ଦିଲ୍ଲୀ ବିମାନ ବନ୍ଦରରେ ବିଜେଡି ନେତାଙ୍କ ଅଭାବନୀୟ କାଣ୍ଡ ଓଡ଼ିଶାକୁ ଲଜ୍ଜିତ କରିଛି: ଯୁବମୋର୍ଚ୍ଚା

ଭୁବନେଶ୍ୱର : ଗତ ୪ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ବିଜେଡି ନେତା ଓ କାର୍ଯ୍ୟକର୍ତାଙ୍କ ଅଭାବନୀୟ କାଣ୍ଡ କାରଣରୁ ଆଜି ସମଗ୍ର ଓଡ଼ିଶା ନିନ୍ଦିତ ଓ ଲଜ୍ଜିତ ହୋଇଛି। ହେଲେ ଏହି ଘଟଣାକୁ ଦଳର ମୁଖିଆ ହାଲୁକା ଭାବେ ନେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଗତ ୪ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀଠାରେ ଏକ ଘରୋଇ ସଂସ୍ଥାଠାରୁ ପୁରସ୍କାର ଗ୍ରହଣ କରିବାକୁ ଯାଇଥିଲେ। ପୁରସ୍କାର ସମାରୋହ ଶେଷ ହେବା ଓଡ଼ିଶା ପ୍ରତ୍ୟାବର୍ତନ ସମୟରେ ଦିଲ୍ଲୀ ବିମାନବନ୍ଦରଠାରେ ଶାସକ ବିଜେଡିର ଯୁବ ବିଧାୟକ, ଯୁବନେତା ଓ କାର୍ଯ୍ୟକର୍ତାମାନେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଯେଉଁ କାଣ୍ଡ ଭିଆଇଲେ, ତାହା କେଉଁ ଭଳି ‘ଜୀବନବ୍ୟାପୀ ସାଧନାର ଫଳ’ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଛନ୍ତି, ନିଶାସକ୍ତ ଅବସ୍ଥାରେ ଥିବା କିଛି ଯୁବ ବିଧାୟକ ତଥା ବିଜୁ ଯୁବ ଜନତା ଦଳର ପ୍ରମୁଖ ନେତୃବୃନ୍ଦମାନେ ପାଇଲଟ ଓ ବିମାନବନ୍ଦର କର୍ମଚାରୀଙ୍କ ସହିତ ଅସଦ୍ ଆଚରଣ ଏବଂ ଅଯଥା ଯୁକ୍ତିତର୍କ କରିବା କାରଣରୁ ସେଠାରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ଓଡ଼ିଶା ସମେତ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା କାରଣରୁ ଓଡ଼ିଶା ଆଜି ନିନ୍ଦିତ ଓ ଅପମାନିତ ହୋଇଛି। ସେହିପରି କେନ୍ଦ୍ର ସରକାରଙ୍କ ବିନାନୁମତିରେ ଜାତୀୟ ପ୍ରତୀକର ଚିହ୍ନ ଲାଗିବା ଏକ ଦଣ୍ଡନୀୟ ଅପରାଧ। ଜାତୀୟ ପ୍ରତୀକକୁ କୌଣସି ବେସରକାରୀ ଓ ଘରୋଇ ସଂସ୍ଥା ବିନା କେନ୍ଦ୍ରୀୟ ଅନୁମୋଦନରେ ବ୍ୟବହାର କରିପାରିବେ ନାହିଁ। କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ନାମକ ଘରୋଇ ସଂସ୍ଥାରୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପୁରସ୍କାରରେ ଜାତୀୟ ପ୍ରତୀକ ରହିଛି । ତା’ହେଲେ ଏଭଳି ପୁରସ୍କାରକୁ ନେଇ ଶାସକ ବିଜେଡିର ଆନନ୍ଦ ଓ ଉଲ୍ଲାସ କେବଳ ଏକ ପ୍ରହସନ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର