ପୁରୀ, ନୟାଗଡ଼ର ସବୁ ଜୋନ୍‌ରେ ବିଜେଡି ଆଗୁଆ

ପୁରୀ/ଖୋର୍ଦ୍ଧା/ନୟାଗଡ଼ : ପୁରୀ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୫ମ ପର୍ଯ୍ୟାୟ ମତଦାନ ଶେଷ ପରେ ଶନିବାରଠାରୁ ଜୋନ୍‌ୱାରି ଗଣତି ଆରମ୍ଭ ହୋଇଛି। ଶନିବାର ପ୍ରଥମ ଦିନରେ ପୁରୀ ଜିଲ୍ଲାର ୩୩ଟି ଜିଲ୍ଲାପରିଷଦ ଜୋନ୍‌ରୁ ୧୧ଟିର ଭୋଟ ଗଣତି ଚାଲିଛି। ପଞ୍ଚମ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ୧୦ଟି ଜୋନ୍‌ରେ ବିଜେଡି ଆଗରେ ରହିଛି। ଗୋଟିଏ ଜୋନ୍‌ରେ ବିଜେପି ଆଗରେ ଥିବାବେଳେ ଗୋଟିଏ ଜୋନ୍‌ରେ କ‌ଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରଖି କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି। ପିପିଲି, ଡେଲାଙ୍ଗ, ସତ୍ୟବାଦୀ ବ୍ଲକ୍‌କୁ ଛାଡ଼ିଦେଲେ ବାକି ବ୍ଲକ୍‌ରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭିତରେ ଭୋଟ ବ୍ୟବଧାନ ବହୁ କମ୍‌ ରହିଛି।

ପଞ୍ଚମ ପର୍ଯ୍ୟାୟ ଗଣତି ସୁଦ୍ଧା, ସତ୍ୟବାଦୀ ବ୍ଲକ୍‌ର ୩୧ ନମ୍ବର ଜିଲ୍ଲା ପରିଦେ ଜୋନ୍‌ରେ ବିଜେଡିର ନାରାୟଣ ରାଉତରାୟ ୬ହଜାର ୩୩୩, ବିଜେପିର ଜାନକୀ ବଲ୍ଲଭ ବରାଳ ୪ହଜାର ୧୬୮ ଭୋଟ୍ ପାଇଛନ୍ତି।ବ୍ରହ୍ମଗିରି ୨୮ ନମ୍ବର ଜୋନ୍‌ରେ ବିଜେଡିର କୈଳାସ ଚନ୍ଦ୍ର ପରିଡ଼ା ୫ହଜାର ୭୯୬, ବିଜେପିର କୃଷ୍ଣଚନ୍ଦ୍ର ରାୟ ୫ହଜାର ୨୪୭, ନିମାପଡ଼ାର ୧୮ ନମ୍ବର ଜୋନ୍‌ରେ ବିଜେଡି କୁଞ୍ଜଲତା ସାମଲ୍‌ ଆଗୁଆ ରହିଛନ୍ତି। କାକଟପୁର ବ୍ଲକ୍‌ ୬ ନମ୍ବର ଜୋନ୍‌ରେ ବିଜେଡିର ଜ୍ୟୋତ୍ସ୍ନାରାଣୀ ଦଳାଇ, ଅସ୍ତରଙ୍ଗ ବ୍ଲକ୍‌ର ୧ ନମ୍ବର ଜୋନ୍‌ରେ ବିଜେଡିର ସରସ୍ବତୀ ସ୍ବାଇଁ , ପୁରୀ ସଦର ବ୍ଲକ୍‌ର ୨୫ ନମ୍ବର ଜୋନ୍‌ରେ ବିଜେଡିର ମୋନାଲି ମିଶ୍ର , ପିପିଲି ବ୍ଲକ୍‌ ୨୨ ନମ୍ବର ଜୋନରେ ଅଷ୍ଟମ ପର୍ଯ୍ୟାୟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସୁଶ୍ରୀସଙ୍ଗିତା ବେହେରା, ଡେଲାଙ୍ଗ ବ୍ଲକ୍‌ର ୧୫ ନମ୍ବର ଜିଲ୍ଲା ‌ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଜ୍ଞା ଛୋଟରାୟ ଆଗରେ ରହିଛନ୍ତି। କଣାସ ବ୍ଲକ୍‌ ୫ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଣତି ଜେନା ଓ କୃଷ୍ଣପ୍ରସାଦ ବ୍ଲକ୍‌ର ୯ ନମ୍ବର ଜୋନ୍‌ରେ ବିଜେଡିର ଲକ୍ଷ୍ମୀଧର ସାହୁ ଆଗୁଆ ରହିଛନ୍ତି।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ରାଉଣ୍ଡ୍‌ ସୁଦ୍ଧା ବିଜୁ ଜନତା ଦଳ ୫ଟି ଜୋନ୍‌ରେ ଆଗୁଆ ରହିଥିବା ବେଳେ ଗୋଟିଏ ଜୋନ୍‌ରେ ବିଜେପି ଆଗୁଆ ରହିଛି। ଖୋର୍ଦ୍ଧା ବ୍ଲକ୍‌ର ଜୋନ୍ ୧ବିଜେଡିର ପ୍ରଫୁଲ୍ଲ ଦଳେଇ , ଚିଲିକା ନିର୍ବାଚନମଣ୍ତଳୀର ଜୋନ୍ ୪ରେ ବିଜେଡିର ମମତା ପାଇକରାୟ, ବାଣପୁର ୧୩ ନମ୍ବର ଜୋନ୍‌ରେ ବିଜେପି ପ୍ରାର୍ଥୀ ଟିକି ଶବର ଆଗୁଆ ରହିଛନ୍ତି। ବେଗୁନିଆ ନିର୍ବାଚନମଣ୍ତଳୀର ବୋଲଗଡ଼ ୨୫ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସୁନନ୍ଦିତା ସାହୁ , ବେଗୁନିଆ ବ୍ଲକ୍‌ର ୨୨ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସାହୁ, ଖୋର୍ଦ୍ଧା ନିର୍ବାଚମଣ୍ତଳୀର ଟାଙ୍ଗୀ ୯ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ମିତାଞ୍ଜଳି ବଳିଆରସିଂହ ଆଗୁଆ ରହିଛନ୍ତି।

