ବିଜେଡି ନେତା ୫-ଟି ସଚିବଙ୍କ ଗୋଡ଼ାଣିଆ ସାଜିଛନ୍ତି: ଜୟନାରାୟଣ

ରାଜନୀତିରେ ବ୍ୟକ୍ତିଗତ ଆକ୍ରୋଶ ନ ରହୁ: ଶରତ

ଭୁବନେଶ୍ବର: ୫-ଟି ସଚିବଙ୍କ ସୁରକ୍ଷା ପାଇଁ ବିଜେଡିର ମନ୍ତ୍ରୀ, ବିଧାୟକ ବାହାରିଲା ପରେ ତାହାକୁ ନେଇ ରାଜନୈତିକ ବୟାନବାଜି ଜୋର୍‌ ଧରିଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହାର ଉତ୍ତର ବିଜେଡି କାହିଁକି ଦେଉନି। ବିଜେଡି ନେତାମାନେ ୫-ଟି ସଚିବଙ୍କ ଗୋଡ଼ାଣିଆ ସାଜିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ତାହା ଯୁକ୍ତିଯୁକ୍ତ। ଚନ୍ଦ୍ରଯାନ ଠାରୁ ପାଣ୍ଡିଆନଙ୍କ ଗସ୍ତରେ ଅଧିକ ଟଙ୍କା ଖର୍ଚ୍ଚ କଥା ଉଲ୍ଲେଖ କରିଥିଲେ ସୌମ୍ୟ ପଟ୍ଟନାୟକ। ଏହା ଚିନ୍ତାର ବିଷୟ। ପରୋକ୍ଷରେ ଲାଞ୍ଚ ଆକାରରେ ଯେଉଁ ଟଙ୍କା ଦିଆଯାଉଛି, ତାହାର ବି ଅନୁସନ୍ଧାନ ହେବା କଥା। ପାଣ୍ଡିଆନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କଥା। ନିଜକୁ ନିଜେ ପାଣ୍ଡିଆନ ସୁପର ସିଏମ୍ ବୋଲି ଦର୍ଶାଉଛନ୍ତି। ତାହା ଉପରେ ବିଜେଡି କାହିଁକି କିଛି କହୁନି? ୫-ଟି, ଦୁର୍ନୀତି ଉପରେ ଯେଉଁମାନେ କହୁଛନ୍ତି ସେମାନଙ୍କୁ ପାଗଳ, ବ୍ଲାକମେଲର୍ କହୁଛନ୍ତି। ମୋତେ ପାଗଳ ବୋଲି କହୁଛନ୍ତି। ଆଜି ପର୍ଯ୍ୟନ୍ତ କାହିଁକି କହୁନଥିଲେ, ଚୁପ କାହିଁକି ରହିଥିଲେ। ଏବେ କାହିଁକି କହୁଛନ୍ତି । ଯେଉଁ କଥା ଓଡ଼ିଶା କିମ୍ବା ଭାରତ ଇତିହାସରେ ଦେଖାଯାଇ ନାହିଁ, ସେଗୁଡିକ ବିଜେଡି ସରକାରରେ ଦେଖିବାକୁ ମିଳୁଛି। ବିଜେଡି ନେତା ଯେଉଁ ଭଳି ଆଚରଣ ଜଣେ ସରକାରୀ କର୍ମଚାରୀ ପ୍ରତି କରୁଛନ୍ତି, ସେଥିରୁ ଜଣାପଡୁଛି ଯେ ସେମାନେ ନିଜ ମୁଣ୍ଡକୁ ବିକ୍ରି କରି ଦେଇଛନ୍ତି । ସ୍ୱାଭିମାନ ଓ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ଦେଇ ଅଫିସରଙ୍କ ପାଖରେ ଶରଣ ପଶିଛନ୍ତି ବିଜେଡି ନେତା।

