ନୟାଗଡ଼ : ବିଜେଡି ପକ୍ଷରୁ ଆଜି ନୟାଗଡ଼ ଏନ୍‌ଏସିରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଖେଳ ପଡ଼ିଆ ନିକଟରୁ ଦଳୀୟ ନେତା ଓ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ପଦଯାତ୍ରା କରି ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲେ। ପଦଯାତ୍ରାରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସାମିଲ ହୋଇଥିଲେ।

Advertisment

କଲ୍ୟାଣ ମଣ୍ଡପଠାରେ ବ୍ଲକ୍‌ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସାଂସଦ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଲେ ଯେ, ବିଜେଡି ଓଡ଼ିଶାର ଏକ ନମ୍ବର ରାଜନୈତିକ ଦଳ। ନିଜର ନିର୍ବିବାଦୀୟ ଆଭିମୁଖ୍ୟ ଏବଂ କଲ୍ୟାଣମୂଳକ କାର୍ଯ୍ୟ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶାର ଘରେ ଘରେ ପରିଚିତ। ଏ ପରିପ୍ରେକ୍ଷୀରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି। ସେହି ଲକ୍ଷ୍ୟ ହାସଲ ପାଇଁ ୨୦୧୯ରେ ଆମକୁ ପୁନର୍ବାର କ୍ଷମତା ହାସଲ କରିବାକୁ ହେବ। ପ୍ରତ୍ୟେକ ନିର୍ବାଚନରେ ନୂଆ ନୂଆ ଆହ୍ବାନ ଆସିଥାଏ। ଅତୀତରେ ଆମେ ଜିତିଛେ ବୋଲି ଅଚିନ୍ତାରେ ଶୋଇ ପଡ଼ିଲେ ହେବ ନାହିଁ। ନିର୍ବାଚନ ଜିତିବାକୁ ହେଲେ ସାଂଗଠିନକ ସ୍ଥିତିକୁ ଆହୁରି ଦୃଢ଼ କରିବାକୁ ହେବ। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସାରା ଓଡ଼ିଶାର ଲୋକଙ୍କୁ ପରସ୍ପର ସହ ଯୋଡ଼ିବା ସହ ଦଳକୁ ଅଧିକ ସଂଗଠିତ କରିପାରିଛି ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ବିଧାୟକ ଡ. ସାହୁ ବକ୍ତବ୍ୟରେ କହିଲେ, ରାଜ୍ୟରେ ବିଜେଡି ସରକାର ଛାତ୍ର, ଯୁବକ, ମହିଳା ଓ ଶିଶୁ ସମସ୍ତଙ୍କ ପାଇଁ ଯୋଜନା କରିଛନ୍ତି। କୃଷି କ୍ଷେତ୍ରଠାରୁ ଆରମ୍ଭ କରି ଗୃହ ନିର୍ମାଣ, ରାସ୍ତା ତିଆରି, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ରର ବିଜେପି ସରକାରଠାରୁ ଆରମ୍ଭ କରି ତତ୍କାଳୀନ କଂଗ୍ରେସ ସରକାର ପୁରସ୍କୃତ କରି ଆସିଛନ୍ତି। କେନ୍ଦ୍ର ସରକାର ଗୋଟିଏ ପକ୍ଷରେ ଆମର ସଫଳତାକୁ ସ୍ବୀକାର କରିଥିବା ବେଳେ ସେଇ ଦଳର ରାଜ୍ୟ ନେତାମାନେ ସବୁଦିନେ ରାଜ୍ୟ ସରକାର ତଥା ବିଜେଡିକୁ ଗାଳି କରୁଛନ୍ତି। ରାଜ୍ୟବାସୀଙ୍କୁ ଭୁଲ୍ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି। ତେଣୁ ଏଭଳି ଦୋମୁହାଁ ନେତାଙ୍କୁ ଆଗାମୀ ନିର୍ବାଚନରେ ଜବାବ୍‌ ଦେବାକୁ ଡ. ସାହୁ ଆହ୍ବାନ ଦେଇଥିଲେ। ପୂର୍ବତନ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ନୟାଗଡ଼ର ଉନ୍ନତିରେ ବିଜେଡିର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୋଲାପ ଦଳବେହେରା, ଉପାଧ୍ୟକ୍ଷ ସୁବାସ କଅଁର, ଯୁବ ବିଜେଡି ସଭାପତି ରମେଶ ସାହୁ, ବିଜେଡି ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ଜୟଶ୍ରୀ ଦାସ, ରାଜ୍ୟ ଉପସଭାନେତ୍ରୀ ପ୍ରଭାସିନୀ ନନ୍ଦ, ସମ୍ପାଦିକା ମାଳତୀ ଗୁରୁ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ପଦଯାତ୍ରାରେ ସାମିଲ ହୋଇଥିଲେ।