ବିଜେଡି ନେତା ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ଆସିଲେନି ଭୃଗୁ, ମାସେ ସମୟ ଲୋଡ଼ିଲେ

ଛତ୍ରପୁର : ଛତ୍ରପୁର ଏନ୍ଏସି ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ ବଚ୍ଚନ ହତ୍ୟା ଘଟଣାରେ ପୁଲିସ ନିକଟରେ ଆଜି ହାଜର ହେବାକୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କୁ ସମନ୍ ଜାରି ହୋଇଥିଲା। କିନ୍ତୁ ସେ ହାଜର ହୋଇ ନାହାନ୍ତି। ଓକିଲଙ୍କ ଜରିଆରେ ଟାଇମ୍‌ ପିଟିସନ୍ ଦାଖଲ କରି ଅସୁସ୍ଥତା କାରଣରୁ ହାଜର ହୋଇପାରି ନଥିବା ଦର୍ଶାଇଛନ୍ତି। ଏଥି ଲାଗି ଏକ ମାସ ସମୟ ଲୋଡ଼ିଛନ୍ତି।

ଭୃଗୁଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ପାର୍ଥସାରଥୀ ନାୟକ ଓ ମୈତ୍ରଜିତ୍ ମହାନ୍ତି ଆଜି ଅପରାହ୍ନ ସାଢେ ଗୋଟାଏ ବେଳେ ଛତ୍ରପୁର ଥାନାରେ ପହଞ୍ଚି ଥିଲେ। ଏହା ପରେ ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀଙ୍କ ନିକଟରେ ଟାଇମ୍ ପିଟିସନ୍ ଦାଖଲ କରିଥିଲେ। ପିଟିସନରେ ଭୃଗୁ ଦର୍ଶାଇଛନ୍ତି, ହାଜର ହୋଇ ସେ ତଦନ୍ତରେ ପୁଲିସ ସହଯୋଗ କରିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ। କିନ୍ତୁ ବର୍ତ୍ତମାନ ସେ ଉଚ୍ଚ ରକ୍ତଚାପ ଜନିତ ଅସୁସ୍ଥତା ହେତୁ ଭୁବନେଶ୍ବରଠୁ ଛତ୍ରପୁର ଯାତ୍ରା କରିବା ତାଙ୍କ ପକ୍ଷେ ସମ୍ଭବ ନୁହଁ। ହାଜର ହେବାକୁ ଆଉ ଏକ ମାସ ସମୟ ଦିଆଯାଉ ବୋଲି ଭୃଗୁ ନିବେଦନ କରିଛନ୍ତି। ପିଟିସନ୍ ସହ ସମସ୍ତ ଡାକ୍ତରୀ ପ୍ରମାଣପତ୍ର ଓ ରିପୋର୍ଟ ତାଙ୍କ ଓକିଲ ଏସଡିପିଓଙ୍କୁ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଭୃଗୁଙ୍କ ଟାଇମ୍ ପିଟିସନ ଆବେଦନକୁ ମଞ୍ଜୁର କରା ଯାଇଥିବା ଏସଡିପିଓ ଶ୍ରୀ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣାରେ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ବି ଛତ୍ରପୁର ଥାନାରେ ଗତ ୭ ତାରିଖରେ ହାଜର ହେବାକୁ ପୂର୍ବରୁ ସମନ୍ ହୋଇଥିଲା। କିନ୍ତୁ ସେ ମଧ୍ୟ ଅସୁସ୍ଥତା କାରଣ ଦର୍ଶାଇ ଓକିଲଙ୍କ ଜରିଆରେ ଏକ ମାସ ସମୟ ମାଗିଥିଲେ।

ସମ୍ବନ୍ଧିତ ଖବର