ବାରିପଦା: ଆଜି ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତିର ପ୍ରଥମ ଦିନ। ମୟୂରଭଞ୍ଜ ଜିଲ୍ଲାର ୫୬ଟି ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ଆଜି ୨୬ଟି ଜୋନ୍‌ର ଫଳାଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ସୁଦ୍ଧା ୨୬ରୁ କୌଣସି ଗୋଟିଏ ବି ଜୋନ୍‌ର ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇନି। ତେବେ ପ୍ରଥମ କିଛି ରାଉଣ୍ଡର ଗଣତି ପରେ ଅଧିକାଂଶ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି। ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ତେବେ କିଛି ଜୋନ୍‌ରେ ଜେଏମ୍‌ଏମ୍‌ ବିଜେଡିକୁ କଡ଼ା ଟକ୍କର ଦେଇଥିବାର ଟ୍ରେଣ୍ଡ ଆସୁଛି।

Advertisment

ଶେଷ ଖବର ସୁଦ୍ଧା ଉଦଳା ନିର୍ବାଚନ ମଣ୍ଡଳୀ ଅଧୀନ ଉଦଳା ବ୍ଲକ୍‌ ଜୋନ୍-୧ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ଜେଏମ୍ଏମ୍ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଗୋପବନ୍ଧୁନଗର ବ୍ଲକ୍‌ ୧୪ ନଂ ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏହି କ୍ଷେତ୍ରର ବିଧାୟକ ଅଛନ୍ତି ବିଜେପିର ଭାଷ୍କର ମଢ଼େଇ। ବାରିପଦା ସଦର ବ୍ଲକ୍‌ ୨୯ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି। ଏଠାରେ ବିଜେପିରୁ ବିଧାୟକ ଅଛନ୍ତି ପ୍ରକାଶ ସୋରେନ। କୁଳିଅଣା ବ୍ଲକ୍‌ ୮ ନଂ ଜୋନ୍‌ରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ଥିବା ବେଳେ ଦ୍ବିତୀୟରେ ବିଜେପି ଓ ତୃ୍ତୀୟରେ ଅଛନ୍ତି ଜେଏମ୍‌ଏମ୍‌ ପ୍ରାର୍ଥୀ। ଏହି ବ୍ଲକ୍‌ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବେଳେ ଏଠାରୁ ବିଧାୟକ ଅଛନ୍ତି ବିଜେଡିର ସୁଦାମ ମାର୍ଣ୍ଡି। ସାରସକଣା ବ୍ଲକ୍‌ର ୫୫ ନଂ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ଜେଏମ୍‌ଏମ୍‌ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏଠାରେ ବିଜେପିର ବୁଢ଼ାନ ମୁର୍ମୁ ବିଧାୟକ ଅଛନ୍ତି।

ମୋରଡ଼ା ନିର୍ବାଚନମଣ୍ଡଳୀ ଅଧୀନ ରାସଗୋବିନ୍ଦପୁର ବ୍ଲକ୍ ୪୭ନଂ ଜୋନ୍‌ରେ ବି‌ଜେଡି ପ୍ରାର୍ଥୀ ଆଗରେ ଅଛନ୍ତି। ଏଠାରେ ବିଜେଡିରୁ ‌ରାଜକିଶୋର ଦାସ ବିଧାୟକ ଅଛନ୍ତି। ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ବ୍ଲକ୍‌ ୩୫ ନଂ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏଠାରେ ବିଜେପିରୁ ସନାତନ ବିଜୁଳି ବିଧାୟକ ଅଛନ୍ତି। ଖୁଣ୍ଟା ବ୍ଲକ୍‌ ୧୨ ନଂ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ବିଜେପି ଓ ଜେଏମ୍‌ଏମ୍‌ ପ୍ରାର୍ଥୀ ମାତ୍ର ୧୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଏହି କ୍ଷେତ୍ରର ବିଧାୟକ ଅଛନ୍ତ ବିଜେପିର ପ୍ରକାଶ ସୋରେନ। ଶୁଳିଆପଦା ବ୍ଲକ୍‌ ୫୩ ନଂ ଜୋନ୍‌ରେ ବିଜେଡି ପ୍ରଥମ ସ୍ଥାନରେ ଥିବା ବେଳେ ଏଠାରେ କଡ଼ା ଟକ୍କର ଦେଉଛି ବିଜେପି। ଏହି କ୍ଷେତ୍ରରୁ ବିଜେଡିର ରାଜକିଶୋର ଦାସ ବିଧାୟକ ଅଛନ୍ତି। ସେହିପରି ବେତନଟୀ ବ୍ଲକ୍‌ ୩୫ ନଂ ‌ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏହି କ୍ଷେତ୍ରର ବିଧାୟକ ଅଛନ୍ତି ବିଜେପିର ସନାତନ ବିଜୁଳି। ବାଙ୍ଗିରିପୋଷି ବ୍ଲକ୍ ୨୭ ନଂ ଜୋନ୍‌ରେ ବିଜେଡି ଆଗୁଆ ରହିଛି। ଏହି କ୍ଷେତ୍ରର ବିଧାୟକ ଅଛନ୍ତି ସୁଦାମ ମାର୍ଣ୍ଡି। ଶାମାଖୁଣ୍ଟା ୪୯ ନଂ ଜୋନ୍‌ରେ ବିଜେଡି ମାତ୍ର ଗୋଟିଏ ଭୋଟ୍‌ରେ ଆଗରେ ରହିଛି।

