ବିଜେଡି ନେତା ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ୪ ଫେରାରଙ୍କୁ ଧରିବାକୁ ସୁରଟ୍‌ରେ ପୁଲିସ ଟିମ୍

ଛତ୍ରପୁର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୨୦୧୭ରେ ସଂଘଟିତ ବହୁଚର୍ଚ୍ଚିତ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ତଦନ୍ତକୁ ତ୍ବରାନ୍ବିତ କରିଛି ଗଞ୍ଜାମ ପୁଲିସ। ଏହି ମାମଲାରେ ଦୁଇ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ହାଜର ହେବାକୁ ନୋଟିସ୍ ଜାରୀ କରିଥିବା ବେଳେ ଅଦ୍ୟାବଧି ଫେରାର ଥିବା ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଧରିବା ଲାଗି ଗଞ୍ଜାମ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ସୁରଟ ଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଟିମ୍‌ରେ ରହିଥିବା ପୋଲିସ ଅଧିକାରୀଙ୍କ ନାମ ଓ ଅଭିଯୁକ୍ତଙ୍କ ନାମ ପୁଲିସ ପ୍ରକାଶ କରୁନାହିଁ। ଅନ୍ୟପକ୍ଷରେ ଏହି କେଶର ତଦନ୍ତ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା‌ ଗିରଫ ହୋଇଥିବା ୧୮ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ ସରିଥିବା ଛତ୍ରପୁର ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ କହିଛନ୍ତି।

ସୂଚନା ଅନୁଯାୟୀ, ଛତ୍ରପୁର ଏନ୍ଏସିର ୬ ନମ୍ବର ୱାର୍ଡ଼ରୁ ନିର୍ବାଚିତ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ତାଙ୍କ ଟେଲିଫୋନ ଭବନ ପଛ ପାର୍ଶ୍ବ ସାହି ସ୍ଥିତ ବାସଭବନ ସମ୍ମୁଖରେ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରା ଯାଇଥିଲା। ଏହି ମାମଲା‌େର ପୁଲିସ ବିିଜେପି ଗଞ୍ଜାମ ଜିଲ୍ଲା ସମ୍ପାଦକ କୃ‌ଷ୍ଣଚନ୍ଦ୍ର ନାୟକ ଏବଂ ଲକ୍ଷ୍ମୀପୁର ସମିତି ସଭ୍ୟ ଏନ୍.ଦୁ‌େର୍ଯ୍ୟାଧନ ରେଡ୍ଡୀଙ୍କ ସମେତ ୧୮ଜଣଙ୍କୁ ଗିରଫ କରିଥିଲା। ଗିରଫଙ୍କ ମଧ୍ୟରୁ ଦୁଇ ଜଣ ସୁଶୀଲ କୁମାର ନାୟକ ଏବଂ ପ୍ରଶାନ୍ତ କୁମାର ସ୍ବାଇଁ ଅଦାଲତଙ୍କ ଠାରୁ ଜାମିନ ପାଇଛନ୍ତି। ମାମଲାରେ ଅନ୍ୟ ୪ ଅଭିଯୁକ୍ତ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର