ଭଦ୍ରକ: ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ବିଜେଡି ଗତକାଲି ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିବା ପରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଗତକାଲି ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କୁ ସମର୍ଥନ କରିବେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଏହାପରେ ବିଳମ୍ବିତ ରାତିରେ ତାଙ୍କର ଭଦ୍ରକସ୍ଥିତ ବାସଭବନରେ ସମର୍ଥକଙ୍କ ଭିଡ଼ ଜମିଥିଲା। ସେ ତାଙ୍କ ସମର୍ଥକମାନଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି। ଏବେ ବି ରାଜେନ୍ଦ୍ର ଦାସଙ୍କ ଘରେ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ସେ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ଫର୍ମ କିଣିଥିବା ମଧ୍ୟ ଜଣାଯାଇଛି। ପ୍ରଥମେ ସେ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ନିକଟତମ ମହଲରୁ ଜଣାଯାଇଛି ଯେ ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ହେବେ ନାହିଁ।
ସେ ଆମ ଆଦମୀ ପାର୍ଟି(ଆପ୍) ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏନେଇ ଆପର କେନ୍ଦ୍ର ନେତୃତ୍ବଙ୍କ ସହ ଯୋଗାଯୋଗ ହୋଇଥିବା ଜଣାଯାଇଛି । ଆସନ୍ତାକାଲି ସେ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ବୋଲି ତାଙ୍କ ନିକଟତମ ମହଲରୁ ପ୍ରକାଶ। ତେଣେ ରାଜେନ୍ଦ୍ର ଦାସଙ୍କୁ ମନାଇବା ଲାଗି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଭଦ୍ରକ ଆସୁଥିବାର ସୂଚନା ମିଳିଛି।
ଏଣେ ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ରାଜେନ୍ଦ୍ର ଦାସ ଫ୍ୟାନ୍ କ୍ଲବ ପକ୍ଷରୁ ଏକ ପୋଷ୍ଟ କରି କୁହାଯାଇଛି ଯେ, ଆସନ୍ତାକାଲି ରାଜୁ ଦାସ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବେ। ଏଥିପାଇଁ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ କୁହାଯାଇଛି ।
ଏବେ ରାଜେନ୍ଦ୍ର ଦାସଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁ ନଥିବା ବେଳେ ଅବନ୍ତୀଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଗତକାଲି ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଥିଲେ। ଏହା ପରେ ଦିନ ତମାମ ରାଜୁଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା ଦଳ। ଶେଷରେ ସଂଧ୍ୟାରେ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ନେଇ ଘୋଷଣା କରିଥିଲା ଦଳ। ଏହା ପରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅବନ୍ତୀ ଓ ରାଜୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ।
ସୂଚନାଯୋଗ୍ୟ, ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି।