ଜିଲ୍ଲାରେ ନେତୃତ୍ବକୁ ନେଇ ଦ୍ବନ୍ଦ୍ବରେ ବିଜେପି
ମୁଣ୍ଡ ଟେକୁଛନ୍ତି ଜେଏମଏମ୍, କଂଗ୍ରେସ
ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ଜିଲ୍ଲାପରିଷଦ ଉପନିର୍ବାଚନ
ବାରିପଦା : ମୟୂରଭଞ୍ଜରେ ନିଜର ପୂର୍ବ ସ୍ଥିତି ଜାହିର କରିବାକୁ ଏବେ ଗଡ଼ ସଜାଡ଼ୁଛି ବିଜେଡି। ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବିଙ୍କ ଘନଘନ ମୟୂରଭଞ୍ଜ ଗସ୍ତ, ରାଜ୍ୟ ସରକାରଙ୍କର ମୟୂରଭଞ୍ଜକୁ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ବ ଦେବା ଆଦି ଘଟଣାରୁ ଏହା ସ୍ପଷ୍ଟ ହେଉଛି।
ଆଜି ଦଳୀୟ ନେତା ଏବଂ କର୍ମୀଙ୍କୁ ଆହୁରି ଏକଜୁଟ କରି ସଂଗଂନକୁ ମଜଭୁତ କରିବାକୁ ବିଜେଡି ପକ୍ଷରୁ ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଏକ ବିଶାଳ ସମାବେଶ ପ୍ରଣବପ୍ରକାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡିର ବିଭିନ୍ନ ସଂଗଠନର ଛାମୁଆ କର୍ମକର୍ତ୍ତା, ବିଧାୟକ, ସାଂସଦ, ନିର୍ବାଚନ ଲଢ଼ିଥିବା ବିଧାୟକ ପ୍ରାର୍ଥୀ, ପୂର୍ବତନ ବିଧାୟକ ସାଂସଦଙ୍କ ସମତେ ସଂଗଠନର ପ୍ରମୁଖ ନେତୃତ୍ବ ସାମିଲ ହୋଇଥିଲେ। ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଦଳ ପାଇଁ ଭୋଟ ଯୋଗାଡ଼ କରୁଥିବା ପ୍ରାୟ ୩ ହଜାର ସରିକି ନେତା, କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ ବିଜେଡି ଏକ ଥିବା ଏବଂ ଯେକୌଣସି ଆହ୍ବାନ ପାଇଁ ପ୍ରସ୍ତୁତ ଥିବା ସନ୍ଦେଶ ଦିଆଯାଇଛି।
ମାତ୍ର ବିଜେଡି ତୁଳନାରେ ଜିଲ୍ଲାରେ ବିଜେପି ସଂଗଠିତ ନଥିବା ଏବେ ବି ଜଳଜଳ ଦିଶୁଛି। ଯଦିଓ ଜିଲ୍ଲାରେ ବିଜେପିର ୬ ବିଧାୟକକୁ ଜଣେ ଲୋକସଭା ସାଂସଦ ଅଛନ୍ତି, ମାତ୍ର ନିର୍ବାଚିତ ଜନପ୍ରତିନିଧି ଗୋଟେ ପାଖରେ ଥିବାବେଳେ ଜିଲ୍ଲା ସଂଗଠନ ଆଉ ଗୋଟେ ପଟେ ଥିବା ଦେଖାଯାଉଛି। ପରୀ ହତ୍ୟାକାଣ୍ଡ, ମାହଙ୍ଗା ଡବଲ୍ ମର୍ଡରକୁ ନେଇ ହୋଇଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସମସ୍ତଙ୍କୁ ଏକାଠି ଦେଖିବାକୁ ମିଳିନାହିଁ। ଏଠାରେ ସାଂସଦ ଥିବା ବିଶ୍ବେଶ୍ବର ଟୁଡୁଙ୍କୁ ବିଜେପିର ରାଜ୍ୟ ଜନଜାତି ମୋର୍ଚ୍ଚା ସଭାପତି ସହିତ ରାଷ୍ଟ୍ରୀୟ ସଂପାଦକ ଦାୟିତ୍ବ ଦିଆଯାଇଛି। ମାତ୍ର ରାଷ୍ଟ୍ରୀୟସ୍ତରରେ ନେତୃତ୍ବ ହାସଲ କରିଥିବା ଶ୍ରୀ ଟୁଡୁ କିନ୍ତୁ ଜିଲ୍ଲା ସଂଗଠନକୁ ନିଜ ସାଙ୍ଗରେ ନେଇ ଚାଲିପାରୁନାହାନ୍ତି। ସମନ୍ବୟର ଅଭାବରୁ ବିଜେପିର ନୂତନ ଜିଲ୍ଲା କାର୍ଯ୍ୟାଳୟର ତାଲା ଭାଙ୍ଗିବା ଭଳି ପରିସ୍ଥିତି ମଧ୍ୟ ଉପୁଜିଥିଲା। ଯାହାକି ଦଳକୁ ଜିଲ୍ଲାରେ ଏକ ଅସ୍ବସ୍ତିକର ପରିସ୍ଥିତିରେ ପକେଇଛି।
