ଭୁବନେଶ୍ବର: ବିଜେପିର ୫ ତୁଙ୍ଗ ନେତା ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ ରାଜ୍ୟର ତିନିଟି ସହର ଭୁବନେଶ୍ବର, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଓଡ଼ିଶାବାସୀ ଏଥର ଭ୍ରଷ୍ଟାଚାର, ଦୁର୍ନୀତିଗ୍ରସ୍ତ ଶାସନ ଶେଷ କରି ବିଜେପି ସରକାର ଗଠନ କରିବେ ବୋଲି କହିଛନ୍ତି। ତିନିଟି ଯାକ ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ମନମୋହନ ସାମଲ କହିଛନ୍ତି ଯେ ବିଜେପି ସହ ସାଧାରଣ ଲୋକଙ୍କ ଆଶୀର୍ବାଦ, ଶୁଭେଚ୍ଛା ଓ ସହଯୋଗ ଅଛି। ଓଡ଼ିଶାବାସୀ ଏଥର ଭ୍ରଷ୍ଟାଚାର, ଦୁନୀତିଗ୍ରସ୍ତ ଶାସନର ସମାପ୍ତ କରି ବିଜେପିର ସରକାର ଗଠନ କରିବେ। ୨୫ବର୍ଷର ବିଜେଡି ଯାହା କରିନି ୫ବର୍ଷରେ ବିଜେପି ତାହା କରି ଦେଖାଇବ। ଓଡ଼ିଶାର ଲୋକ ଅାଉ ଦାଦନ ଖଟିବାକୁ ଯିବେନି, ସବୁ ଜମିକୁ ଜଳସେଚନ ହେବ, ସବୁ ଘରେ ପିଇବା ପାଣି ପହଞ୍ଚିବ, ସମସ୍ତଙ୍କୁ ମାଗଣା ବିଜୁଳି ମିଳିବ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟକୁ ୧ ନମ୍ବର କରାଯିବ। ଓଡ଼ିଶାରେ ୨୪ ବର୍ଷର ସ୍ଥିର ସରକାର ରହିବା ପରେ ମଧ୍ୟ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଯେଉଁଭଳି ସ୍ଥିତିରେ ରହିବା କଥା, ସେଭଳି ସ୍ଥିତିରେ ନାହିଁ। ଲୋକଙ୍କୁ ସାମାନ୍ୟତମ ସୁବିଧା ନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶାର ଜନସାଧାରଣଙ୍କୁ ବିଜେପିକୁ ୫ ବର୍ଷ ସେବା କରିବା ପାଇଁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି। ଆଉ ୧୨ବର୍ଷ ପରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ୧୦୦ବର୍ଷ ପୂରଣ କରିବ। ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାରେ ଲୋକ ମିଳିଲେନି, ବାହାରୁ ଜଣେ ଲୋକଙ୍କୁ ଆଣି ନେତା କରିଛନ୍ତି, ଯାହା ଦୁଃଖର ବିଷୟ। ଏପରି ସମୟରେ ଜଣେ ବାହାର ରାଜ୍ୟର ଲୋକଙ୍କ ହାତରେ ଶାସନ ଭାର ଦେବା କି? ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ସଭାପତିଙ୍କୁ ଟୁରିଷ୍ଟ୍ କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଲୋକମାନେ ଏଥର ଭୋଟରେ ଉଚିତ୍ ଜବାବ୍ ଦେବେ। ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଜୁଳି ମାଗଣା ଦେବେ ବୋଲି କହୁଛନ୍ତି। କିନ୍ତୁ ତାଙ୍କ ସରକାରରେ ଭୁବନେଶ୍ୱରରେ ବିଜୁଳି କାଟ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ପାଣି ମିଳୁନି କି ବିଜୁଳି ମିଳୁନି। ବସ୍ତିବାସିନ୍ଦାଙ୍କୁ ପଟ୍ଟା ଖଣ୍ଡେ ମିଳିନି। କେବଳ ଗୋଟିଏ କାଗଜ ଦେଇଛନ୍ତି।୨୪ ବର୍ଷ ହେଲା ସାମାନ୍ୟ ପଟ୍ଟା ଖଣ୍ଡେ ଦେଇ ପାରୁନାହାନ୍ତି, ସେମାନେ ଏବେ ବିଜୁଳି ମାଗଣା ଦେବୁ ବୋଲି ନିର୍ବାଚନ ସମୟରେ କହୁଛନ୍ତି। ଗୁମାସ୍ତା ରାଜନୀତି ଛାଡ଼ିବା ପରିବର୍ତ୍ତେ ଲୁଟ୍ ନୀତି କରିବା ଛାଡ଼ିଲେ ଭଲ ହେବ ବୋଲି ପାଣ୍ଡିଆନଙ୍କୁ କଟାକ୍ଷ କରି କହିଛନ୍ତି ଶ୍ରୀ ପ୍ରଧାନ।
ସେହିପରି ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ। ଏଥିଲାଗି ବିଜେଡିର ଦୁଇ ଜଣ ନେତା ଏକାଠି ବୁଲୁଥିବା ନଜର ଆସିଛି। ସେମାନେ ବୁଲି ବୁଲି କମେଡି ଭିଡିଓ କରି ଛାଡ଼ୁଛନ୍ତି। ସେମାନେ ଡିପ୍ ଫେକ୍, ଏଆଇ ଭିଡିଓ କରୁଥିବା ଅଭିଯୋଗ ଉଠିବାରୁ ଏବେ ଲୁଚିଛପି ଭିଡିଓ କରି ଛଡ଼ାଯାଉଛି। ଓଡ଼ିଶାରେ ଏଥର ବିଜେପି ସରକାର ଗଠନ ହେବ। ଜୁନ୍ ୧୦ରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନୂତନ ଓଡ଼ିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ଏଥର ପରିବର୍ତ୍ତନ ଆସିବ। ଓଡ଼ିଶାରେ ବିଜେପିର ସରକାର ଗଠନ ହେବ ବୋଲି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାରେ ଆଉଟସୋର୍ସ ସରକାର ଚାଲିଛି। ଜଣେ ନିର୍ବାଚିତ ହୋଇଛନ୍ତି, କିନ୍ତୁ ଆଉ ଜଣେ ସରକାର ଚଳାଉଛନ୍ତି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋରେ ଲୋକ ନଥିଲେ। ରୋଡ୍ ସୋ’ରେ ନବୀନଙ୍କ ସହିତ କେହି ବିଜେଡି ପ୍ରାର୍ଥୀ ମଧ୍ୟ ନଥିଲେ। କ’ଣ ବିଜେଡି ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ?