ଭୁବନେଶ୍ବର : ଅତ୍ୟାଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ବିଜେଡିର ଅଭିଯାନ ଜୋର୍ ଧରିଛି। ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଆଇଟି କନ୍କ୍ଲେଭ୍ରେ ଏକ ଅଭିନବ କାର୍ଯ୍ୟକ୍ରମ ‘ସେଲ୍ଫି ୱିଥ୍ ସିଏମ୍’ ଆରମ୍ଭ କରାଯାଇଛି। ଏ.ଆର୍. ଟେକ୍ନୋଲୋଜି ଦ୍ବାରା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୋଡ଼ି ସାଧାରଣ ଲୋକ ସେଲ୍ଫି ନେଇପାରିବେ। ଆଇଓଏସ୍ ଓ ଆଣ୍ଡ୍ରଏଡ୍ ପ୍ଲାଟ୍ଫର୍ମରେ ନିର୍ମିତ ଏହି ଟେକ୍ନୋଲୋଜି ବ୍ୟବହାର କରିବାରେ ବିଜେଡି ଦେଶର ପ୍ରଥମ ରାଜନୈତିକ ଦଳ ବୋଲି କୁହାଯାଉଛି। ଏହା ସହ ଆଜି ‘ମୋ ନବୀନ ମୋ ଘରେ’ ନାମରେ ଆଉ ଏକ କାର୍ଯ୍ୟକ୍ରମ ବି ଆରମ୍ଭ କରାଯାଇଛି।
‘ସେଲ୍ଫି ୱିଥ୍ ସିଏମ୍’ କାର୍ଯ୍ୟକ୍ରମରେ ଇଚ୍ଛୁକ ସାଧାରଣ ଜନତା ବିଜେଡି ଦ୍ବାରା ନିର୍ଦ୍ଧାରିତ ସ୍ଥାନରେ ଆସି ଏହି ସେଲ୍ଫି ନେଇପାରିବେ। ଏ.ଆର୍. ଟେକ୍ନୋଲୋଜିରେ ଶ୍ରୀ ପଟ୍ଟନାୟକଙ୍କର କେବଳ ଛବି ଆସୁ ନାହିଁ, ଏଥିରେ ତାଙ୍କର ଭିଡିଓ ବି ରହିଛି, ଯାହା ସହିତ ଜଣେ ବ୍ୟକ୍ତି ମୋବାଇଲ୍ ମାଧ୍ୟମରେ ଫଟୋ ଉଠାଇ ତା’ର ପ୍ରିଣ୍ଟ୍ ମଧ୍ୟ ୨୦ ସେକେଣ୍ଡ୍ରେ ପାଇପାରିବେ। ଆଜି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ନିଜେ ଶ୍ରୀ ପଟ୍ଟନାୟକ ନିଜର ସେଲ୍ଫି ଉଠାଇଥିଲେ ଓ ତା’ର ପ୍ରିଣ୍ଟ୍ ମଧ୍ୟ ବିଜେଡି ଆଇଟି ସାମ୍ମୁଖ୍ୟ ମୁଖ୍ୟ ଅମର ପଟ୍ଟନାୟକଙ୍କ ଠାରୁ ଗ୍ରହଣ କରିଥିଲେ।
ସେହିପରି ‘ମୋ ନବୀନ ମୋ ଘରେ’ କାର୍ଯ୍ୟକ୍ରମରେ ଉକ୍ତ ଟେକ୍ନୋଲୋଜି ଯୁକ୍ତ ପ୍ଲାଟ୍ଫର୍ମକୁ ନେଇ ଦଳର କର୍ମକର୍ତ୍ତାମାନେ ଲୋକଙ୍କ ପାଖକୁ ଯିବେ ଓ ସେମାନଙ୍କ ଘେର ଶ୍ରୀ ପଟ୍ଟନାୟକଙ୍କ ବାର୍ତ୍ତା ଟେକ୍ନୋଲୋଜି ମାଧ୍ୟମରେ ପହଞ୍ଚାଇବେ। ଯେଉଁ ଭିଡିଓ ଏଥିରେ ଅଛି, ତାହା ମାଧ୍ୟମରେ ଦଳର ସଭାପତି ଜନସାଧାରଣଙ୍କ ସହ କଥାବାର୍ତ୍ତା କରିବେ।
ଆଇଟି କନ୍କ୍ଲେଭ୍କୁ ଉଦ୍ଘାଟନ କରି ଶ୍ରୀ ପଟ୍ଟନାୟକ କହିଲେ, ଆଜିର ଦୁନିଆରେ ଆଇଟିର ଆବଶ୍ୟକତା ଅନେକ ରହିଛି। ବିଜୁ ବାବୁ ବିଜ୍ଞାନରେ ବିଶ୍ବାସ କରୁଥିବାରୁ ତାଙ୍କୁ ଯେତେବେଳେ ମାତ୍ର ୩୦ ବର୍ଷ, ସେତେବେଳେ ପ୍ୟାରିସ୍ର ୟୁନେସ୍କୋଠାରେ ସେ ବିଜ୍ଞାନ ପାଇଁ ‘କଳିଙ୍ଗ ପୁରସ୍କାର’ ସ୍ଥାପନ କରିଥିେଲ। ଆଜିର ଯୁଗରେ ଆଇଟିର ଯଥେଷ୍ଟ ଗୁରୁତ୍ବ ରହିଛି। ବିଜେଡି ଆଇଟି ସାମ୍ମୁଖ୍ୟର କେନ୍ଦ୍ର ଓଡ଼ିଶାର ୩୦ଟି ଜିଲ୍ଲାରେ ହେବାକୁ ଯାଉଥିବାରୁ ସେ ଖୁସିପ୍ରକଟ କରିଥିଲେ।
କନ୍କ୍ଲେଭ୍ରେ ବୈଷୟିକ ବିଶେଷଜ୍ଞ ଓ ବକ୍ତାମାନେ ଯୋଗ ଦେଇ ରାଜନୈତିକ ଦଳରେ ଆଇଟି ୱିଙ୍ଗ୍ ଓ ସୋସିଆଲ୍ ମିଡିଆର ବିଭିନ୍ନ ଦିଗ ଉପରେ ଯୁବ-ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ରାଣାପ୍ରତାପ ପାତ୍ରଙ୍କ ସହ ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ, ମହିଳା ବିଜେଡିର ଉପଦେଷ୍ଟା ପ୍ରମିଳା ମଲ୍ଲିକ, ମୁଖପାତ୍ର ସସ୍ମିତ ପାତ୍ର, ସୁଲୋଚନା ଦାସ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଓ ମହାସଚିବ ହରିଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ରହି ଉଦ୍ବୋଧନ େଦଇଥିଲେ। ଏହି ଅବସରରେ ବିଜେଡି ଆଇଟି ୱିଙ୍ଗ୍ର ଲୋଗୋ ଓ ବ୍ୟାଜ୍ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୧୨୦୦ ପ୍ରତିନିଧି ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/m8-2.jpg)