କଟକ: କଟକ ବିଜେଡିର ଦୁଇ ବରିଷ୍ଠ ନେତାଙ୍କ କନ୍ଦଳରେ ‌ଏବେ ଯୋଡ଼ି ହୋଇ ଯାଇଛନ୍ତି ଦଳର ଛାମୁଆ ସଙ୍ଗଠନର କର୍ମକର୍ତ୍ତା। ପ୍ରଥମେ ବବି, ପାଣ୍ଡିଆନଙ୍କୁ ନେଇ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ବକ୍ତବ୍ୟ ଏବଂ ପ୍ରଭାତଙ୍କୁ ରାଜ୍ୟସଭା ସଦସ୍ୟ ତଥା କଟକ ଜିଲ୍ଲା ବିଜେଡିର ସଭାପତି ଦେବାଶିଷ ସାମନ୍ତରାୟଙ୍କ ସମାଲୋଚନା ପରେ ଏବେ ସିଧାସଳଖ ଭାବେ ଦେବାଶିଷଙ୍କୁ ଆକ୍ଷେପ କରିବା ଆରମ୍ଭ କରିଛନ୍ତି ‌ବିଜେଡି ସଙ୍ଗଠନରେ ବିଭିନ୍ନ ପଦପଦବିରେ ଥିବା ପ୍ରଭାତଙ୍କ ସମର୍ଥକ। ପ୍ରେସ ବିବୃତି ଆଉ ସାମାଜିକ ଗଣମାଧ୍ୟମରେ ଦେବାଶିଷଙ୍କୁ କଡ଼ା ଭାଷାରେ ସମାଲୋଚନା କରି ପ୍ରଭାତଙ୍କ ସମର୍ଥକମାନେ ଆଜି ବୟାନ ଦେବା ଆରମ୍ଭ କରିଛନ୍ତି। ଏଭଳି ବୟାନବାଜି ଏବେ ବିଜେଡି କନ୍ଦଳକୁ ଧୀରେ ଧୀରେ ଜଟିଳ କରୁଛି।

Advertisment

ନଗର ବିଜେଡି ସାଧାରଣ ସଂପାଦକ ତାପସ ମହାନ୍ତି, ଉପସଭାପତି ରାଜେନ୍ଦ୍ର ରଣା, ସଞ୍ଜୟ ଜେନା, ଆଶିଷ ସ୍ବାଇଁ, ସଞ୍ଜୀବ ଦାସ, ପ୍ରଦ୍ୟୁମ୍ନ ବରାଳ, ପ୍ରଭାକର ନନ୍ଦ, ବିଭୂତି ସ୍ବାଇଁ, କଟକ ଅର୍ବାନ କୋପରେଟିଭ୍ ବ୍ୟାଙ୍କର ନିର୍ଦ୍ଦେଶକ ନୀଳମଣି କର, ହିମାଂଶୁ ଷଡ଼ଙ୍ଗୀ, ସରୋଜ ପ୍ରସାଦ ନନ୍ଦ ଆଜି ଏକ ପ୍ରେସ ବିବୃତି ଜରିଆରେ ଦେବାଶିଷଙ୍କ ବକ୍ତବ୍ୟର ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଯେ ବିଜେପି ସପକ୍ଷରେ ସାଧାରଣ ନିର୍ବାଚନରେ ପ୍ରବଳ ଜନମତ ରହିଥିଲେ ବି ପ୍ରଭାତ ବିଶ୍ବାଳଙ୍କ ସାଙ୍ଗଠନିକ ଦକ୍ଷତା ବଳରେ ଚୌଦ୍ବାର-କଟକରେ ତାଙ୍କ ପୁଅ ସୌଭିକ ବିଶ୍ବାଳ ୧୮ ହଜାର ପାଖାପାଖି ଭୋଟରେ ବିଜୟୀ ହୋଇଛନ୍ତି। କିନ୍ତୁ ଦେବାଶିଷଙ୍କ ନିଜ ନିର୍ବାଚନ ମଣ୍ଡଳୀ ବାରବାଟୀ-କଟକରେ ବିଜେଡି ବିଧାୟକ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି। ଦେବାଶିଷ ନିଜ ସ୍ଥିତିକୁ ଭୁଲି ପ୍ରଭାତଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେମାନେ କହିଛନ୍ତି। ସେହିଭଳି ପ୍ରଭାତ ସିବିଆଇ ଭୟରେ ହୁଏତ ଅନ୍ୟ ଦଳକୁ ଢଳୁଛନ୍ତି ବୋଲି ଦେବାଶିଷ ଦେଇଥିବା ମନ୍ତବ୍ୟର ସମାଲୋଚନ କରି ଏହି ଛାମୁଆ ନେତାମାନେ କହିଛନ୍ତି ଯେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଆସ୍ଥା ଗ୍ରୁପର ସିଏମଡି ଶୁଭ୍ରାଂଶୁ ଲେଙ୍କାଙ୍କର ମୁଖ୍ୟ ପୃଷ୍ଠପୋଷକ ହେଉଛନ୍ତି ଦେବାଶିଷ ବାବୁ। ତାଙ୍କ ଡ୍ରାଇଭର ପିଲାସ୍କି ସ୍ବାଇଁ ୧୦ ହଜାର ଟଙ୍କା ଦରମାରେ କାମ କରୁଥିବା ବେଳେ ତା’ ନାମରେ କେମିତି ମର୍ସିଡିଜ୍ ଗାଡ଼ି ରହିଥିଲା, ଏବଂ ସେଥିରେ କାହାର ମୁଖ୍ୟ ଭୂମିକା ରହିଥିଲା, ତାହା ସିବିଆଇ ସ୍କାନରେ ରହିଛି। ପିଲାସ୍କି ଏବେ ମୃତ ନା ଜୀବତ, ତାହାକୁ ନେଇ ବି ଓଡ଼ିଶାର ଲୋକ ଜାଣିବାକୁ ଚାହୁଁଛନ୍ତି।

