ଗାନ୍ଧୀଙ୍କ ସ୍ମୃତିରେ ଗଢ଼ା ହେଲା ‘ସମାଜ ସେବା ଶାଖା’, ଆରମ୍ଭ ହେଲା ବିଜେଡି ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର : ଗାନ୍ଧୀ ଥିଲେ ସେବା ଓ ସଂଗ୍ରାମର ପ୍ରତୀକ। ତ‌ାଙ୍କର ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ବିଜେଡି ଆରମ୍ଭ କରିବ ‘ସମାଜ ସେବା ଶାଖା’। ଏହି ଶାଖା ବୃକ୍ଷରୋପଣ, ରକ୍ତଦାନ, ସ୍ବାସ୍ଥ୍ୟ ସହାୟତା ଆଦି କ୍ଷେତ୍ରରେ କାର୍ଯ୍ୟ କରିବ। ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବା ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଓଡ଼ିଶାକୁ ସ୍ବଚ୍ଛ ଓ ସବୁଜ ରଖିବା ସହ ରାଜ୍ୟବାସୀଙ୍କୁ ସୁସ୍ଥ ରଖିବା ଆମର ଲକ୍ଷ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀର କାର୍‌ଗିଲ୍‌ ବସ୍ତିରୁ ବିଜେଡିର ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଶ୍ରୀ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରି ଦଳୀୟ ନେତା, ମନ୍ତ୍ରୀ ଓ କର୍ମୀଙ୍କ ଗହଣରେ କିଛି ବାଟ ଚାଲିଥିଲେ। ତାହା ପରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେଇ ସେ କହିଥିଲେ, ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଆମର କର୍ମୀ ଭାଇଭଉଣୀମାନଙ୍କ କଠିନ ପରିଶ୍ରମ ଯୋଗୁ ବିଜେଡି ସରକାର ପୁଣି ଥରେ ଲୋକଙ୍କ ସେବାର ସୁଯୋଗ ପାଇଛି। ଆମର ପଦଯାତ୍ରା ଲୋକଙ୍କୁ ଭେଟିବା ପାଇଁ ଏକ ସୁଯୋଗ। ଏହି ସମୟରେ ଆପଣ ଦୁଇଟି ବିଷୟ ଉପରେ ଫୋକସ୍‌ କରନ୍ତୁ। ପ୍ରଥମେ ଲୋକଙ୍କ ସମସ୍ୟା ବୁଝନ୍ତୁ ଓ ଦ୍ବିତୀୟରେ ସରକାରଙ୍କ ଭଲ କାମକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, କିଛି ବର୍ଷ ତଳେ ଆମେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଆଜି ଏହା ସାରା ରାଜ୍ୟ‌ରେ ଏକ ସଫଳ ରକ୍ତଦାନ ଆନ୍ଦୋଳନ ହୋଇପାରିଛି। ଆମେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୟୁନିଟ୍‌ ରକ୍ତ ଲୋକଙ୍କ ଜୀବନ ରକ୍ଷା ପାଇଁ ଦେଇପାରିଛୁ। ଆମର ଏହି ଆନ୍ଦୋଳନରେ ବହୁ ଲୋକ ସାମିଲ୍‌ ହୋଇ ଏହାକୁ ଶକ୍ତିଶାଳୀ କରିଛନ୍ତି। ଆଗାମୀ ଦିନରେ ଦଳର ସାମାଜିକ ସେବା କାର୍ଯ୍ୟକ୍ରମକୁ ଆହୁରି ମଜବୁତ୍ କରିବାକୁ ସେ ଆହ୍ବାନ ଦେଇଥିଲେ।

ଏକାମ୍ର ବିଧାୟକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସଭାରେ ଅଧ୍ୟକ୍ଷତା କରି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ସୁଫଳ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ପାଣିଗ୍ରାହୀ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସାଂସଦ ଅମର ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ ବିଜୟ ମହାନ୍ତି, ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ବିଜୁ ଯୁବ ଜନତା ରାଜ୍ୟ ସଭାପତି ଅମରେଶ ପତ୍ରୀ, ଛାତ୍ର ସଭାପତି ରାଣା ପ୍ରତାପ ପାତ୍ର, ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନା, କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ଯୁବ ନେତା ରଣଜିତ ମହାପାତ୍ର, ସନ୍ତୋଷ ବେଜ୍ ଓ ଦୁର୍ଗା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର