ପଶ୍ଚିମ ଓଡ଼ିଶାରେ ଆରମ୍ଭରୁ ବିଜେପି ନିରାଶ, ବିଜେଡିରେ ଉତ୍ସାହ

ସମ୍ବଲପୁର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗଣତି ଚାଲିଥିବାବେଳେ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତିତ ରାଜନ‌ୈତିକ ସ୍ଥିତିରେ ରୋମାଞ୍ଚକର ପରିଲକ୍ଷିତ ହେଉଛି। ପଶ୍ଚିମ ଓଡ଼ିଶାରେ ବିଜେଡି ଆଗୁଆ ରହୁଥିବା ଜଣାପଡ଼ିଛି। କିନ୍ତୁ ଏଯାଏ କେତେକ ଜୋନରେ ପ୍ରଥମ ରାଉଣ୍ଡ ଏବଂ କେଉଁଠି କେମିତି ‌ଦ୍ବିତୀୟ ରାଉଣ୍ଡ ଗଣତି ସରିଛି ତେବେ, ସବୁଦଳ ମଧ୍ୟରେ ଉତ୍ସାହ ଲାଗି ରହିଛି। ଆଜି ପ୍ରଥମ ଦିନ ଗୋଟାଏ ଯାଏ ମିଳିଥିବା ଚିତ୍ର ଅନୁସାରେ ଜିଲ୍ଲା ପରିଷଦରେ ପ୍ରାୟ ସମସ୍ତ ଜିଲ୍ଲାରେ ବିଜେଡି ଆଗୁଆ ରହିଛି। ମାତ୍ର କେତୋଟି ଜୋନରେ ବିଜେପି ଆଗରେରେ ରହି ଦଳର ନେତା ଓ କର୍ମୀଙ୍କ ପାଇଁ ଆଶ ସଂଚାର କରିଛି। କଂଗ୍ରେସର ସ୍ଥିତି ମଧ୍ୟ ସବୁ ଜିଲ୍ଲାରେ ଦୁର୍ବଳ ଥିବା ଟ୍ରେଣ୍ଡ ଫଳାଫଳରୁ ଜଣାପଡ଼ିଛି। ତେବେ କଂଗ୍ରେସ କେତେକ ଜୋନ୍‌ରେ ଦ୍ବିତୀୟ ସ୍ଥାନରେ ରହିଛି। ୨୦୧୭ ନିର୍ବାଚନରେ ୬ ଜିଲ୍ଲା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର ଓ ଦେବଗଡ଼ରେ ବିଜେପି ବାଜିମାତ କରି ଜିଲ୍ଲାପରିଷଦ ଗଠନ କରିଥିଲା। ବିଜେଡିକୁ ବୌଦ୍ଧ ଓ ନୂଆପଡ଼ା ଭଳି ଦୁଇଟି ଛୋଟ ଜିଲ୍ଲାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କଂଗ୍ରେସ କେବଳ ଝାରସୁଗୁଡ଼ାରେ ସୀମିତ ରହିଥିଲା। ଏଯାଏ ହୋଇଥିବା ଭୋଟ ଗଣତି ଅନୁସାରେ ଚିତ୍ର ସଂପୂର୍ଣ୍ଣ ଓଲଟପାଲଟ ହେବାର ଅନୁମାନ କରାଯାଉଛି। ଯାହା ବିଜେପି ଶିବିରରେ ନୈରାଶ ଆଣି ଦେଇଛି।