ରାଜନୀତିରେ ବ୍ୟକ୍ତିଗତ ଆକ୍ରୋଶ ନ ରହୁ: ଶରତ
ଜୟନାରାୟଣ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସୌମ୍ୟ ବାବୁ ଜଣେ ଜ୍ଞାନୀ ଗୁଣୀ ଲୋକ। ରାଜ୍ୟ ପାଇଁ ତାଙ୍କ ଅବଦାନ ବହୁତ। ଏବେ ଯାହା ଚାଲିଛି ତାହା ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ଆମେ ପଶିବା କଥା ନୁହେଁ। ତେବେ ସୌମ୍ୟ ବାବୁ ସମ୍ପାଦକୀୟରେ ଯାହା ଲେଖିଛନ୍ତି, ତାହା ଯଥାର୍ଥ। ଯେଉଁଟା ନିୟମରେ ନାହିଁ, ସମ୍ବିଧାନ‌ରେ ନାହିଁ ତାହା ହେବା କଥା ନୁହେଁ। ବିଜେଡି କ’ଣ କରୁଛି ଓ ୫-ଟି ନାଁରେ କ’ଣ ଚାଲିଛି ଓଡ଼ିଶାବାସୀ ଜାଣିପାରୁଛନ୍ତି। ଏଠି ଗୋଟିଏ ରାଜ୍ୟ ଭିତରେ ଜଣେ ହେଲିକପ୍ଟରରେ ବୁଲି କୋଟି କୋଟି ଟଙ୍କା ଉଡ଼ାଇଦେବେ। ଏହା କ’ଣ ଗ୍ରହଣୀୟ? ଆହୁରି ମଧ୍ୟ ରାଜନୀତିରେ ବ୍ୟକ୍ତିଗତ ଆକ୍ରୋଶମୂଳକ ମନୋଭାବ ରଖିବା ଉଚିତ ନୁହେଁ। ସୌମ୍ୟ ବାବୁ ଯଦି ଭୁଲ୍ ଲେଖିଛନ୍ତି, ତେବେ ତାଙ୍କ ନାମରେ ସରକାର ମାମଲା କାହିଁକି କରୁନାହାନ୍ତି।
ବିରୋଧୀ ଦଳ ନେତା ଓ ପିସିସି ସଭାପତିଙ୍କୁ ପାଲଟା ଆକ୍ରମଣ କରିଛି ବିଜେଡି। ବିରୋଧୀ ଦଳ ନେତାଙ୍କ ଉଦ୍ଦେଶ୍ୟରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଶ୍ରୀ ମିଶ୍ରଙ୍କ ମାନସିକ ଚିକିତ୍ସାର ଆବଶ୍ୟକତା ରହିଛି। ସେ ପାଗଳ ପରି କଥାବାର୍ତ୍ତା କରୁଛନ୍ତି। ୫-ଟି ଭୂତ ଏବେ ବି ତାଙ୍କୁ ଗୋଡ଼ାଉଛି। ଯେଉଁଠାରେ ସେ ୫-ଟି ଦେଖୁଛନ୍ତି ସେଠାରେ ଖାଲି ୫-ଟି ଗପ କରୁଛନ୍ତି। ସେ ଆଜିକାଲି ସୌମ୍ୟରଞ୍ଜନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେହିପରି ପିସିସି ସଭାପତିଙ୍କ ମନ୍ତବ୍ୟକୁ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ସମାଲୋଚନା କରିଛନ୍ତି।

ତେବେ ବିରୋଧୀ ଦଳ ନେତାଙ୍କୁ ବାରମ୍ବାର ପାଗଳ ବୋଲି ବିଜେଡି ଦେଉଥିବା ମନ୍ତବ୍ୟର କଡ଼ା ପ୍ରତିବାଦ ଜଣାଇଛି ବିଜେପି। ଦଳର ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଜୟନାରାୟଣ ମିଶ୍ରଙ୍କ ନାମ ଶୁଣିଲା ମାତ୍ରେ ବିଜେଡି ନେତାମାନେ ଡରି ଛାନିଆ ହୋଇଯାଉଛନ୍ତି। ସେପଟେ ପୁଣି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଣଓଡ଼ିଆ ଅଧିକାରୀମାନଙ୍କଠାରୁ ପ୍ରତିଦିନ ବିଜେଡି ନେତାଙ୍କୁ ନୂଆ ନୂଆ ନିର୍ଦ୍ଦେଶ ଆସୁଛି। ତେଣୁ ସେମାନେ ମାନସିକ ଦୁଶ୍ଚିନ୍ତାରେ ବଞ୍ଚୁଛନ୍ତି। ଜୟନାରାୟଣଙ୍କ ସ୍ବାସ୍ଥ୍ୟକୁ ନେଇ ଅରୁଚିକର ଓ ଶସ୍ତା ମନ୍ତବ୍ୟ ଦେଉଥିବା ବିଜେଡି ନେତାମାନେ ତାଙ୍କର ମୁଖିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ରଖନ୍ତୁ। ମୁଖ୍ୟମନ୍ତ୍ରୀ ଚାଲିବୁଲି ପାରୁଛନ୍ତି ତ? ତାଙ୍କର ମାନସିକ ଓ ଶାରୀରିକ ଅବସ୍ଥା ଠିକ୍ ଅଛି ତ?

ସମ୍ବନ୍ଧିତ ଖବର