କଟକ : ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ଘଟଣାକୁ ପୁଲିସ ଡିଜି ଅଭୟ ଗୁରୁତର ସହିତ ଗ୍ରହଣ କରିଛନ୍ତି। ଆଜି ସେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଇଜି (ଆଧୁନିକୀକରଣ) ରେଖା ଲୋହାନୀ ଘଟଣାର ତଦନ୍ତ କରି ପୁଲିସ ଡିଜିଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ତା କଲୋନିରେ ରହୁଥିବା ମୀନାକ୍ଷୀଙ୍କ ପୁଅ ରାଜାଙ୍କୁ ଗତ ୨୮ତାରିଖରେ କେତେଜଣ ଯୁବକ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ମୀନାକ୍ଷୀଙ୍କ ହାତରେ ଖଣ୍ତା ଚୋଟ ବାଜିଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ମା- ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ଦୁଇଟି ମାମଲା ରୁଜୁ କରିଥିଲା। ରାଜାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗତ ୫ ତାରିଖରେ ପୁଲିସ ୪ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଥିବା ବେଳେ ଅପରପକ୍ଷର ମାମଲାକୁ ଭିତ୍ତି କରି ୬ ତାରିଖରେ ପୁଲିସ ରାଜାଙ୍କୁ ମଧ୍ୟ ଗିରଫ କରିଥିଲା। ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ନିଜ ପୁଅ ପ୍ରତି ଅନ୍ୟାୟ ଅଭିଯୋଗରେ ୧୨ ତାରିଖରେ ବ୍ରହ୍ମପୁର ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହୁତି ଉଦ୍ୟମ କରିଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶ୍ରୀମତୀ ମିଶ୍ରଙ୍କୁ ପ୍ରଥମେ ବ୍ରହ୍ମପୁର ହସପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ଓ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୨୦ ତାରିଖରେ ଶ୍ରୀମତୀ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଚର୍ଚ୍ଚା ବଢ଼ିବାରୁ ପୁଲିସ ଡିଜି ଶ୍ରୀ ଅଭୟ ମାମଲାକୁ ଗୁରୁତର ସହିତ ଗ୍ରହଣ କରି ଆଇଜିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ପୁଲିସ ମୁଖ୍ୟାଳୟରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/minakhi-mishra-bjd-woman-leader-dead-bkm-f-603x430-1.jpg)