ପୌର ନିର୍ବାଚନ ଗଣତି ଜାରି: ୭୫ ଆସନରେ ବିଜେଡି, ୧୭ ଆସନରେ ବିଜେପି ଆଗୁଆ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଗୋଟିଏ ପରେ ଗୋଟିଏ ଟ୍ରେଣ୍ଡ୍ ଆସୁଛି। ଦିନ ୧ଟା ୧୦ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ ମେୟର ଓ ପୌରାଧ୍ୟକ୍ଷ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି  । ଏବେର ଟ୍ରେଣ୍ଡରେ ୭୫ଟି ଆସନରେ ବିଜେଡି ଆଗୁଆ ରହିଥିବାବେଳେ ବିଜେପି ୧୭ ଆସନରେ ଆଗେଇ ଚାଲିଛି  । ସେହିପରି  ୯ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ଆଗରେ ରହିଛନ୍ତି  ।
ଅନ୍ୟପଟେ ପଞ୍ଚାୟତ ଭଳି ପୌର ନିର୍ବାଚନରେ କଂଗ୍ରେସ ‘ହାତ’ ପଛରେ ପଡ଼ିଛି  । ଦଳ ଏଯାବତ୍ ୭ଟି ଆସନରେ ଧିରେ ଧିରେ ଆଗୁଆ। ତେବେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି  । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି  ।
ପ୍ରତି ଟେବୁଲରେ ଜଣେ କାଉଁଟିଂ ଅଫିସର, ଜଣେ କାଉଁଟିଂ ଆସିଷ୍ଟାଂଟ ଓ ସହାୟତା କରିବାକୁ ଜଣେ ଗ୍ରୁପ-ଡି କର୍ମଚାରୀ ନିୟୋଜିତ ଅଛନ୍ତି  । କାଉନସିଲର ଓ କର୍ପୋରେଟର ଭୋଟ ଗଣତି ପାଇଁ ପ୍ରତି ୱାର୍ଡରେ ଜଣେ ଲେଖାଏଁ ଏଜେଂଟ ମଧ୍ୟ ରହିଛନ୍ତି। ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କାହାକୁ ଭୋଟ ଦେଇଛନ୍ତି ସହରୀ ଭୋଟର ।
ସମ୍ବନ୍ଧିତ ଖବର