ଲାନକୋ ସହିତ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ହଡ଼ପ ଘଟଣାର ବି ତଦନ୍ତ ଦାବି ହେଉଛି। ତେଣୁ ଏଭଳି ସ୍ଥିତିରେ ଦେବାଶିଷ ବାବୁ ପ୍ରଭାତଙ୍କ ଆଡ଼କୁ ଆଙ୍ଗୁଳି ଉଠାଇବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି। ଏମିତିକି ବିଜେଡିକୁ ‌ବାରବାଟୀ-କଟକରେ ତୃତୀୟ ସ୍ଥାନରେ ରଖିବା, ନିଜେ ସିବିଆଇ ସ୍କାନରରେ ଥିବାରୁ ଦେବାଶିଷ ବାବୁ ବିଜେପି ଆଡକୁ ଢଳିବା ସନ୍ଦେହ କରାଯାଉଛି ବୋଲି ଉପସଭାପତି ରାଜେନ୍ଦ୍ର ରଣା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିବା ସହିତ ବିଜେଡି ଜିଲ୍ଲା ସଭାପତି ଭାବେ ଦଳର ବିପର୍ଯ୍ୟୟ ପାଇଁ ଦେବାଶିଷଙ୍କୁ ଦାୟୀ କରିଛନ୍ତି। ରାଜେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ ଦଳର ନିର୍ଦ୍ଦିଷ୍ଟ ଯେଉଁ ଦୁଇ ଜଣ ନେତା ଦଳକୁ ପରିଚାଳନା କରୁଥିଲେ ସେମାନେ ବିପର୍ଯ୍ୟୟ ପାଇଁ ଦାୟୀ। ଦଳର କର୍ମୀମାନଙ୍କ ସମୀକ୍ଷା ବୈଠକରେ ପ୍ରଭାତ ବାବୁ ଯେଉଁ ଦୁଇ ନେତାଙ୍କ ଉଦ୍ଦେଶ୍ୟରେ କହିଥିଲେ, ତାହାକୁ ଦେବାଶିଷ ବାବୁ ନ ବୁଝି ପାରି ଏଭଳି ହାସ୍ୟାସ୍ପଦ ବିବୃତି ଦେଉଛନ୍ତି ବୋଲି ରାଜେନ୍ଦ୍ର କହିଛନ୍ତି।