ସମ୍ବଲପୁର: ବିଜେପିକୁ ପଛରେ ପକାଇଲା ବିଜେଡି
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଗଣତି ଜାରି ରହିଛି। ଆସୁଥିବା ଟ୍ରେଣ୍ଡ୍‌ରେ ବିଜେଡି ଅନ୍ୟ ଦୁଇ ଦଳକୁ ବହୁ ପଛରେ ପକାଇ ଆଗେଇ ଚାଲିଛି। ଦ୍ବିତୀୟ ରାଉଣ୍ଡ ଗଣତି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ବିଜେପିକୁ ଜୋରଦାର ଝଟ୍‌କା ଲାଗିଛି। ଏହି ଜିଲ୍ଲାରେ ଗତ ନିର୍ବାଚନରେ ବିଜେପି ବିପୁଳ ବିଜୟଲାଭ କରିଥିଲା। ମାତ୍ର ଚଳିତ ନିର୍ବାଚନରେ ଜିଲ୍ଲାବାସୀ ବିଜେପି ଉପରେ ସନ୍ତୁଷ୍ଟ ନଥିବା ମନେ ହେଉଛି। ଆସୁଥିବା ଟ୍ରେଣ୍ଡ ଅନୁଯାୟୀ ରେଢ଼ା‌ଖୋଲ ଜୋନ୍‌-୧କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜୋନ୍‌ରେ ବିଜେପି ଆଗୁଆ ରହିଛି। ରେଙ୍ଗାଲି, ମାନେଶ୍ବର, ଯୁଯୁମୁରା, କୁଚିଣ୍ଡା, ନାକ୍‌ଟିଦେଉଳ, ଧନକଉଡ଼ା, ବାମରା, ଜମନକିରାରେ ବିଜେଡି ଆଗୁଆ ରହିଥିବା ଆସୁଥିବା ଟ୍ରେଣ୍ଡ୍‌ରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ସବୁ ଜୋନ୍‌ରେ କଂଗ୍ରେସର ସ୍ଥିତି ସଂପୂର୍ଣ୍ଣ ଶୋଚନୀୟ ହୋଇ ପଡ଼ିଛି। ମିଳୁଥିବା ଟ୍ରେଣ୍ଡରୁ ଏଥର ବିଜେଡି ସମ୍ବଲପୁର ଜିଲ୍ଲାପରିଷଦ ସଭାପତି ଆସନକୁ ବିଜେପି ହାତରୁ ଛଡ଼ାଇ ଆଣିବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ଜିଲ୍ଲାର ବିଜେପି ନେତାମାନଙ୍କୁ ଶକ୍ତ ଧକ୍କା ଲାଗିଛି।

ଝାରୁସୁଗୁଡ଼ା: ବିଜେଡି ଜିରୋରୁ ହିରୋ
ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବିଜେଡି ତାର ବିଜୟ ବାନା ଉଡ଼ାଇଛି। ଜିଲ୍ଲାର ସମସ୍ତ ଜୋନ୍‌ରେ ଦଳ ତାର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରର୍ଥୀଙ୍କୁ ପଛରେ ପକାଇ ବିଜେଡି ଆଗୁଆ ରହିଛି। ଝାରସୁଗୁଡ଼ା ସଦର ବ୍ଳକ୍‌ ସମେତ, ଲଖନପୁର, ଲଇକେରା, କର୍ମିରା, କୋଲାବିରା ବ୍ଲକ୍‌ର ଜୋନ୍‌-୧ରେ ବିଜେଡିର ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ଗତଥର ଜିଲ୍ଲାପରିଷଦ ଗଠନ କରିଥିବା କଂଗ୍ରେସ ଚଳିତ ନିର୍ବାଚନର ସମସ୍ତ ଜୋନ୍‌ରେ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ନେତୃତ୍ବରେ ଲଢ଼ଇେ କରୁଥିବା ବିଜେଡି ଏକପାଖିଆ ଭାବେ ସବୁ ଜୋନ୍‌କୁ ଦଖଲ କରି ନେବାର ସମ୍ଭାବନା ସୃଷ୍ଟି ହୋଇଛି। ଗତ ୨୦୧୭ ନିର୍ବାଚନରେ କଂଗ୍ରେସ ୯ଟି ଜୋନ୍‌ରୁ ୮ଟିରେ ବଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଜୋନ୍‌ରେ ବିଜୟୀ ହୋଇଥିଲା। ବିଜେଡି ଜିରୋରୁ ହିରୋ ହେବା ନିଶ୍ଚିତ ହୋଇଛି।

