ଆଠମଲ୍ଲିକ : କନିଷ୍ଠ ଯନ୍ତ୍ରୀଙ୍କୁ ବିଜେଡି ନେତାଙ୍କ ମାଡ଼। ଏମିତି ଗୁରୁତର ଅଭିଯୋଗ ଆସିଛି ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଛାତ୍ର ଜନତା ସଭାପତି ହିମାଂଶୁ ଶେଖର ପ୍ରଧାନ ଓ ବିଧାୟକଙ୍କ ସମର୍ଥକ ଉପେନ୍ଦ୍ର ପ୍ରଧାନଙ୍କ ବିରୋଧରେ। ଏଥିନେଇ ଆଠମଲ୍ଲିକ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଛି। ଅପରପକ୍ଷରେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ଘଟଣାକୁ ନେଇ ଆଠମଲ୍ଲିକ ରାଜନୀତି ପୁଣି ଚର୍ଚ୍ଚାକୁ ଆସିଛି।

Advertisment

ଆଠମଲ୍ଲିକ ବିଡିଓ ସୌଭାଗ୍ୟ ବେହେରା ଦେଇଥିବା ଏତଲା ଅନୁସାରେ, ୧୩ ତାରିଖରେ ଅନୁଗୁଳ ଜିଲ୍ଲା ପରିଷଦ ସଭାପତି ବବିତା ପ୍ରଧାନ ଆଠମଲ୍ଲିକ ବ୍ଲକ୍‌ର ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକ ଶେଷ ହେବାପରେ ଭାଙ୍ଗମଳିଆ ଗାଁର ଉପେନ୍ଦ୍ର ପ୍ରଧାନ ଓ ମାଧପୁର ପଞ୍ଚାୟତ ବନ୍ଧୁପାଲି ହିମାଂଶୁ ଶେଖର ପ୍ରଧାନ ଉଭୟ ବ୍ଲକ୍‌ କାର୍ଯ୍ୟାଳୟରେ ପଶି କନିଷ୍ଠ ଯନ୍ତ୍ରୀ ସନ୍ଦୀପ ବେହେରାଙ୍କୁ ଗାଳିଗୁଲଜ କରିଥିଲେ। ପରେ ଟଣାଓଟରା କରିବା ସହ ମାଡ଼ ମଧ୍ୟ ମାରିଥିଲେ । ଭୟରେ କନିଷ୍ଠ ଯନ୍ତ୍ରୀ ତାଙ୍କ ସରକାରୀ କ୍ବାର୍ଟର୍ସକୁ ଚାଲିଯାଇଥିଲାବେଳେ ସେଠାରେ ଏହି ଦୁଇ ଜଣ ପହଞ୍ଚି ପୁଣି ଦୁର୍ବ୍ୟହାର କରିଥିଲେ। ଏହସହିତ ବିଭିନ୍ନ ଧମକଚମକ ଦେଇ ଭବିଷ୍ୟତରେ ଦେଖିନେବେ ବୋଲି କହିଥିଲେ। ଏହା ପୂର୍ବରୁ ମଧ୍ୟ ଏହି ଦୁଇ ବ୍ୟକ୍ତି ବ୍ଲକ୍‌ କାର୍ଯ୍ୟାଳୟକୁ ଆସି କର୍ମଚାରୀଙ୍କୁ ହଇରାଣ କରୁଥିବା ବିଡିଓ ଅଭିଯୋଗ କରିଛନ୍ତି। ଅପରପକ୍ଷରେ, ଏଥିନେଇ ହିମାଂଶୁ ଶେଖର ପ୍ରଧାନ ଓ ଉପେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।