ଉମରକୋଟ: ଫିଲ୍ମ ଷ୍ଟାଇଲରେ ରବିବାର ସନ୍ଧ୍ୟାରେ ଜଣେ ବିଜେଡି ନେତାଙ୍କୁ ହତ୍ୟା ଉମରକୋଟକୁ ସ୍ତବ୍ଧ କରି ଦେଇଛି। ଗୋଟିଏ ପରିବାର ଭିତରେ ଏଭଳି ହତ୍ୟାକାଣ୍ଡ ଘଟିଥିବାବେଳେ ସମ୍ପର୍କୀୟ ଭାଇ ଓ ଦାଦାଙ୍କ ସମେତ ୪ ହତ୍ୟାକାରୀ ଟାଙ୍ଗିଆ ଧରି ଉମରକୋଟ ଥାନାରେ ଆତ୍ମସମର୍ପଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୃତକ ହେଲେ ସମଦାସ ପୂଜାରୀ। ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

Advertisment

ଦୀର୍ଘଦିନ ଧରି ସମଦାସଙ୍କ ସହ ତାଙ୍କ ସମ୍ପର୍କୀୟ ଭାଇ ଓ ଦାଦାଙ୍କ ସହ କୌଣସି କାରଣରୁ ଶତ୍ରୁତା ଲାଗି ରହିଥିଲା। ସମଦାସ ହେଉଛନ୍ତି ଉମରକୋଟ ୧ନଂ. ୱାର୍ଡର ବିଜେଡି ଦଳର ସଭାପତି। ସେ ନିଜ ସ୍ତ୍ରୀ ରୂପନ୍ତୀ ପୂଜାରୀଙ୍କୁ ଧରି ବାଇକରେ ନିଜ ଜମିର ଫସଲ ଦେଖିବାକୁ ଯାଇଥିଲେ। ଉଭୟେ ଫେରୁଥିବାବେଳେ ଏକ ବୁଦାମୂଳେ ଲୁଚିଥିବା ସମଦାସଙ୍କ ସମ୍ପର୍କୀୟ ଭାଇ ତୁଳାରାମ ପୂଜାରୀ, ଚନ୍ଦନ ପୂଜାରୀ, ଦେବେନ୍ଦ୍ର ପୂଜାରୀ ଓ ଦାଦା ଅର୍ଜୁନ ପୂଜାରୀ ହଠାତ ବାହାରି ସମଦାସଙ୍କୁ ଅଟକାଇଥିଲେ। କିଛି ବୁଝିବା ଆଗରୁ ହଠାତ ସମଙ୍କୁ ଟାଙ୍ଗିଆରେ ହାଣି ଚାଲିଥିଲେ। ସ୍ତ୍ରୀ ରୂପନ୍ତୀ ଏହାକୁ ବିରୋଧ କରିବାରୁ ତାଙ୍କୁ ବି ଟାଙ୍ଗିଆରେ ହାଣି ପକାଇଥିଲେ। ଘଟଣ।ସ୍ଥଳରେ ସମଦାସଙ୍କ ମୃତ୍ୟୁ ହୋଇଥିବାବେଳେ ରୂପନ୍ତୀ ଗୁରୁତର ହୋଇଥିଲେ। ଖବରପାଇ ପରିବାର ଲୋକେ ଉଭୟଙ୍କୁ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସ୍ତ୍ରୀ ରୂପନ୍ତୀଙ୍କ ଅବସ୍ଥା ସଂଘାତିକ ହେବାରୁ ତାଙ୍କୁ ନବରଙ୍ଗପୁର ହସ୍ପିଟାଲକୁ ରେଫର କରାଯାଇଛି। ପରେ ତୁଳାରାମ, ଚନ୍ଦନ, ଦେବେନ୍ଦ୍ର ଓ ଅଜୁର୍ନ ଟାଙ୍ଗିଆ ଧରି ଚାଲିଚାଲି ଉମରକୋଟ ଥାନାରେ ଆତ୍ମସମର୍ପଣ କରିଥିଲେ। ପରେ ସମଦାସଙ୍କ ଜ୍ବାଇଁ ତିଲଚାନ୍ଦ ମାଝୀ ଏ ସଂକ୍ରାନ୍ତରେ ଏକ ଲିଖିତ ଏତଲା ଥାନାରେ ଦେଇଥିଲେ। ତାଙ୍କ ଏତଲାକୁ କେନ୍ଦ୍ରକରି ଆଇଆଇସି ଦୀପକ କୁମାର ଜେନା ଏକ ମାମଲା ରୁଜୁ କରିଛନ୍ତି। ୪ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛନ୍ତି।