ବିଜେଡି ଜନସମ୍ପର୍କ ପଦଯାତ୍ରା ଉଦ୍‌ଯାପିତ, ବାପୁଜୀ ଓ ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ଅନୁପ୍ରାଣିତ

ଭୁବନେଶ୍ବର: ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ(ବିଜେଡି)ର ଜନସମ୍ପର୍କ ପଦଯାତ୍ରା ଆଜି ଉଦ୍‌ଯାପିତ ହୋଇଛି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ସାଲିଆସାହିଠାରେ ଅନୁଷ୍ଠିତ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକଙ୍କ ପାଖକୁ ଯାଇ ସେବା କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ବିଜେଡି ପଞ୍ଚମ ଥର ପାଇଁ ସେମାନଙ୍କ ସେବା କରିବାର ସୁଯୋଗ ପାଇଛି। ‘ସେବା’ କରିବାରେ ବିଶ୍ବାସ କରୁଥିବା ବିଜେଡି ବାପୁଜୀ ଓ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ। ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜସେବା ସହ ସ୍ବଚ୍ଛ, ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ। ରକ୍ତଦାନଠାରୁ ଆରମ୍ଭ କରି ବୃକ୍ଷରୋପଣ ପର୍ଯ୍ୟନ୍ତ ଓ ପ୍ରବାସୀ ଓଡ଼ିଆଙ୍କ ଅସୁବିଧା ସମୟରେ କିଭଳି ସହଯୋଗର ହାତ ବଢ଼ା ଯାଇପାରିବ, ସେ ଦିଗରେ କାର୍ଯ୍ୟ କରିବାକୁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କର୍ମୀମାନଙ୍କୁ ନିର୍ଦେଶ ଦେଇଥିଲେ।

ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଢୁଛି। ‘୫-ଟି’ ଦ୍ବାରା ପ୍ରାଶାସନିକ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିପାରିଛି। ଦଳକୁ ଆହୁରି ସୁଦୃଢ଼ କରିବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ କହିଲେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏବେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ସେ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାହାକୁ ସାକାର କରିବା ପାଇଁ ସମସ୍ତେ ଏକାଠି ହେବାର ସମୟ ଆସିଛି। ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ୧୯୯୯‌ ମହାବାତ୍ୟା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ବିକାଶର ସ୍ବପ୍ନ ଦେଖିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ୨୦ ବର୍ଷ ହେଲା ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସ ରହିଛି।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଦୀପ୍ତ ପାଣିଗ୍ରାହୀ, ବିଧାୟକ ତଥା ଖୋର୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରଣବ ବଳବନ୍ତରାୟ, ‘ଓଡ଼ିଶା-ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ, ବିଜେଡି ନେତା ବିଜୟ ନାଏକ, ରବି ସାମଲ, ଅମରେଶ ପତ୍ରୀ, ଚିନ୍ମୟ ସାହୁ, ସଂଗ୍ରାମ କେଶରୀ ପାଇକରାୟ, ଦୁର୍ଗା ସାମନ୍ତରାୟ, ବିରଞ୍ଚି ନାରାୟଣ ମହାସୂପକାର, ରାଣାପ୍ରତାପ ପାତ୍ର, ଅମରଜିତ୍‌ ସେନାପତି, ଭାରତୀ ସିଂ, କଳ୍ପତରୁ ଓଝା ପ୍ରମୁଖ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ। ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା, କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର ଓ ସମରେନ୍ଦ୍ର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଉତ୍ସବରେ ପୂର୍ବତନ କର୍ପୋରେଟର୍‌ଙ୍କ ସମେତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୫ଟି ୱାର୍ଡ ଓ ୫ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର