ଭୁବନେଶ୍ବର : ବିଜେଡି ନେତା ତଥା ପୂର୍ବତନ ସାଂସଦ ଏନ୍‌.ଭାସ୍କର ରାଓଙ୍କ ବିରୋଧରେ ନକ୍ସଲମାନଙ୍କୁ ଅର୍ଥ ସହାୟତା ଦେଉଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ। ଏଭଳି ସଂଗିନ ଅଭିଯୋଗର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ରାଜ୍ୟ ସରକାର ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରିନ୍ତୁ। ନଚେତ୍ ଏହି ପ୍ରସଙ୍ଗକୁ ଧରି କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ପିସିସି ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ‌ବେହେରା।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ‌ବେହେରା କହିଲେ, ରାୟଗଡ଼ା ଟ୍ରକ୍ ମାଲିକ ସଂଘର ସଦସ୍ୟ ଗଣମାଧ୍ୟମ ସମ୍ମୁଖରେ ନକ୍ସଲମାନଙ୍କୁ ଅର୍ଥ ସହାୟତା ପାଇଁ ସେମାନଙ୍କଠାରୁ ଟ୍ରକ୍ ପିଛା ୫୦ ଟଙ୍କା ଚାନ୍ଦା ଆଦାୟ କରାଯାଉଥିବା କହିଛନ୍ତି। ଏହି ଅଭିଯୋଗ ସତ୍ୟ ହୋଇଥିଲେ ସାଂଘାତିକ। ପୂର୍ବତନ ସାଂସଦଙ୍କ ବିରୋଧରେ ଏପ୍ରିଲ ୧୮ ତାରିଖରେ ଟ୍ରକ ମାଲିକ ସଂଘ ରାୟଗଡ଼ା ଥାନାରେ ଆର୍ଥିକ ଅନିୟମିତତା ଓ ତୋଷାରପାତର ଅଭିଯୋଗ କରିଛନ୍ତି। ହେଲେ ପୁଲିସ ଉଭୟ କ୍ଷେତ୍ରରେ ନିରବ ରହିଛି। ତେଣୁ ଆଇନ ତା ବାଟରେ ଯାଉଛି ନା ବିଜେଡି ବାଟରେ ? ଏହି ଘଟଣାକୁ ୧୧ଦିନ ବିତି ଗଲାଣି। ଚଳିତମାସ ୨୫ ତାରିଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାଂସଦ ସପ୍ତଗିରି ଉଲ୍ଲାକା ଓ ଜିଲ୍ଲା ସଭାପତି ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ତଦନ୍ତ ଦାବି କରିଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ।

ସେ ଆହୁରିମଧ୍ୟ କହିଥିଲେ ଯେ ରାଜ୍ୟ ସରକାର କାହା ସ୍ବାର୍ଥରେ ଅଛନ୍ତି, ଆଇନ ସାଥୀରେ ନା ଅପରାଧୀଙ୍କ ସାଥୀରେ ? ନକ୍ସଲ ମୁକାବିଲାରେ ରାଜ୍ୟ ସରକାର ଓ ସରକାରୀ ଦଳ ଭିତରେ ପରସ୍ପର ବିରୋଧୀ ଆଭିମୁଖ୍ୟ କାହିଁକି ? ମାଓ ମୁକାବିଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ବ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହି ସ୍ପର୍ଶକାତର ମାମଲାରେ କାହିଁକ ଚୁପ୍ ରହିଛନ୍ତି ବୋଲି ଶ୍ରୀ ‌ବେହେରା ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅମିୟ ପାଣ୍ଡବ, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।