ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ: ବିରୋଧୀଙ୍କ ଅଭିଯୋଗ ପରେ ପ୍ରମିଳା ମଲ୍ଲିକ କହିଲେ- ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ମିଳିବ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡାର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ପରେ ରାଜନୈତିକ ଦଳଗୁଡ଼ିକ ନିଜନିଜର ବୟାନବାଜି ଆରମ୍ଭ କରିଦେଇଛନ୍ତି। ବିଜେପି ଚାର୍ଜସିଟରେ ମିଛ କଥା ଲେଖାଯାଇଥିବା କହିବା ସହ ଘଟଣାକୁ ଘଣ୍ଟ ଘୋଡାଇବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି। ସେହିପରି କଂଗ୍ରେସ ଏହାକୁ ପ୍ରହସନ‌ ବୋଲି କହିଛି। ତେବେ ଶାସକ ଦଳର ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିରୋଧୀ ଅନେକ କଥା କହିବେ। ସରକାର ଯେତେ ଭଲ କାମ କଲେ ବି ବିରୋଧୀ କହିବା ବନ୍ଦ କରିବେ ନାହିଁ। ବିରୋଧୀ ତାଙ୍କ କାମ କରନ୍ତୁ, ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ। ସାଧାରଣ ଲୋକଙ୍କ ପାଇଁ ଯାହା କରିବା କଥା ସରକାର କରିବେ । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଭଲ ଅଛି। କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିବେ ନ୍ୟାୟ ସମସ୍ତଙ୍କୁ ମିଳିବ। ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ମିଳିବ।

ଏହା ପୂର୍ବରୁ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ଚାର୍ଜସିଟରେ ହତ୍ୟାର କାରଣ ସ୍ପଷ୍ଟ କରାଯାଇ ନାହିଁ । ନବ ଦାସ ଏବଂ ତାଙ୍କ ଲୋକମାନଙ୍କ ପାଖରୁ ଗୋପାଳ ଦାସକୁ ଯଦି ଭୟ ଥିଲା, ତାହେଲେ କଣ ପାଇଁ ଭୟ ଥିଲା ଚାର୍ଜସିଟରେ ଏନେଇ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିନାହିଁ। ଚାର୍ଜସିଟରେ ମିଛ କଥା ସବୁ ଲେଖିଛି। କଣ ଓ କାହିଁକି ଭୟ ଥିଲା ତାହାର ଉତ୍ତର ନାହିଁ। ଗୋପାଳ ଦାସ ଜଣେ ସାଧାରଣ ଲୋକ କି ଅପରାଧୀ ନୁହନ୍ତି। ତାଙ୍କର ମାନସିକ ଭାରସାମ୍ୟ ସ୍ଥିର ଥିଲା ଏବଂ ସେ ଜଣେ କାର୍ଯ୍ୟରତ ପୁଲିସ ଥିଲେ। ଯଦି ପ୍ରି ପ୍ଲାନ୍ କରିଥିଲେ କେବେ ଓ କଣ ପାଇଁ କରିଥିଲେ? ନିଜ କ୍ୟାରିୟର ଓ ପରିବାରକୁ ଜଳାଞ୍ଜଳି ଦେଇ କାହିଁକି ଏଭଳି କାମ କଲେ? ସେ ଜଣେ ସୁସ୍ଥ ମାନସିକତାର ଲୋକ ଥିଲେ। କିନ୍ତୁ ଏମିତି କାହିଁକି କଲେ ତାହା ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ନବ ଦାସ ହତ୍ୟାକାଣ୍ଡର ୧୧୮ ଦିନ ପରେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ବ୍ୟକ୍ତିଗତା ଶତ୍ରୁତା କାରଣରୁ ନବଙ୍କୁ ଗୋପାଳ ହତ୍ୟା କରିଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି। ନବ ଦାସ ଓ ତାଙ୍କ ସମର୍ଥକଙ୍କ ଠାରୁ ଭୟ ଥିବାରୁ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା କୁହାଯାଇଛି। ତଦନ୍ତକାରୀ ଡିଏସପି ଏହାର ଚାର୍ଜସିଟ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର