ବଲାଙ୍ଗୀର/ପାଟଣାଗଡ଼/ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ବାଗଦୋର ପଞ୍ଚାୟତ ସମିତିସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ତଥା ବିଜେଡି ନେତା ଲୋକନାଥ ବିଶ୍ବାଳଙ୍କୁ ଗୁଳିକରି ହତ୍ୟା ମାମଲାରେ ପୁଲିସ ୨ ଜଣ ସୁପାରି କିଲର୍ଙ୍କୁ ଜେଲ୍ ପଠାଇଛି। ଉଭୟ ଅଭିଯୁକ୍ତ ପାଟଣାଗଡ଼ ରାମପାଲିର ରବି ଷାଣ୍ଢ(୨୬ବର୍ଷ) ଓ ପାଟଣାଗଡ଼ ବ୍ଲକ୍ ଝୁଲେନବର ଗାଁର ସୀତାରାମ ବିନ୍ଧାଣୀ (୩୦ବର୍ଷ) ବୋଲି ଜଣାପଡ଼ିଛି। ମୁଖ୍ୟ ସୁପାରି କିଲର୍ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ବଲାଙ୍ଗୀର ପୁଲିସ ଏହି ହତ୍ୟା ଘଟଣାକୁ ଗୁରୁତ୍ବର ସହ ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟ ୪ଜଣଙ୍କୁ ଧରିଥିବା ଜଣାପଡ଼ିଛି।
୪ ଜଣଙ୍କୁ ଗୋପନ ସ୍ଥାନରେ ଜେରା!
ହତ୍ୟାର ଦିନକ ପୂର୍ବରୁ ଅଭିଯୁକ୍ତମାନେ ବନମାଲକୁ ଆସିଥିଲେ
ସେମାନଙ୍କୁ ବିଭିନ୍ନ ଗୁପ୍ତ ସ୍ଥାନରେ ରଖି ପଚାରାଉଚରା ପରେ ଚାଞ୍ଚଲ୍ୟକର ସୁରାକ ପାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏସ୍ପିଙ୍କ ନିର୍ଦେଶକ୍ରମେ ଜିଲ୍ଲାର ବଛାବଛା ୫ଜଣ ପୁଲିସ ଅଧିକାରୀ ଏକ ଟିମ୍ ଗଠନ କରି ହତ୍ୟାକାଣ୍ଡର ସୁରାକ ଖୋଜୁଛନ୍ତି। ହତ୍ୟାକାଣ୍ଡ ସଂପର୍କରେ ପୁଲିସ କିଛି କହିବାକୁ ମନା କରୁଥିଲେ ମଧ୍ୟ ଠୋସ୍ ତଥ୍ୟ ପାଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତମାନେ ହତ୍ୟାକାଣ୍ଡର ଦିନକ ପୂର୍ବରୁ ସେହି ଗ୍ରାମରେ ହିଁ ଥିଲେ ଓ ସୁବିଧା ସୁଯୋଗ ଦେଖି ଲୋକନାଥଙ୍କୁ ମାରିଲେ ବୋଲି ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ବିଜେଡି ନେତା ଲୋକନାଥଙ୍କୁ ସୋମବାର ରାତିରେ ତାଙ୍କ ବନମାଲସ୍ଥିତ ବାସଭବନ ବାହାରେ ବସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ମଙ୍ଗଳବାର ସମିତିସଭ୍ୟା ବନିତା ବିଶ୍ବାଳ ତାଙ୍କ ପତି ଲୋକନାଥଙ୍କୁ ଗାଁର ବାସୁ ପଧାନ, ନିୟନ୍ତ ବିଶ୍ବାଳ ଓ ଗିରିଧାରୀ ସା ଲୋକ ଡକାଇ (ସୁପାରି କିଲର ଜରିଆରେ) ଗୁଳିକରି ହତ୍ୟା କରିଥିବା ଅଭିଯୋଗ କରିଥିଲେ। ସୋମବାର ରାତିରେ ଗୁଳି ମାରି ଲାଠୋର ପଟକୁ ଫେରାର ମାରୁଥିବା ବେଳେ ଲାଠୋର ପୁଲିସ ୨ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ଉଭୟଙ୍କୁ ପଚରାଉଚରା ପରେ ବୁଧବାର ସନ୍ଧ୍ୟାରେ ବେଲପଡ଼ା ଥାନା ପୁଲିସ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।