ସେହିପରି ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ୍‌ର ଆଜି ୮ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍‌ ଗଣତି କରାଯାଉଥିବା ବେଳେ, ରାତି ୧୦ ଟା ୩୦ ସୁଦ୍ଧା ସର୍ବଶେଷ ଖବର ଅନୁଯାୟୀ ସମସ୍ତ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି। ନୟାଗଡ଼ ବ୍ଲକ ଅଧୀନ ଜୋନ୍‌ ୧୨ରେ ୮ ରାଉଣ୍ଡ୍‌ ସୁଦ୍ଧା ବିଜେଡିକୁ ୭୩୩୯, ବିଜେପିକୁ ୫୯୬୧ ଭୋଟ୍‌ ମିଳିଛି। ସେହିଭଳି ଓଡ଼ଗାଁ ବ୍ଲକ୍‌ ଜୋନ୍‌ ୧ରେ ବିଜେଡିକୁ ୯୦୪୩, ବିଜେପିକୁ ୫୪୯୩ ଭୋଟ୍‌ ମିଳିଛି। ଜୋନ୍‌ ୨୧ ରଣପୁରରେ ବିଜେଡିକୁ ୬୭୩୮, ବିଜେପିକୁ ୫୦୫୬ ଭୋଟ୍‌ ମିଳିଛି। ଜୋନ୍‌ ୯ ଦଶପଲ୍ଲାରେ ବିଜେଡିକୁ ୬୨୭୩, ବିଜେପି ୧୯୮୭ଭୋଟ୍, , ଜୋନ୍ ୧୬ ନୂଆଗାଁ ବ୍ଲକରେ ୧୨ ରାଉଣ୍ଡ୍‌ ସୁଦ୍ଧା ବିଜେଡି ୧୨,୩୯୬, ବିଜେପି ୭୨୩୯ ଭୋଟ୍‌ ପାଇଛି। ‌‌ଜୋନ୍‌ ୧୮ ଭାପୁରରେ ରାଉଣ୍ଡ୍‌ ୮ ସୁଦ୍ଧ‌ା ବି‌ଜେଡିକୁ ୧୦,୩୪୧, ବିଜେପି ୧୬୬ ଭୋଟ୍‌ ମିଳିଛି। ଜୋନ୍‌ ୫ ଖଣ୍ଡପଡ଼ା‌ରେ ରାଉଣ୍ଡ୍‌ ୯ ସୁଦ୍ଧ‌ା ବିଜେଡି ୨୩୪୧ ଭୋଟ୍‌ରେ ଆଗୁଆ ରହିଛି, ଜୋନ୍‌ ୮ ଗଣିଆରେ ୧୦ ରାଉଣ୍ଡ୍‌ ସୁଦ୍ଧା ବିଜେଡି ୧୩୬୨ ଭୋଟ୍‌ରେ ଆଗୁଆ ରହିଥିବା ଜଣାପଡ଼ିଛି। ଖବର ଲେଖା ହେବା ସୁଦ୍ଧା ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ୍‌ ଗଣତି ଜାରି ରହିଛି।

ସମ୍ବନ୍ଧିତ ଖବର