ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ରାଜ୍ୟର ଦୁଇଟି ବହୁଚର୍ଚ୍ଚିତ ଘଟଣା ଉପରେ ୨ଟି ଭିଡିଓ ଗଣମାଧ୍ୟମକୁ ଦେଖାଇ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ବିଜେଡି ନାରୀ ବିରୋଧୀ ନୁହେଁ ବୋଲି କହି ମମିତା ମେହେର ହତ୍ୟା ଘଟଣାକୁ ବାଟବଣା କରିବାକୁ ଚେଷ୍ଟା କଲେ ମଧ୍ୟ ସାଧାରଣ ଜନତା ବିଶ୍ବାସ କରିବା ସ୍ଥିତିରେ ନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ସୋମବାର ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ମୁଖ୍ୟପାତ୍ର ନିଶିକାନ୍ତ ମିଶ୍ର ବିଜେଡିର ଦୁଇଟି ଭିଡିଓ ତଥ୍ୟକୁ ଆଧାର କରି ଓଲଟା ପ୍ରଶ୍ନ କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଟିକିରି ଘଟଣା ଉପରେ ଆଧାରିତ ହୋଇଥିବା ପ୍ରଥମ ଭିଡିଓରେ ଷଡ଼ଯନ୍ତ୍ରକାରୀ ନେତ୍ରାନନ୍ଦ ଦଣ୍ଡସେନା ଦଣ୍ଡ ପାଇବା ଘଟଣାକୁ ନେଇ ବିଜେଡି ଡିଣ୍ଡିମ ପିଟୁଛି। ମାତ୍ର ଏହି ଘଟଣାରେ ମୃତ୍ୟୁକାଳୀନ ଜମାନବନ୍ଦୀରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୀଳ ଜିନ୍ସ ପ୍ୟାଣ୍ଟ ପିନ୍ଧା ଯୁବକକୁ ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଧରିବାରେ କାହିଁକି ସଫଳ ହୋଇପାରି ନାହିଁ। ଦ୍ବିତୀୟ ଭିଡିଓରେ କୁନ୍ଦୁଲି ଘଟଣାରେ କେତେ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପିପିଲି ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ତଥ୍ୟ ପ୍ରମାଣ ଯୋଗାଇବାରେ ବିଫଳ ହେବାରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବାରେ ସଫଳ ହୋଇଥିଲା। ସେହିପରି ବ୍ରହ୍ମଗିରି ରେବଣା ନୂଆଗାଁ ଆୟୁଷ ଡାକ୍ତର ମାଧବୀଲତା ମୃତ୍ୟୁ ଘଟଣାରେ ଜିଆରପି ପୁଲିସ ଶବ ବ୍ୟବଚ୍ଛେଦ ପରେ ଯେଉଁ ସ୍ଥାନରେ ମୃତଦେହ ପୋତା ଯାଇଥିଲା ତାହା ମଧ୍ୟ ରହସ୍ୟ ଘେରରେ ରହିଛି। ଟିକିରି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ଷଡ଼ଯନ୍ତ୍ରକାରୀଙ୍କୁ ଧରି ବିଜେଡି ବାହାସ୍ଫୋଟ ମାରୁଥିବା ବେଳେ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କ’ଣ ପାଇଁ ସରକାରୀ ସୁରକ୍ଷା ଦିଆଯାଉଛି। ପୂର୍ବ ଘଟଣାଗୁଡ଼ିକୁ ନଜର ପକାଇଲେ ଅଭିଯୁକ୍ତମାନେ ଖସିଯିବାର ନଜିର ଥିବା ବେଳେ ମମିତା ଘଟଣାରେ ମଧ୍ୟ ସମାନ ଆଶଙ୍କା କରାଯାଉଛି। ତେଣୁ ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ମନୋରଂଜନ ଦାଶ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/nisikanta.jpg)