ଗଞ୍ଜାମରେ ୨୦ରେ ବିଜେଡି, ୨ ଜୋନ୍‌ରେ ବିଜେପି ଆଗରେ

ବ୍ରହ୍ମପୁର: ଆଜିଠାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ୬୯ଟି ଜିଲ୍ଲା ପରିଷଦ ଜୋନ୍‌ ରହିଥିବା ବେଳେ ଆଜି ପ୍ରଥମ ଦିନରେ ୨୨ଟି ବ୍ଲକରେ ୨୨ଟି ଜୋନ୍‌ର ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ୍‌ ପରେ ଦିନ ଗୋଟାଏ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ବିଜେଡି ଆଗୁଆ ରହିଛି। ବିଜେଡି ୨୦ଟି ଜୋନ୍‌ରେ ଆଗୁଆ ରହିଥିବା ବେଳେ ବିଜେପି ପୋଲସରା ବ୍ଲକର ୩୮ନମ୍ବର ଜୋନ୍‌ ଓ ରଂଗେଇଲୁଣ୍ଡା ବ୍ଲକର ୫୩ନମ୍ବର ଜୋନ୍‌ରେ ବିଜେପି ଆଗୁଆ ରହିଛି। ଗଣତି ପାଇଁ ପ୍ରଶାସନ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେହିପରି କନ୍ଧମାଳ ଜିଲ୍ଲାର ମୋଟ ୧୮ଟି ଜୋନ୍‌ରୁ ୧୨ଟି ବ୍ଲକର ୧୨ଟି ଜୋନ୍‌ର ଗଣତି ଚାଲିଛି। କୋଟଗଡ଼ ବ୍ଲକର ୨ନମ୍ବର ଓ ରାଇକିଆ ବ୍ଲକର ୧୭ନମ୍ବର ଜୋନ୍‌ରେ କଂଗ୍ରେସ ଆଗୁଆ ରହିଛି। ବାକି ରହିଥିବା ୧୦ଟି ଜୋନ୍‌ରେ ବିଜେଡି ଆଗୁଆ ରହିଛି। ସେହିଭଳି ଗଜପତି ଜିଲ୍ଲାର ୧୪ଟି ଜୋନ୍‌ ମଧ୍ୟରୁ ୭ଟି ବ୍ଲକରେ ୭ଟି ଜୋନ୍‌ର ଗଣତି ଚାଲିଛି। କାଶୀନଗର ବ୍ଲକ ୧ନମ୍ବର ଜୋନ୍‌ରେ ପ୍ରଥମ ରାଉଣ୍ଡ୍‌ରେ ବିଜେପି ଆଗୁଆ ଥିଲା ବେଳେ ଦ୍ବିତୀୟ ରାଉଣ୍ଡ୍‌ରେ ବିଜେଡି ଆଗୁଆ ରହିଛି। ଗୁମ୍ମା ବ୍ଲକ ୩ନମ୍ବର ଜୋନ୍‌, ରା.ଉଦୟଗିରି ବ୍ଲକ ୧୧ନମ୍ବର ଜୋନ୍‌, ନୂଆଗଡ଼ ବ୍ଲକ ୫ନମ୍ବର ଜୋନ୍‌ରେ କଂଗ୍ରେସ ଆଗୁଆ ରହିଛି। ମୋହନା ବ୍ଲକ ୮ନମ୍ବର ଜୋନ୍‌ ଓ ରାୟଗଡ଼ ବ୍ଲକ ୧୩ନମ୍ବର ଜୋନ୍‌ରେ ବିଜେଡି ଆଗୁଆ ରହିଛି। ଦିନ ଭୋଟାଏ ସୁଦ୍ଧା ହସ୍ତଗତ ରିପୋର୍ଟ ଅନୁସାରେ ଗଣତିର ପ୍ରଥମ ରାଉଣ୍ଡ ସୁଦ୍ଧା ଏହି ଫଳାଫଳ ହସ୍ତଗତ ହୋଇଛି।

ସମ୍ବନ୍ଧିତ ଖବର