ପଦ୍ମପୁର: ବିପୁଳ ଭୋଟ ବ୍ୟବଧାନରେ ବିଜେଡି ଆଗୁଆ, ବିଜେପି ପ୍ରାର୍ଥୀ ପଛୁଆ

ବରଗଡ଼: ପଦ୍ମପୁର ଉପନିର୍ବାଚନରେ ଭୋଟ୍ ଗଣତି ଜାରି ରହିଥିବା ବେଳେ ଏଠାରେ ବିଜେଡିର ବିଜୟ ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଖାଲି ସେତିକି ନୁହେଁ, ଏହି ଆସନରୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରତିଟି ରାଉଣ୍ଡରେ ଆଗୁଆ ରହିଥିବା ହେତୁ ଏଭଳି ଆକଳନ କରାଯାଉଛି। ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ଏବେ ୨୯,୬୪୮ ଖଣ୍ଡ ଭୋଟରେ ଆଗୁଆ ରହିଥିବା କୁହାଯାଉଛି। ଅବଶ୍ୟ ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କୌଣସି ଆଧିକାରିକ ସୂଚନା ଦେଇନାହାନ୍ତି।

ସୂଚନାଯୋଗ୍ୟ, ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୯,୪୫୨ ଭୋଟରେ ଆଗୁଆ ରହିଥିବାର ସୂଚନା ରହିଥିଲା। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ଏବେ ୧୯୪୫୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ।
ଏହି ରାଉଣ୍ଡରେ ବିଜେଡିକୁ ୫୫୮୫, ବିଜେପିକୁ ୩୬୦୫ ଓ କଂଗ୍ରେସକୁ ୧୯୬ଟି ଭୋଟ୍ ମିଳିଛି। ଏଯାଏ ବିଜେଡି ସପକ୍ଷରେ ୫୪,୧୭୩, ବିଜେପି ସପକ୍ଷରେ ୩୪୭୮୪ ଓ କଂଗ୍ରେସ ସପକ୍ଷରେ ୧୯୯୨ ଖଣ୍ଡ ଭୋଟ୍ ପଡ଼ିଥିଲା।

argusnews

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ପଦ୍ମପୁର ଆରଏମସି ପରିସର କେନ୍ଦ୍ରରେ ଭୋଟ ଗଣତି ଚାଲିଛି। ୧୪ ଟେବୁଲରେ ଗଣତି ଚାଲିଥିବାବେଳେ ୨୩ ରାଉଣ୍ଡରେ ଗଣତି ସରିବ। ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ପରୀକ୍ଷାଫଳ ଜଣାପଡିବ। ଏଠାରେ ସୂଚନାଥାଉକି, ଏହି ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।

ସମ୍ବନ୍ଧିତ ଖବର