ଏମିତି ସ୍ଥିତିରେ ଆସନ୍ତା ମାସ ୧୧ ତାରିଖରେ ହେବାକୁ ଥିବା ସାରସକଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୬ ନମ୍ବର ଜିଲ୍ଲାପରିଷଦ ଆସନ ଉପନିର୍ବାଚନ ଦଳ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହେବ। କାରଣ ସାରସକଣାରେ ବିଜେପିର ବିଧାୟକ ଅଛନ୍ତି। ଏଠାରେ ଲୋକପ୍ରିୟ ଡାକ୍ତର ଭାବେ ଜଣାଶୁଣା ଡା. ବୁଢ଼ାନ ମୁର୍ମୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ଏହି ଉପନିର୍ବାଚନ ବିଧାୟକ ଶ୍ରୀ ମୁର୍ମୁ ଏବଂ ସାଂସଦ ଶ୍ରୀ ଟୁଡୁଙ୍କ ପାଇଁ ଏକପ୍ରକାର ଆହ୍ବାନ।
ଏହି ଆସନରେ ନାମାଙ୍କନପତ୍ର ଦାଖଲ ନିମନ୍ତେ ଚଳିତ ମାସ ୧୩, ୧୫ ଏବଂ ୧୮ ତାରିଖ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନର ସ୍ଥିତି ଅନୁଯାୟୀ ବିଜେଡି ଏହି ଉପନିର୍ବାଚନକୁ ଗୁରୁତ୍ବର ସହିତ ନେଇ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ କରିସାରିଥିବା ଦେଖିବାକୁ ମିଳିଛି।
ସେପଟେ ଜିଲ୍ଲାରେ ଧୀରେ ଧୀରେ ମୁଣ୍ଡ ଟେକୁଛି କଂଗ୍ରେସ ଓ ଜେଏମ୍ଏମ୍। ବାଲେଶ୍ବରରେ କଂଗ୍ରେସ ପକ୍ଷରୁ ଲୋକସଭା ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ଏବଂ ଜିଲ୍ଲାରେ ନୂତନ ଭାବେ ଦାୟିତ୍ବ ନେଇଥିବା ସୁଦର୍ଶନ ଦାସ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। କଂଗ୍ରେସ ଜିଲ୍ଲା ସଭାପତି ମଧ୍ୟ ଲଗାତାର ବିଭିନ୍ନ ବ୍ଲକ୍ ଗସ୍ତ କରୁଛନ୍ତି। ସେହିପରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ମଧ୍ୟ ଶିବୁ ସୋରେନଙ୍କ କନ୍ୟା ଅଞ୍ଜଳୀ ସୋରେନ୍ଙ୍କ ନେତୃତ୍ବରେ ଜିଲ୍ଲାରେ ଥିବା ଦଳୀୟ ଭୋଟବ୍ୟାଙ୍କକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ସାରସକଣା ଜିଲ୍ଲାପରିଷଦ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦେବାନେଇ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସବୁଦଳ ଏବେ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି ଟିକେ ପଛେଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/mayurbhanj-aaa.jpg)