ପଦ୍ମପୁର ଭୋଟ ଗଣତି: ବଢ଼ିଚାଲିଛି ବିଜେଡି, ଢେର ପଛରେ ବିଜେପି

ବରଗଡ଼: ପଦ୍ମପୁର ଉପନିର୍ବାଚନରେ ଭୋଟ୍ ଗଣତି ଜାରି ରହିଛି। ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୯,୪୫୨ ଭୋଟରେ ଆଗୁଆ ରହିଥିବାର ସୂଚନା ରହିଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ଏବେ ୧୯୪୫୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।
ଏହି ରାଉଣ୍ଡରେ ବିଜେଡିକୁ ୫୫୮୫, ବିଜେପିକୁ ୩୬୦୫ ଓ କଂଗ୍ରେସକୁ ୧୯୬ଟି ଭୋଟ୍ ମିଳିଛି। ଏଯାଏ ବିଜେଡି ସପକ୍ଷରେ ୫୪,୧୭୩, ବିଜେପି ସପକ୍ଷରେ ୩୪୭୮୪ ଓ କଂଗ୍ରେସ ସପକ୍ଷରେ ୧୯୯୨ ଖଣ୍ଡ ଭୋଟ୍ ପଡ଼ିଛି।

argusnews

ପଦ୍ମପୁରରେ ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ହୋଇଥିଲା। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଊର୍ଦ୍ଧ୍ବ (ବରିଷ୍ଠ ନାଗରିକ) ଭୋଟ୍ ଗଣତି ହୋଇଥିଲା।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଦ୍ମପୁର ