ବିଜେଡି ଛାଡ଼ିଲେ ନିଲୁ : ପ୍ରସ୍ତୁତି ସରିଛି, ପଦ୍ମ ଧରିବେ

ବିଜେଡିକୁ ଦେବେ ଟକ୍କର, ସତ୍ୟବାଦୀରେ ବି ପ୍ରଭାବ ପଡିବ

ପୁରୀ : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ଦଳୀୟ ଟିକେଟ୍‌ ପାଇଁ ଲବି କରୁଥିବା ବିଜେଡି ନେତା ଜୟନ୍ତ ଷଢ଼ଙ୍ଗୀ(ନିଲୁ) ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପ୍ରତି ଦଳ ନ୍ୟାୟ କରିନଥିବା ଦର୍ଶାଇ ସେ ଦଳ ଛାଡ଼ିବା ସହ ସିଧା ଇସ୍ତଫାପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳ ଛାଡ଼ିବା ପରେ ସେ ବିଜେପିରେ ସାମିଲ୍‌ ହେବେ ଓ ପଦ୍ମଫୁଲ ଧରି ପୁରୀ ବିଧାନସଭା ଆସନରେ ଲଢ଼େଇ କରିବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଦୀର୍ଘବର୍ଷ ଧରି ବିଜେଡିରେ ରହିଥିଲେ ନିଲୁ। ପୁରୀ ପୌରପାଳିକା ନଗରପାଳ ବି ଥିଲେ। ନଗର ବିଜେଡିର ସଭାପତି ବି ଥିଲେ। ମହେଶ୍ବରଙ୍କ ପାଇଁ ସେ ପୁରୀରେ ବିପଦ ହେବାରୁ ତାଙ୍କୁ ସତ୍ୟବାଦୀରୁ ଲଢ଼ିବାକୁ କୁହାଯାଇଥିଲା। ଏହାପରେ ସେ ସତ୍ୟବାଦୀରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଥିଲେ। ଦଳର ବିଭନ୍ନ ନେତାଙ୍କ ଠାରୁ ଦଳୀୟ ଟିକେଟ୍‌ ପାଇଁ ପ୍ରତିଶ୍ରୁତି ମଧ୍ୟ ପାଇଥିଲେ। ହେଲେ ସବୁ କିଛି ବିଗିଡ଼ି ଗଲା। ତାଙ୍କୁ ଦଳ ଟିକେଟ ଦେଲା ନାହିଁ।

ବିଜେଡିରୁ ନିରାଶ ହେବା ପରେ ନିଲୁ ବିଜେପି ଆଡ଼କୁ ଢ଼ଳିଛନ୍ତି। ବିଜେପିରେ ସେ ସାମିଲ୍‌ ହେବାକୁ ଆସିଥିବା ପ୍ରସ୍ତାବକୁ ସେ ଗ୍ରହଣ କରିଛନ୍ତି। ଏପରିକି ତାଙ୍କୁ ପୁରୀରୁ ବିଧାୟକ ଟିକେଟ୍‌ ମିଳିବ ବୋଲି ଦଳ କା‌ଳେ ଅଭୟବାଣୀ ଦେଇଛି ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି। ଏହି ଅଭୟବାଣୀ ପରେ ଆଜି ୧୧ଟାରେ ସେ ସତ୍ୟବାଦୀରେ ତାଙ୍କ ସମର୍ଥକଙ୍କର ବୈଠକ କରିଥିଲେ। ଏହି ବୈଠକରେ ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶଙ୍କୁ ସମର୍ଥନ କରିବାକୁ ସହମତ ହେଲା। ଏହାପରେ ସେ ଦଳ ଛାଡ଼ିବାକୁ ଘୋଷଣା କରିଥିଲେ। ଏହାବ୍ୟତୀତ ପୁରୀରେ ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ଜଣେ ନେତାଙ୍କ ସନ୍ଧାନରେ ଥିଲା। ସମତାକ୍ରାନ୍ତି ନେତା ବ୍ରଜ ତ୍ରିପାଠୀ ବିଜେପିରେ ମିଶିବାକୁ ମନା କରିବା ପରେ ବିଜେପି ନିଲୁଙ୍କ ଉପରେ ନଜର ରଖିଥିଲା। ଏପରିକି ବିଜେପି ପୁରୀ ଏମପି ପ୍ରାର୍ଥୀ ସମ୍ବିତ ପାତ୍ର ନିଲୁଙ୍କ ସମ୍ପର୍କରେ ମଧ୍ୟ ବୁଝାସୁଝା କରିଥିଲେ। ନିଲୁଙ୍କର ପୁରୀରେ ଭୋଟ ବେସ୍‌ ରହିଛି। ସେବାୟତଙ୍କ ଭୋଟ ବି ସେ ଟାଣି ପାରିବେ। ସେଥିପାଇଁ ନିଲୁଙ୍କୁ ଦଳ ପ୍ରାର୍ଥୀ କରିବାକୁ ମନସ୍ଥ କରିଛି। ଏଠାରେ ଥିବା ଆଶାୟୀମାନେ ନିଲୁଙ୍କ ସହ ସାଲିସ କରି‌ଯିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସବୁ ରାଜନୈତିକ ସମୀକରଣକୁ ଦେଖି ନିଲୁଙ୍କୁ ବିଜେପିରୁ ଟିକେଟ୍‌ ମିଳିବ ବୋଲି ତାଙ୍କ ସମର୍ଥକ ଓ ବିଜେପିର ଛାମୁଆ ନେତା କହିଛନ୍ତି। ଏବେ ପୁରୀ ଏମପି ପ୍ରାର୍ଥୀ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର, ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଲୁଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଖୁବ୍‌ଶୀଘ୍ର ନିଲୁଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର