୍ଡିଆନଙ୍କ ନାମକୁ ଗୃହ ବିବରଣୀରୁ ବାଦ୍ ଦେଇ ନଥିଲେ। କିନ୍ତୁ ବିଜେଡି ସଭ୍ୟମାନେ ଶାନ୍ତ ପଡ଼ିଯାଇଥିଲେ। ଏହି ପ୍ରସଙ୍ଗରେ ଆଉ ସେମାନେ ଆଗକୁ ବଢ଼ି ନଥିଲେ। ଜୟନାରାୟଣଙ୍କ ହାଡ଼ଜଳା ଆକ୍ଷେପକୁ ସେମାନେ ହଜମ କରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ। କାରଣ ଅଧିକ ପ୍ରତିବାଦ କଲେ ପାଣ୍ଡିଆନଙ୍କ ପାଇଁ ବିଜେଡି ଗୃହ ବନ୍ଦ କରିଦେଲା ବୋଲି ବାର୍ତ୍ତା ଯାଇଥା’ନ୍ତା। ତେଣୁ ଛକାପଞ୍ଝା ଭିତରେ ନିରବ ରହିବାକୁ ଉଚିତ ମଣିଥିଲେ।
ଗୃହ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ମଧ୍ୟ ବିଜେଡିକୁ ଆହୁରି ଅଡ଼ୁଆରେ ପକାଇଦେଇଥିଲେ। ସେ କହିଥିଲେ, ଗତକାଲି କଂଗ୍ରେସ ପକ୍ଷରୁ ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଦିଆଯାଇଥିଲା। ଏହାକୁ ବାଚସ୍ପତି ଗ୍ରହଣ କରିଥିଲେ। କଂଗ୍ରେସ ଆଲୋଚନା ପାଇଁ ପ୍ରସ୍ତୁତ ଥିଲା। କିନ୍ତୁ ବିଜେଡି ବନ୍ଦ କରିଦେଲା। ପ୍ରଶ୍ନକାଳରେ ସେମାନେ ଗୃହ ବନ୍ଦ କରାଇବାକୁ ଉଦ୍ୟମ କରିବାରୁ ଆମେ ବି ଗୃହ ଭିତରକୁ ଯାଇଥିଲୁ। କିନ୍ତୁ ୧୨ଟା ବେଳେ କଂଗ୍ରେସ ସଭ୍ୟମାନେ ଆଦୌ ଗୃହ ମଧ୍ୟ ଭାଗକୁ ଯାଇ ନଥିଲେ। ଆଲୋଚନା ପାଇଁ ପ୍ରସ୍ତୁତ ହୋଇ ଆସିଥିଲେ। ବିଜେଡି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଯାଇ ସେହି ପ୍ରସଙ୍ଗରେ ହୋହଲ୍ଲା କରିଥିଲେ ବି ଆଲୋଚନାକୁ ଆସି ନଥିଲେ। ଫଳରେ ଗୃହ କାର୍ଯ୍ୟ ହୋଇ ପାରି ନଥିଲା।