ରାଇରଙ୍ଗପୁର ବ୍ଲକ୍‌ ୪୫ ନଂ ଜୋନ୍‌ରୁ ବିଜେଡି ଆଗରେ ଥିବା ବେଳେ ଜେଏମ୍‌ଏମ୍‌ ଦ୍ବିତୀୟ ସ୍ଥାନରେ ରହିଛି। ଏହି କ୍ଷେତ୍ରରୁ ବିଧାୟକ ଅଛନ୍ତି ବିଜେପିର ନବଚରଣ ମାଝୀ। ବହଳଦା ବ୍ଲକ୍ ୨୫ ନଂ ଜୋନ୍‌ ବିଜେପି ଆଗରେ ଥିବା ବେଳେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି। ଶୁକୃଳି ବ୍ଲକ୍‌ ୫୧ ନଂ ଜୋନ୍‌ରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। ରରୁଆଁ ବ୍ଲକ୍‌ ୪୩ ନଂ ଜୋନ୍‌ରେ ବିଜେପି ପ୍ରଥମ ସ୍ଥାନରେ ଥିବା ବେଳେ ଅଳ୍ପ ଭୋଟ୍‌ ପଛରେ ଚାଲୁଛି ବିଜେଡି। ଜାମଦା ବ୍ଲକ୍‌ ୧୬ ନଂ ଜୋନ୍‌ରେ ବିଜେଡି ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପି ଓ ଜେଏମ୍‌ଏମ୍‌ ଅଳ୍ପ ଭୋଟ୍‌ ପଛରେ ଅଛନ୍ତି।

ଠାକୁରମୁଣ୍ଡା ବ୍ଲକ୍‌ ୧୮ ନଂ ଜୋନ୍‌ରେ ବିଜେଡି ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପି ବହୁ ପଛରେ ପଡ଼ିଯାଇଛି। କରଞ୍ଜିଆ ବ୍ଲକ୍‌ ୬ ନଂ ଜୋନ୍‌ ବିଜେଡି ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପି ଅର୍ଦ୍ଧାଧିକ ଭୋଟ୍‌ରେ ପଛୁଆ ରହିଛି। ଯଶିପୁର ବ୍ଲକ୍‌ ୪୧ ନଂ ଜୋନ୍‌ରେ ବିଜେଡି ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପି ଢ଼େର ପଛରେ ଚାଲୁଛି। ଏହି କ୍ଷେତ୍ରରୁ ବିଜେପିର ଗଣେଶରାମ ସିଂ ଖୁଣ୍ଟିଆ ବିଧାୟକ ଅଛନ୍ତି। ବିଜାତଳା ବ୍ଲକ୍‌ ୩୧ ନଂ ଜୋନ୍‌ରେ ବିଜେଡି ଆଗରେ ଥିବା ବେଳେ ବି‌ଜେପି ଦ୍ବିତୀୟ ସ୍ଥାନରେ ରହିଛି। ବିଶୋଇ ବ୍ଲକ୍‌ ୩୩ ନଂ ଜୋନ୍‌ରେ ଜେଏମ୍‌ଏମ୍‌ ପ୍ରଥମ ସ୍ଥାନରେ ଥିବା ବେଳେ ଏଠାରେ ଆଶ୍ଚଯ୍ୟଜନକ ଭାବେ ଆପ୍‌ ଦ୍ବିତୀୟ ସ୍ଥାନରେ ରହିଛି। ତିରିଂ ବ୍ଲକ୍‌ ୨୦ ନଂ ଜୋନ୍‌ରେ ବିଜେଡି ପ୍ରଥମ ସ୍ଥାନରେ ରହିଛି। କୁସୁମୀ ବ୍ଲକ୍‌ ୧୦ ନଂ ଜୋନ୍‌ରେ ବିଜେଡି ଆଗରେ ରହିଛି।