ଓଟିଭି ସାମ୍ବାଦିକଙ୍କୁ ପୁଲିସ ଉଠାଇନେବା ଘଟଣାକୁ ନେଇ ଆରମ୍ଭ ହେଲା ଟ୍ୱିଟ୍ ୱାର, ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ପରେ ବୈଜୟନ୍ତଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ ପୁଲିସ ଉଠାଇନେବା ଘଟଣାକୁ ନେଇ ଟୁଇଟ ଯୁଦ୍ଧ ଦେଖିବାକୁ ମିଳିଛି । ଏହାକୁ ନେଇ ପାକିସ୍ତାନରେ  ଘଟୁଥିବା ଘଟଣା ଭଳି  ଘଟଣା ଓଡ଼ିଶାରେ ଘଟୁଛି ବୋଲି ବିଜେପି ନେତା ବୈଜୟନ୍ତ ପଣ୍ଡା ଟୁଇଟ କରିବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି । ଗତକାଲି ବୈଜୟନ୍ତ ଟୁଇଟ କରି କହିଥିଲେ, ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଭଳି ଲଜ୍ଜାକର କାମ କରୁଛନ୍ତି ଓଡ଼ିଶା ପୁଲିସ ଓ ମହାରାଷ୍ଟ୍ର ପୁଲିସ । ତାହା ପୁଣି ଆଇନର ବିନା ପ୍ରକ୍ରିୟାରେ, ଠିକ୍ ପାକିସ୍ତାନ ଭଳି । ବୈଜୟନ୍ତଙ୍କ ଏଭଳି ଟ୍ୱିଟକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଟ୍ୱିଟରରେ ତାଙ୍କୁ ଘେରିଛନ୍ତି ବିଜେଡି ନେତା ।

ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ବୈଜୟନ୍ତ ପଣ୍ଡାଙ୍କୁ ଓଡ଼ିଶା, ପାକିସ୍ତାନ ଭଳି ମନେ ହେବା ଦୁର୍ଭାଗ୍ୟଜନକ । ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା  ଓଡ଼ିଶା ପ୍ରତି ଓ ଓଡ଼ିଶା ସଂସ୍କୃତିର ଅପମାନ ବୋଲି ଟୁଇଟ କରିଛନ୍ତି ସସ୍ମିତ ପାତ୍ର ।

ସେପଟେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ବୈଜୟନ୍ତଙ୍କ ଟୁଇଟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟୁଇଟରରେ ଲେଖିଛନ୍ତି ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରିବା ଭଳି ଲଜ୍ଜାକର ଘଟଣା ଆଉ କିଛି ନାହିଁ ।

ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଆମେ ସମସ୍ତେ ଆଇନକାନୁନ ଜାଣିଛେ, ତେଣୁ ବୋକା ବନାନ୍ତୁ ନାହିଁ ।

ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରିବାଠାରୁ ଅଧିକ ଲଜ୍ଜାଜନକ ଆଉ କିଛି ନୁହେଁ । ଏହା ସହ ବିଜେଡି ବିଧାୟକ ଚନ୍ଦ୍ର ସାରଥୀ ବେହେରା ବୈଜୟନ୍ତଙ୍କ ଟ୍ୱିଟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିବା ସହ କହିଛନ୍ତି, ଆପଣଙ୍କୁ ଭୋଟ ଦେଇଥିବା ଲୋକଙ୍କୁ ପାକିସ୍ତାନୀଙ୍କ ସହ ତୁଳନା କରିବା ଅତନ୍ତ୍ୟ ନିନ୍ଦନୀୟ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଅପମାନ ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଓଡ଼ିଶାକୁ ପାକିସ୍ତାନ କହିବା ଅତ୍ୟନ୍ତ ନିନ୍ଦନୀୟ । ମହାନ ଭାରତ ଆମର, ମହାନ ଉତ୍କଳ ଆମର । ତାକୁ ପାକିସ୍ତାନ ସହ ତୁଳନା କରିବ? ପାଇକ ପୁଅ ଆମେ, ଓଡ଼ିଶାକୁ କିଏ ଏମିତି କହିଲେ, ବରଦାସ୍ତ କରିବୁନି ।

ସମ୍ବନ୍ଧିତ ଖବର