ଭୁବନେଶ୍ବର : ୨୦୧୪ ସାଧାରଣ ନିର୍ବାଚନରେ ଆଠଗଡ଼ରୁ ବିଜେପି ପ୍ରାର୍ଥୀ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟ ବିଶ୍ବସୁନ୍ଦର ମିଶ୍ର ଏବଂ ବିଜେପି ରାଜ୍ୟ ମୁଖପାତ୍ର ବିଶ୍ବଜିତ୍ ମହାନ୍ତି ତାଙ୍କ ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଯାଜପୁର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତରଣୀସେନ ପତିଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ କେନ୍ଦ୍ରାପଡ଼ାର ନିଖିଳ ଓଡ଼ିଶା ଶ୍ରମିକ ସଂଗଠନ ନେତା ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ୬୦ରୁ ଉର୍ଦ୍ଧ୍ବ କର୍ମୀ ବିଜେଡିରେ ଯୋଗଦେଇଛନ୍ତି।

Advertisment

ଅନ୍ୟମାନଙ୍କ ମଧ୍ୟରେ ଆଠଗଡ଼ର ବିଜେପି କାଉନସିଲର ମନୋରଞ୍ଜନ ଦାସ, ଗୁରୁଡ଼ିଝାଟିଆ ସରପଞ୍ଚ ପ୍ରଜ୍ଞାଂଶୁ ରଞ୍ଜନ ମହାପାତ୍ର, ଆଠଗଡ଼ ଜୋନ୍ ୧ ବିଜେପି ପ୍ରାର୍ଥୀ ନିମାଇଁ ଚରଣ ରାଉତ, ବିଜେପି ମିଡିଆ ସେଲର ପ୍ରଭଞ୍ଜନ ସେଠୀ, ଵାର୍ଡ଼ ନମ୍ବର ୨ କଂଗ୍ରେସର ବନିତା ବେହେରା, କଖଡ଼ି ବିଜେପି ସଭାପତି ମାନସ ରଞ୍ଜନ ଦଳେଇ, ଜେନାପଦା କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ, ବିଜେପି ମଣ୍ଡଳ ସଭାପତି ହେମନ୍ତ କୁମାର ପ୍ରଧାନ ପ୍ରମୁଖ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ସେହିପରି ଯାଜପୁର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସ୍ବପ୍ନେନ୍ଦୁ କୁମାର ଦାସଙ୍କ ନେତୃତ୍ବରେ ୩୦୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଯାଜପୁର ବିଧାୟକ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ବିପୁଳ ଭୋଟରେ ଜିତାଇବା ଲକ୍ଷ୍ୟରେ ଦଳରେ ଆନୁଷ୍ଠାନିକ ଭାବେ ମିଶିଛନ୍ତି।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତଙ୍କୁ ଦଳ ସଭାପତି ଶ୍ରୀ ପଟ୍ଟନାୟକ ସ୍ବାଗତ କରିବା ସହ ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଭାପତିଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।