ଚଳନ୍ତା ବସ୍‌ରେ ଗୁଳି ଓ ହତ୍ୟା ଘଟଣା : ବିରୋଧୀଙ୍କ ଟାର୍ଗେଟ୍‌ରେ ଥିଲେ ପ୍ରତାପ

ଆସିକା : ଏଭଳି କିଛି ଘଟିବ ବୋଲି ତାଙ୍କର ଆଶଙ୍କା ଥିଲା। କାରଣ ମଦ ବେପାର ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଟାର୍ଗେଟ୍‌ରେ ଥିଲେ ଆସିକାର ବିଜେଡି ନେତା ପ୍ରତାପ ଚନ୍ଦ୍ର ପଲେଇ। କିଛି ମାସ ପୂର୍ବେ ପ୍ରତାପଙ୍କ ପାକଲାପଲ୍ଲୀ ବାସଭବନରେ ଧସେଇ ପଶି କିଛି ଯୁବକ ତାଙ୍କୁ ଆକ୍ରମଣ କରିବା ସହ ଜିିନିଷପତ୍ର ଭାଙ୍ଗିରୁଜି ଦେଇଥିଲେ। ଧମକଚମକ ଦେଇ ଯାଇଥିଲେ। ବିପକ୍ଷ ଗୋଷ୍ଠୀ ପଟୁ ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ପ୍ରତାପ ବ୍ରହ୍ମପୁର ସହରକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇ ସେଠାରେ ରହୁଥିଲେ। ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ସମୟ ବ୍ରହ୍ମପୁରରୁ ଆସିକା ବସ୍‌ରେ ଯା’ଆସ କରୁଥିଲେ।

କିନ୍ତୁ ବିରୋଧୀଙ୍କ ଷଡ଼ଯନ୍ତ୍ର ଜାଲରୁ ପ୍ରତାପ ମୁକୁଳି ପାରି ନଥିଲେ। ଗତକାଲି ଯୋଜନାକୁ ଅପରାଧୀ ମାନେ ରୂପ ଦେଇଥିଲେ। ଯାତ୍ରୀ ଭିଡ଼ ବସ୍‌ ଭିତରେ ହିଁ ପଏଣ୍ଡ୍‌ ବ୍ଲାଙ୍କ୍‌ରୁ ଦୁଇ ଜଣ ଯୁବକ ତାଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କଲେ। ଫିଲ୍ମ ଷ୍ଟାଇଲରେ ବସ୍‌ ଭିତରେ ପଶି ହତ୍ୟା କରାଯିବା ଘଟଣାକୁ ନେଇ ସମଗ୍ର ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ଏଭଳି ଶୈଳୀରେ ଅପରାଧ ଜିଲ୍ଲାରେ ପ୍ରଥମ। ହେଲେ ଜୀବନ ପ୍ରତି ବିପଦ ଥିବା ଜାଣିବା ସତ୍ୱେ ପ୍ରତାପ କାହିଁକି ପୁଲିସର ସାହାଯ୍ୟ ଲୋଡ଼ି ନଥିଲେ ତାହା ବିଭିନ୍ନ ମହଲକୁ ବିସ୍ମିତ କରିଛି।

