‘ବିଜୁ କୁଡ଼ିଆ’ ବିକି ବିଦେଶରେ ମଉଜ

ବିବାଦରେ ବିଜେଡି ନେତା

ନୟାଗଡ଼/ଖଣ୍ଡପଡ଼ା: ବିଜୁ ପକ୍କା ଘର ବିକି ଦେଲେ। ତାହା ପୁଣି ପ୍ରକୃତ ହିତାଧିକାରୀଙ୍କୁ ନୁହେଁ, ଧନୀ ଓ ଥିଲାବାଲାଙ୍କୁ। ଗୋଟିଏ କି ଦୁଇଟି ନୁହେଁ, ୩୭ଟି ପକ୍କା ଘର। ସେହି ଟଙ୍କାରେ ଭାପୁର ବ୍ଲକ୍‌ର ବିଜେଡିର ୧୪ ଜଣ କାର୍ପଟଦାର ତଥା ପଞ୍ଚାୟତ ପ୍ରତିନିଧି ମାଲେସିଆ ଓ ଥାଇଲାଣ୍ଡ ଗସ୍ତ କରି ଅୟସ କଲେ। ବଡ଼ ବଡ଼ ହୋଟେଲରେ ରହିଲେ। ନାମୀଦାମୀ ରେସ୍ତୁରାଁରେ ଖାଇଲେ। ସି ବିଚ୍‌ରେ ଗରିବଙ୍କ ପଇସାରେ ମନୋରଂଜନ କଲେ। ପୁଣି ଥରେ ନୁହେଁ, ଲାଗ ଲାଗ ଦୁଇ ଥର ଏହି ନେତାମାନେ ବିଦେଶ ଯାଇ ମଉଜରେ ମାତିଥିବା ଖବର ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଛି। ଭାପୁର ବ୍ଲକ୍‌ ଉପାଧ୍ୟକ୍ଷ ତଥା ବିଜେଡ଼ି ବ୍ଲକ୍‌ ସଭାପତି ଗୟାଧର ପରିଡ଼ାଙ୍କ ନେତୃତ୍ୱରେ ବିଜେଡି ନେତା ନିରଂଜନ ବେହେରା, ତାରେଶ୍ୱର ମାଝି, ଖଗେଶ୍ୱର ସ୍ୱାଇଁ, ନାଲୁ ପଟ୍ଟନାୟକ, ତୋଫାନ ପ୍ରଧାନ, ସୁଶାନ୍ତ ସାହୁ, ପ୍ରତାପ ସ୍ୱାଇଁ, ପଂଚାନନ ମହାପାତ୍ର, ନାରାୟଣ ମହାରଣା, ବନମାଳୀ ମହାରଣା, ବିକା, କାଳିଆ ଓ ଟିକନ ପ୍ରମୁଖ ସାମିଲ୍‌ ହୋଇଥିବା ଜଣାପଡ଼ିଛି। ବିଜୁ ପକ୍କା ଘର ଯୋଜନାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଏମାନେ ବିଦେଶ ଭ୍ରମଣ ଓ ମଉଜ କରୁଥିବା ଖୋଦ୍‌ ବିଜେଡ଼ିରୁ ମଧ୍ୟ ଗୁରୁତର ଅଭିଯୋଗ ଆସିଛି ।

ବାସହୀନଙ୍କ ପାଇଁ କିଛି ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ବିଜୁ ପକ୍କାଘର ଯୋଜନା। ବାସହୀନମାନଙ୍କୁ ପକ୍କା ଘର ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ ଥିଲା। ତେବେ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ଯୋଗୁ ବାସହୀନମାନେ ଏହାର ସୁଫଳ ପାଉ ନାହାନ୍ତି। ଅନ୍ୟପକ୍ଷରେ ଏହା ଶାସକ ଦଳ ନେତାମାନଙ୍କ ପାଇଁ ମଉଜ ଓ ଅୟସର ଏକ ମାଧ୍ୟମ ହୋଇଛି। ନିଲାମ ହେଉଛି ବିଜୁ ପକ୍କା ଘର। ଯିଏ ୫୦ ହଜାର ଟଙ୍କା ଦେଲା ସିଏ ପାଉଛି ଘର। ଏହି କ୍ଷେତ୍ରରେ ହିତାଧିକାରୀ ବାସହୀନ ବା ଗରିବ ହୋଇଥିବାର କୌଣସି ଆବଶ୍ୟକତା ନାହିଁ। ନୟାଗଡ଼ ଜିଲ୍ଲାରେ ଏହି ଯୋଜନା ଏବେ ଶାସକ ଦଳ ନେତାଙ୍କ ମନୋରଂଜନ ଓ ବିଦେଶ ଭ୍ରମଣ ବ୍ୟୟର ସୂତ୍ର ହୋଇଛି।

ଭାପୁର ବ୍ଲକ୍‌ର ୨୦ଟି ଯାକ ପଞ୍ଚାୟତରେ ସମସ୍ତଙ୍କ ଜ୍ଞାତ ସାରରେ ନିଲାମ ହେଉଛି ବିଜୁ ପକ୍କା ଘର। ଏହି ଭୟଙ୍କର ଦୁର୍ନୀତି ଏବେ ପଦାକୁ ଆସିଛି। ପୂର୍ବରୁ ବନ୍ୟା ପରବର୍ତୀ ପୁନଃ ନିର୍ମାଣ କାର୍ଯ୍ୟକ୍ରମ, ଫାଇଲିନ୍‌, ନରେଗା, ଇନ୍ଦିରା ଆବାସ ଭଳି ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ଏଭଳି କରିତକର୍ମା ବିଜେଡି କାର୍ପଟଦାରମାନେ ପ୍ରଶାସନକୁ ଧରି ଚାପି ଦେଇଥିଲେ। ତେବେ ବିଜୁ ପକ୍କା ଘର ବିକା ଟଙ୍କାରେ ମଉଜ କରିବାକୁ ନେଇ ଶାସକ ଦଳକୁ ଏବେ ସମସ୍ତେ ନିନ୍ଦା କରିବା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନାରୁ ଜଣାପଡ଼ିଛି, ଶାସକ ଦଳର ଏହି ନେତାମାନେ ୩୭ଟି ବିଜୁ ପକ୍କା ଘର ପାଇଁ ୫୦ ହଜାର ଟଙ୍କା ଲେଖାଏଁ ନେଇ ଅଯୋଗ୍ୟ ହିତାଧିକାରୀଙ୍କ ହାତରେ ଟେକି ଦେଇଥିଲେ। ଗରିବ ଲୋକଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଶେଷରେ ଶାସକ ଦଳ ନେତାଙ୍କ ମନୋରଂଜନ ଓ ମଉଜ ମଜଲିସର ପାଇଁ ବ୍ୟବହାର ହେଉଛି। ଖାଲି ଭାପୁର ବ୍ଲକ୍‌ରେ କାହିଁକି ସମସ୍ତ ଜିଲ୍ଲାରେ ଏହା କାୟା ବିସ୍ତାର କରିଛି। ଏହି ଘଟଣା ଶାସକ ଦଳର ମୁଖା ଖୋଲି ଦେଇଛି।

ସମ୍ବନ୍ଧିତ ଖବର