ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିପୁଳ ବିଜୟ ହାସଲ କଲା ପରେ ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଦଳୀୟ କର୍ମୀମାନେ ଭେଟିଛନ୍ତି। ବିଜେଡିର ନେତା ଓ କର୍ମୀମାନେ ବଡ଼ ଉତ୍ସାହର ସହିତ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନେତା ଓ କର୍ମୀଙ୍କୁ ଉତ୍ସାହ ଦେଇଛନ୍ତି । ଏଥି ସହିତ ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଆମେ ଭଲ କାମ କରୁଛୁ। ଆଗକୁ ଭଲ କାମ କରିବୁ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ନବୀନ ପଟ୍ଟନାୟକ ପଦ୍ମପୁରବାସୀ, ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଜନାଦେଶ ସମସ୍ତଙ୍କୁ ପ୍ରେରଣା ଦେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନବୀନବାବୁଙ୍କ ଉପରେ ବିଶ୍ବାସ, ବିଜେଡି ଉପରେ ଭରସା ଓ ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂଙ୍କୁ ପଦ୍ମପୁର ଭଲପାଇବା ଦେଇଛନ୍ତି। ପଦ୍ମପୁରରେ ବିକାଶ ହୋଇଛି। ଏଥି ପାଇଁ ପଦ୍ମପୁରବାସୀ ବିଜେଡିକୁ ଭୋଟ ଦେଇଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଟେଲିଫୋନ୍ରେ କଥା ହୋଇଥିଲେ। ପଦ୍ମପୁର ଉପନିର୍ବାଚନରେ ବିପୁଳ ଭୋଟ୍ରେ ବିଜୟୀ ହୋଇଥିବାରୁ ବର୍ଷା ସିଂ ବରିହାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏଥି ସହିତ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କ ପାଇଁ କାମ କରିବାକୁ ବର୍ଷା ସିଂ ବରିହାଙ୍କୁ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/naveen-patnaik-fanal.jpg)