ଜୟପୁର: ବାଲଟ୍‌ ବାକ୍ସ ଖୋଲିବା ସହ ପ୍ରଥମ କିଛି ରାଉଣ୍ଡର ଗଣତି ପରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କିଛି ଚକିତ ତଥା ଅପ୍ରତ୍ୟାଶିତ ଫଳାଫଳ ସାମ୍ନାକୁ ଆସିଛି। ପଟାଙ୍ଗି ଜୋନ୍‌-୧ରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ପଛରେ ପଡ଼ି ଯାଇଛନ୍ତି। ଏଠାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଟିକାଇ ଗେମେଲ ପାଖାପାଖି ୬ଶହ ଭୋଟରେ ଆଗୁଆ ଅଛନ୍ତି।

Advertisment

ଅନ୍ୟପକ୍ଷରେ ନାରାୟଣପାଟଣା ବ୍ଲକ୍‌ରେ ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗା ପ୍ରାର୍ଥୀ ହୋଇ ଚର୍ଚ୍ଚାକୁ ଆସିଥିଲେ। ତେବେ ଅପରାହ୍ନ ସାଢ଼େ ଗୋଟାଏ ସୁଦ୍ଧା ନାରାୟଣପାଟଣାର ଗୋଟିଏ ମାତ୍ର ଜିଲ୍ଲା ପରିଷଦ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ନାଚିକା ରହିଛନ୍ତି।

ସେହିପରି କୋରାପୁଟ ଜିଲ୍ଲାର ଜୟପୁର, ବୈପାରିଗୁଡ଼ା, ନନ୍ଦପୁର, କୋଟପାଡ଼, ବୋରିଗୁମ୍ମା ବ୍ଲକ୍‌ର ଜୋନ୍‌-୧ରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ଲକ୍ଷ୍ମୀପୁର, ଲମତାପୁଟ, ଦଶମନ୍ତପୁର ଏବଂ ସେମିଳିଗୁଡ଼ା ବ୍ଲକ୍‌ର ଜୋନ୍‌-୧ରେ କଂଗ୍ରେସ ଆଗୁଆ ରହିଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାରେ ଗତଥର ଜିଲ୍ଲା ପରିଷଦ ଗଠନ କରିଥିବା ବିଜେପି ଏଥର ପ୍ରଥମ କିଛି ରାଉଣ୍ଡ ସୁଦ୍ଧା ପଛରେ ପଡ଼ି ଯାଇଛି। ସମସ୍ତ ୭ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗରେ ରହିଛି। ନବରଙ୍ଗପୁର ଜିଲ୍ଲାରେ ବି ଫଳାଫଳ ଶେଷ ଖବର ସୁଦ୍ଧା ବିଜେଡି ସପକ୍ଷରେ ରହିଥିଲା। ସମସ୍ତ ୧୦ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିଲେ। ରାୟଗଡ଼ା ଜିଲ୍ଲାର ୬ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ଓ ୫ଟି ଆସନରେ ‌କଂଗ୍ରେସ ଆଗୁଆ ରହିଥିବା ଖବର ହସ୍ତଗତ ହୋଇଛି। ମୋଟାମୋଟି ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ୬୦ପ୍ରତିଶତ ଆସନରେ ବିଜେଡିର ସ୍ଥିତି ଭଲ ରହିଛି।