ଦିଗପହଣ୍ଡି/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଖମ୍ବାରିଗାଁର ଜଣେ ଜଣାଶୁଣା ବିଜେଡି ନେତାଙ୍କୁ କାର୍‌ ମଡ଼ାଇ ହତ୍ୟା କରାଯାଇଛି। ଅଭିଯୁକ୍ତ ମଧ୍ୟ ସେହି ଗାଁର। ଘଟଣା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ତଥା ବିଜେଡି ନେତା ଲଳିତମୋହନ ମହାପାତ୍ର।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଖମ୍ବାରିଗାଁ ଗ୍ରାମ ନିକଟ ଶଙ୍କରଖାଳି ଛକରେ ଲଳିତ ଛିଡ଼ାହୋଇ କାହାସହିତ ଫୋନ୍‌ରେ କଥା ହେଉଥିଲେ। ଏତିକିବେଳେ ସେହିଗଁାର ରାମକୃଷ୍ଣ ମିଶ୍ର ନିଜ କାର୍‌ରେ ସେଠାରେ ଆସି ପହଞ୍ଚିଥିଲେ। ରାମକୃଷ୍ଣ କୌଣସି କାରଣକୁ ନେଇ ଲଳିତଙ୍କୁ ଗାଳିଗୁଲଜ କରିଲେ। ଲଳିତ ଏହାର ପ୍ରତିବାଦ କରିଥିଲେ। ଏପରିକି ଉଭୟଙ୍କ ମଧ୍ୟ ହାତାହାତି ପର୍ଯ୍ୟନ୍ତ କଥାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ରାମକୃଷ୍ଣ ଉତ୍ତ୍ୟକ୍ତ ହୋଇ ଲଳିତଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଲୋକମାନେ ସେଠାରେ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରିବା ପରେ ଲଳିତ ତାଙ୍କ ବୁ‌ଲେଟ୍‌ ମୋଟର୍‌ ସାଇକେଲ୍‌ ଧରି ଗାଁ ଅଭିମୁଖେ ଚାଲି ଯାଇଥିଲେ। ତେବେ, ପଛେପଛେ ଆସୁଥିବା ରାମକୃଷ୍ଣ ତାଙ୍କ କାର୍‌ରେ ଲଳିତଙ୍କୁ ଧକ୍କା‌ ଦେଇଥିଲେ। ଧକ୍କା ଖାଇ ଲଳିତ ରାସ୍ତା କଡ଼ରେ ଥିବା ଏକ ନଡ଼ିଆ ଗଛରେ ଜୋର୍‌ରେ ପିଟି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସେ ତଳେ ପଡ଼ିଥିବା ବେଳେ ରାମକୃଷ୍ଣ ତାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ, ଡାକ୍ତର ତ‌ାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ରାମକୃଷ୍ଣ ଡାକ୍ତରଖାନାରେ ଲଳିତଙ୍କ ମୃତଦେହ ଛାଡ଼ି କାର୍‌ ଧରି କୁଆଡ଼େ ଫେରାର୍‌ ହୋଇ ଯାଇଛନ୍ତି।

ଲଳିତଙ୍କ ସାନଭାଇ ରଜତ ମହାପାତ୍ରଙ୍କ କ୍ରମେ କେ.ନୂଆଗାଁ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ କେ.ନୂଆଗାଁ ଥାନା ଅଧିକରୀ ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି, ଅଭିଯୋଗ ଅନୁସାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ଗତକାଲି ରାତିରୁ କାର୍‌ ଧରି ଅଭିଯୁକ୍ତ କୁଆଡ଼େ ଚମ୍ପଟ ମାରିଛନ୍ତି। ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଏହି ହତ୍ୟା ଘଟଣା ପଛରେ କୌଣସି ରାଜନୈତିକ ଶତ୍ରୁତା ଥିବା ନେଇ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଖମ୍ବାରିଗାଁ ପଞ୍ଚାୟତ ସମେତ ଦିଗପହଣ୍ଡି ଅଞ୍ଚଳର ରାଜନୈତିକ ମହଲରେ ତୀବ୍ର ଅସନ୍ତୋଷ ଲାଗି ରହିଛି।