ଗତ ସେପ୍ଟେମ୍ବର ମାସରେ ଛତ୍ରପୁର ବିଜେଡି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ଘଟଣା ପରେ ପ୍ରତାପଙ୍କ ହତ୍ୟା ଘଟଣାକୁ ମଧ୍ୟ ପୁଲିସ ଗୁରୁତ୍ୱର ସହ ନେଇଛି। ଦକ୍ଷିଣାଞ୍ଚଳ ଆଇଜି ଘନଶ୍ୟାମ ଉପାଧ୍ୟାୟ ଓ ଗଂଜାମ ଏସ୍‌ପି ଆଶିଷ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯାଇଛି। ଏଥିପାଇଁ ଶେରଗଡ଼, ହିଞ୍ଜିଳି ଓ ସୋରଡ଼ା ଥାନା ଅଧିକାରୀଙ୍କୁ ନେଇ ଗଠିତ ତିନିଟି ସ୍ୱତନ୍ତ୍ର ଟିମ୍‌ ପୃଥକ୍‌ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ପାକଲାପଲ୍ଲୀ ଗ୍ରାମର ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘଟଣା ଘଟିଥିବା ବସ୍‌ କର୍ମଚାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ପ୍ରତାପ ମଦ ବେପାର ଓ ଏକ ବସ୍‌ର ଭାଗୁଆଳି ଥିଲେ। ସେହିପରି ଏନ୍‌ଏସିରେ ବିଜେଡିର ଜଣେ ସକ୍ରିୟ ନେତା ଥିଲେ। ବସ୍‌ ମାଲିକଙ୍କ ମହଲରେ ସେ ବେଶ୍‌ ପରିଚିତ ବ୍ୟକ୍ତିତ୍ୱ। କାହା ସହ ରାଜନୈତିକ ଶତ୍ରୁତା ମଧ୍ୟ ନଥିଲା। ତେବେ ମଦ ବେପାରକୁ ନେଇ ଏକ ଗୋଷ୍ଠୀ ସହ ଆରମ୍ଭ ହୋଇଥିବା ବିବାଦକୁ ପୁଲିସ ପ୍ରାଥମିକତା ଦେଇ ତଦନ୍ତ କରୁଥିବା ଜଣାପଡ଼ିଛି।

ସେହିପରି ଆଜି ସକାଳେ ଜବତ ବସ୍‌ ଭିତରେ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଛନ୍ତି। ପ୍ରତାପ ବସ୍‌ର ୧୭ ନମ୍ବର ସିଟ୍‌ରେ ବସିଥିଲେ। କରଞ୍ଜେଇ ଛକ ନିକଟରେ ଦୁଇଜଣ ଯୁବକ ତାଙ୍କ ନିକଟକୁ ଆସି ଗୁଳି କରିବା ପରେ ଡ୍ରାଇଭରଙ୍କୁ ଧମକ ଦେଇ ବସ୍‌ ଅଟକାଇ ସେଠାରେ ଓହ୍ଲାଇ ବାଇକ୍‌ରେ ପିଛା କରୁଥିବା ଜଣେ ସହଯୋଗୀଙ୍କ ସହ ଫେରାର୍‌ ହୋଇ ଯାଇଥିଲେ।

ଅନ୍ୟପକ୍ଷରେ ଏଥିରେ ସୁପାରି କିଲିଂ ଆଶଙ୍କାକୁ ପୁଲିସ ଜୋର୍‌ ଦେଉଛି। ଏହି ହତ୍ୟାକାଣ୍ଡରେ ନୂଆରେ ଅପରାଧ ଦୁନିଆରେ ପାଦ ଦେଇଥିବା କିଛି ଯୁବକଙ୍କୁ ବ୍ୟବହାର କରା ଯାଇଥିବା ପୁଲିସ ଅନୁମାନ କରୁଛି। ଏମାନେ ଗତକାଲି ଦିନ ତମାମ୍‌ ପ୍ରତାପଙ୍କ ଗତିବିଧି ଉପରେ ନଜର ରଖିଥିବା ଏବଂ ଯୋଜନାକୁ ରୂପ ଦେବାରେ ସଫଳ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ବ୍ରହ୍ମପୁର ବଡ଼ ମେଡିକାଲରେ ବ୍ୟବଚ୍ଛେଦ ବେଳେ ପ୍ରତାପଙ୍କ ଶରୀରରୁ ତିନିଟି ଗୁଳି ବାହାରିଥିଲା। ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅପରାହ୍ନ ପ୍ରାୟ ୩ଟା ବେଳେ ମୃତଦେହ ପାକଲାପଲ୍ଲୀରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଆସିକା ସହରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଧ୍ୟାନରେ ରଖି ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ମହାପାତ୍ର ଆଇନଶୃଂଖଳା ତଦାରଖ କରୁଛନ୍ତି। ଏନେଇ ଥାନାରେ ଏତଲା ଦାୟର ହୋଇଥିବା ନେଇ ଥାନା ଅଧିକାରୀ ବାଲେଶ୍ୱର ଗିଧି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର