ଦାନ୍ତେୱାର୍ଡ଼ାରେ ନକ୍ସଲ-ରାଜନେତା ଲିଙ୍କ୍ ପର୍ଦ୍ଦାଫାସ, ବିଜେପି ନେତା ସହ ୨ ଗିରଫ

ମାଲକାନଗିରି : ଦୀର୍ଘ ଦିନ ହେଲା ନକ୍ସଲଙ୍କ ସାମଗ୍ରୀ ପରିବହନରେ ସହଯୋଗ କରି ଆସୁଥିଲେ। ଏହା ବଦଳରେ ମିଳୁଥିଲା ସୁରକ୍ଷା। ଠିକା କାମରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରୁ ନ ଥିଲେ ନକ୍ସଲ। ଏମିତି ଡିଲ୍ କରି ପରସ୍ପରକୁ ସହାୟତା କରି ଆସୁଥିଲେ। କିନ୍ତୁ ପୁଲିସର ସନ୍ଦେହୀ ନଜର ଏମାନଙ୍କ ଉପରେ ପଡ଼ିବା ପରେ ଗୋପନରେ ଚାଲିଥିବା କାରବାର ପଦାକୁ ଆସିଛି। ନକ୍ସଲ-ରାଜେନତାଙ୍କ ଏମିତି ଲିଙ୍କ ସାମ୍‌ନାକୁ ଆସିବା ପରେ ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ରାଜନେତା ଜଣଙ୍କ ଦନ୍ତେୱାଡ଼ା ଜିଲ୍ଲା ବିଜେପି ସଭାପତି ଜଗତ ପୂଜାରୀ ବୋଲି ଏସ୍‌ପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି। ତାଙ୍କ ସହ ରମେଶ ଉସେଣ୍ଡି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଦନ୍ତେଵାଡ଼ା ଜିଲ୍ଲା ବିଜେପି ଉପସଭାପତି ଜଗତ ପୂଜାରୀ ଏବଂ ରମେଶ ଉସେଣ୍ଡି ବହୁ ଦିନ ହେଲା ନକ୍ସଲଙ୍କ ସମର୍ଥକ ଭାବେ ସଂଗଠନକୁ ସହାୟତ କରି ଆସୁଥିଲେ। ଆବୁଜମାଡ଼ା ନକ୍ସଲ ସଂଗଠନକୁ ବିଭିନ୍ନ ସାମଗ୍ରୀ ପଠାଇବା ସହ ମାଲ୍ ପରିବହନ ପାଇଁ ଟ୍ରାକ୍ଟର ପ୍ରଦାନ କରୁଥିଲେ। ପ୍ରାୟ ୬ମାସ ତଳେ ଏନେଇ ଗୁଇନ୍ଦା ସୂଚନା ପୁଲିସକୁ ମିଳିବା ପରେ ଉଭୟଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଥିଲା। ଲକ୍‌ଡାଉନ୍‌ ସମୟରେ ଜଗତ ପୂଜାରୀ ନକ୍ସଲଙ୍କୁ ଖାଦ୍ୟ ସାମଗ୍ରୀ ସହ ଗୋଳାବାରୁଦ ପହଞ୍ଚାଇଥିଲେ। ବଦଳରେ ଠିକାଦାର ଭାବେ ବିଭିନ୍ନ ସରକାରୀ କାମ କରୁଥିବା ଜଗତ ପୂଜାରୀଙ୍କୁ ନକ୍ସଲ ସଂଗଠନ ସମର୍ଥନ କରୁଥିଲା। ବିଶେଷ କରି ସେ କରୁଥିବା କାମ ଗୁଡ଼ିକରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରାଯାଉ ନଥିଲା। ଏମିତି ପରସ୍ପରକୁ ସହାୟତା ଚାଲିଥିବା ମଧ୍ୟରେ ଆବୁଜମାଡ଼ା ନକ୍ସଲ ସଂଗଠନର କମାଣ୍ଡର ଅଜୟ ଆଲାମି ଗୋଟିଏ ଟ୍ରାକ୍ଟର ମାଲ୍ ପରିବହନ ପାଇଁ ଜଗତଙ୍କୁ ମାଗିଥିଲେ। ଏହାଦ୍ବାରା ସେମାନଙ୍କ ରାସନ ସହ ଅନ୍ୟାନ୍ୟ ସାମଗ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ ସୁବିଧା ହେବ ବୋଲି କୁହାଗଲା। ତେବେ ଏହି ଟ୍ରାକ୍ଟରକୁ ଜଗତ ନିଜ ନାମରେ କିଣିଲେ ପୁଲିସ ସଂଦେହ କରିବ। ତେଣୁ ନିଜ ନାମରେ ନ କିଣି ରମେଶ ଉସେଣ୍ଡିଙ୍କ ନାମରେ ଦନ୍ତେୱାଡ଼ାରୁ କିଣାଗଲା। ଏହାପରେ ଉକ୍ତ ଟ୍ରାକ୍ଟରକୁ ନକ୍ସଲଙ୍କୁ ହସ୍ତାନ୍ତର କରିବାକୁ ଦୁହେଁ ଜଙ୍ଗଲକୁ ଯାଇଥିଲେ। ପୂର୍ବରୁ ଏନେଇ ସୂଚନା ପାଇଥିବା ପୁଲିସ ଆତର୍କିତ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଛି। ଉଭୟଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି। ତଦନ୍ତ ପ୍ରକ୍ରିୟା ଶେଷ ହେବାପରେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଏନେଇ ବିଜେପି ଜିଲ୍ଲା ସଭାପତି ଚଇତରାମ ଆତାମିଙ୍କ କହିବା ହେଲା, ଜଗତ ପୂଜାରୀ ୫ବର୍ଷ ତଳେ ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଥିଲେ। ଯଦି ନକ୍ସଲଙ୍କୁ ସହାୟତା ଘଟଣାରେ ସତ୍ୟତା ରହିଥିବ ତେବେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର