ବିଜେଡି ନେତା ହତ୍ୟା ମାମଲା: ଦୁଇ ବି‌ଜେପି ନେତାଙ୍କୁ ପୁଲିସ ‌ନୋଟିସ୍‌

ଛତ୍ରପୁର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୨୦୧୭ ସେପ୍ଟେମ୍ବରରେ ସଂଘଟିତ ବହୁଚର୍ଚ୍ଚିତ ଯୁବ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ ବଚନ ହତ୍ୟା ମାମଲାରେ ନୂଆ ମୋଡ଼ ନେଇଛି। ଦୀର୍ଘ ନିରବତା ପରେ ଗଞ୍ଜାମ ପୁଲିସ ଖୋଲିଛି ଫାଇଲ। ଏହି ଘଟଣାରେ ବିଜେପିର ବରିଷ୍ଠ ନେତା ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ସମନ ଜାରି କରିଛି। ଫେବ୍ରୁଆରି ୭ ତାରିଖରେ ଗୋଲକ ଏବଂ ୯ ତାରିଖରେ ଭୃଗୁଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ‌ନୋଟିସ ହୋଇଥିବା ଛତ୍ରପୁର ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ପୂର୍ବରୁ ୨୦୧୭ରେ ଗୋଲକ ଛତ୍ରପୁର ପୋଲିସ ନିକଟରେ ହାଜର ହୋଇଥିଲେ। ପୁଲିସ ତାଙ୍କୁ ଦୀର୍ଘ ୫ ଘଣ୍ଟା ମାରାଥନ୍ ଜେରା କରିଥିଲା। ଏହି ମାମଲାରେ ପ୍ରଥମ ଥର ପାଇଁ ଭୃଗୁଙ୍କୁ ନୋଟିସ ହୋଇଛି। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଉଷ୍ମ ହୋଇଛି।

ସୂଚନା ଅନୁଯାୟୀ, ଛତ୍ରପୁର ଏନ୍ଏସିର ୬ ନମ୍ବର ୱାଡର୍ରୁ ବିଜେଡିରୁ ନିର୍ବାଚିତ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ କିଛି ଦୁର୍ବୃତ୍ତ ଟେଲିଫୋନ ଭବନ ପଛ ସାହି ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହୋଇଥିଲା। ଘଟଣାଟି ସେ‌ତେବେଳେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଲକ୍ଷ୍ମୀଦତ୍ତଙ୍କ ଭାଇ ଦେବୀଦତ୍ତ ପ୍ରଧାନଙ୍କ ଅଭି‌ଯୋଗକୁ ଭିତ୍ତି କରି ଛତ୍ରପୁର ଥାନାରେ(କେଶ ୧୩୧/୨୦୧୭) ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲେ ଛତ୍ରପୁର ଥାନା ଅଧିକାରୀ ବିଷ୍ଣୁ ପ୍ରସାଦ ପାତ୍ର। ଏ ମାମଲାର ଗମ୍ଭୀରତା ଦୃଷ୍ଟିରୁ ତଦନ୍ତ ଦାୟିତ୍ବ ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀଙ୍କୁ ହସ୍ତାନ୍ତର କରା ଯାଇଥିଲା। ପୁଲିସ ଏହି ମାମଲାର ଖୋଳତାଡ କରି ସପ୍ଟେମ୍ବର ୨୬ତାରିଖ‌ରେ ପ୍ରଥମେ ୮ଜଣ ଜଣଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଆଉ ୮ ଜଣଙ୍କୁ ପୋଲିସ ଗରିଫ କରିଥି‌ଲା। ଏହାପରେ ଅକ୍ଟୋବର ୨୮ତାରିଖ ଉତ୍ତରାଖଣ୍ଡର ଏକ ଗେଷ୍ଟ ହାଉସ୍‌ରୁ ବିଜେପି ଗଞ୍ଜାମ ଜିଲ୍ଲା ସମ୍ପାଦକ କୃ‌ଷ୍ଣଚନ୍ଦ୍ର ନାୟକ ଏବଂ ଲକ୍ଷ୍ମୀପୁର ସମିତି ସଭ୍ୟ ଏନ୍. ଦୁର୍ଯୋଧନ ରେଡ୍ଡୀଙ୍କୁ ଗିରଫ କରା ଯାଇଥିଲା। କୃଷ୍ଣଚନ୍ଦ୍ର ଏବଂ ଦୁର୍ଯୋଧନ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲେବୋଲି ପୁଲିସ କହିଥିଲା। କୃଷ୍ଣଚନ୍ଦ୍ର ଗରିଫ ହେବା ଏହି ମାମଲା ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଥିଲା। ଏପରିକି ଏମାନଙ୍କ ବୟାନ ଅାଧାରରେ ଅକ୍ଟୋବର ୨୯ ତାରିଖରେ ଗୋଲକ ମହାପାତ୍ରଙ୍କୁ ପୋଲିସ ନିକଟରେ ହାଜର ହେବାକୁ ନୋଟିସ କରିଥିଲା। ଏପରିକି କୃଷ୍ଣ ନାୟକଙ୍କ ବୟାନର ଭିଡିଓ ରେକର୍ଡ଼ିଂ ମଧ୍ୟ ଗଣମାଧ୍ୟମକୁ ପୋଲିସ ଦେଇଥିଲା। ୨୦୧୭ ନଭେମ୍ବର ୧ ତାରିଖରେ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇଥିଲେ। ପୋଲିସ ତାଙ୍କୁ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପୁଲିସ ଜେରା କରିଥିଲା। ତେବେ ପ୍ରଥମ ଥର ଲାଗି ଭୃଗୁଙ୍କୁ ନୋଟିସ ଜାରି ହୋଇଛି।

ସୂଚନାଯୋଗ୍ୟ ଯେ, ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୮ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ସୁଶୀଲ କୁମାର ନାୟକ ଏବଂ ପ୍ରଶାନ୍ତ କୁମାର ସ୍ବାଇଁ ଅଦାଲତଙ୍କ ଜାମିନ ପାଇ ବାହାରେ ଅଛନ୍ତି। ତେବେ ଗୋଲକଙ୍କୁ ପ୍ରଥମ ଥର ଜେରା ପ‌େର ଏହି ମାମଲାର ତଦନ୍ତ ପ୍ରକ୍ରିୟା ଶିଥିଳ ହୋଇ ପଡିଥିଲା। ରାଜନୈତିକ ଆରୋପ ପ୍ରତ୍ୟାରୋପ ‌ଯୋଗୁଁ ପୋଲିସ ଚାପରେ ପଡି ତଦନ୍ତକୁ ଶିଥିଳ କରିଥିବା ଚର୍ଚ୍ଚା ଧରିଥିଲା। ମୁଣ୍ଡ ଉପରେ ନିର୍ବାଚନ ରହିଥିବା ବେଳେ ଏବେ ପୁଣି ଏହି ହତ୍ୟାକାଣ୍ଡ ଫାଇଲ ଖୋଲିଛି।

ସମ୍ବନ୍ଧିତ ଖବର