ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଖର୍ସନମାଲ ଗାଁରୁ ବିଜେଡି ଯୁବନେତାଙ୍କୁ ଅପହରଣ ମାମଲାରେ ପୁଲିସ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝୀଙ୍କ ସମେତ ୭ଜଣଙ୍କୁ ଗିରଫ କରିଛି। ରବିବାର ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
ପୁଲିସ କହିଛି, ଶନିବାର ବିଜେଡି ଯୁବନେତା ନିଶାନ୍ତ ଦୀକ୍ଷିତ ଖର୍ସନମାଲକୁ ଦଳୀୟ ପୋଲିଂ ଏଜେଣ୍ଟଙ୍କ ପାଖକୁ ଯାଇଥିଲେ। ନିଶାନ୍ତ ଖର୍ସନମାଲ ଗାଁରେ ଛିଡ଼ା ହୋଇଥିବା ଦେଖି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସମ୍ୱଲପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ ଏବଂ ତାଙ୍କ ଅନ୍ୟ ୬ ଜଣ ସହଯୋଗୀ ଏକ ସ୍ଵିଫ୍ଟ କାର୍ (ଓଡ଼ି ୦୨ ଏଚ୍- ୧୫୨୦) ଓ ଏକ ବଲେରୋ ଗାଡ଼ି (ଓଡ଼ି୧୫ କ୍ୟୁ -୮୭୭୩)ରେ ତାଙ୍କୁ ଅପହରଣକରି ନେଇଥିଲେ। ନିଶାନ୍ତଙ୍କୁ ଗାଳିଗୁଲଜ କରିବା ସହିତ ପ୍ରାଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ। ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥିନୀ ସୁଜାତା ଖୁଣ୍ଟିଆ ଜମନକିରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତ୍ବରିତ ପଦକ୍ଷେପ ନେଇଥିଲା।
ଅଭିଯୁକ୍ତମାନେ ଏ ସଂକ୍ରାନ୍ତରେ ଖବର ପାଇ ନିଶାନ୍ତଙ୍କୁ ଜଂଗଲ ମଧ୍ୟରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ତେବେ, ଘଟଣାରେ ସଂପୃକ୍ତ ଅଶ୍ବିନୀ ମାଝୀ ଓ ତାଙ୍କ ୭ ଜଣ ସହଯୋଗୀ ସମ୍ବଲପୁର ନଦୀପଡ଼ାର କୁମୁଦ ପ୍ରଧାନ, ମୁଦିପଡ଼ାର ଅଲେଖ ପ୍ରଧାନ, ଗୋପାଳମାଲର ଦେବାଶିଷ ପରଧିଆ, ଧନୁପାଲିର ଦୀନେଶ ସାହୁ, ବହିଦାରନୂଆପାଲିର ସୁଦୀପ୍ତ ପରିଡ଼ା ଓ ହୀରାକୁଦର ସଂଜୟ ଖଡ଼ିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାରେ ବ୍ୟବହୃତ ଦୁଇଟି ଗାଡ଼ିକୁ ବି ଜବତ କରାଯାଇଛି। ସେମାନଙ୍କ ନାମରେ ଜମନକିରା ଥାନାରେ ନଂ ୧୯/୨୨ରେ ଏକ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠେଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/arrest.jpg)