ବରଗଡ଼ରେ ଗଡ଼ ହରାଇବ ବିଜେପି
ବରଗଡ଼ ଜିଲ୍ଲାରେ ମଧ୍ୟ ବିଜେପି ସେପରି ଅଖିଦୃଶିଆ ପ୍ରଦର୍ଶନ କରୁ ନଥିବା ଦେଖାଯାଇଛି। ଏଠାରେ ମଧ୍ୟ ବିଜେପିର ଗଡ଼ ଭୁଶୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ଜିଲ୍ଲାର ୩ଟି ବ୍ଲକ୍‌ ପଦ୍ମପୁର, ଗାଇସିଲେଟ ଓ ପାଇକମାଳରେ ବିଜେପି ଆଗୁଆ ଥିବା ଦେଖାଯାଇଛି। ତେବେ ଅନ୍ୟ ସମସ୍ତ ବ୍ଲକ୍‌ର ଜୋନ୍‌-୧ରେ ବିଜେଡି ଭଲ ପ୍ରଦର୍ଶନ କରୁଛି। ଦ୍ବିତୀୟ ରାଉଣ୍ଡ ଗଣତି ସୁଦ୍ଧ ବିଜେଡି ୧୨ଟି ବ୍ଲକ୍‌ରୁ ୯ଟି ବ୍ଲକ୍‌ରେ ଆଗୁଆ ରହିଛି। ଏହାକୁ ଦେଖିଲେ ବିଜେଡି ଏଠାରେ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ୨୦୧୭ରେ ବିଜେପି ୩୪ ଜୋନ୍‌ରୁ ୨୫ରେ ବିଜୟ ଲାଭ କରି ଜିଲ୍ଲାପରିଷଦ ଗଠନ କରିଥିଲା। ବିଜେଡି ୯ଟି ଆସନ ପାଇଥିଲା।

ବଲାଙ୍ଗୀରେ ବଡ଼ ବିଜୟ ପଥରେ ବିଜେଡି
ବଲାଙ୍ଗୀର ଜିଲ୍ଲାରେ ଚଳିତ ନିର୍ବାଚନ ବିଜେଡି ଭଲ ପ୍ରଦର୍ଶନ କରୁଥିବା ପ୍ରଥମ ଦିନର ଗଣତିରୁ ଜଣାପଡ଼ିଛି। ଏଠାରେ ବିଜେଡି ବଡ଼ ବିଜୟ ପଥରେ ଆଗେଇ ଚଲୁଥିବା ଦେଖାଯାଇଛି। ବଲାଙ୍ଗୀର, ପୁଇନ୍ତଲା, ମୁରିବାହାଲ, ତୁରେକେଲା, ବେଲପଡ଼ା, ଲୋଇସିଂହା, ଆଗଲପୁର, ଟିଟିଲାଗଡ଼, ସଇନ୍ତଳାରେ ପ୍ରଥମ ରାଉଣ୍ଡରେ ବିଜେଡ଼ି ଆଗୁଆଥିବାବେଳେ ଗୁଡଭେଲା, ‌ଦେଓଗାଁ, ପାଟଣାଗଡ଼ରେ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ମଧ୍ୟ ବିଜେଡିରେ ଆଗରେ ରହିଥିଲା। ଖପ୍ରାଖୋଲରେ ପ୍ରଥମ ରାଉଣ୍ଡ ଓ ବଙ୍ଗୋମୁଣ୍ଡା ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ ରହିଛି। ତେବେ, ବଙ୍ଗୋମୁଣ୍ଡାରେ ବିଜେଡିକୁ ପଛରେ ପକାଇ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି।

କଳାହାଣ୍ଡି: ବିଜେପିକୁ ବି ମିଳୁନି ଆଖିଦୃଶିଆ ସଫଳତା
ସେହିପରି କଳହାଣ୍ଡି‌ ଜିଲ୍ଲାରେ ଯାହା ଆଶା କରାଯାଉଥିଲା ତାର ଫଳ ଅଲଗା ହୋଇଛି। ଜିଲ୍ଲାର କେସିଂଗା, ଗୋଲାମୁଣ୍ଡା, କୋକସରା, ନର୍ଲା, ମ.ରାମପୁର, କର୍ଲାମୁଣ୍ଡା, ଲା‌ଞ୍ଜିଗଡ଼, ଜୁନାଗଡ଼ ଓ ଥୁଆମୂଳ ରାମପୁର ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ରହିଛି। ଜୟପାଟଣା, ଧର୍ମଗଡ଼ ଓ କଲମପୁର ବ୍ଲକରେ ବିଜେପି ଆଗୁଆ ସ୍ଥିତିରେ ରହିଛି। କେବଳ ଲାଞ୍ଜିଗଡ଼ରେ ବିଜେପିକୁ ପଛରେ ପକାଇ କଂଗ୍ରେସ ଦ୍ବିତୀୟ ରହିଛି।

ସମ୍ବନ୍ଧିତ ଖବର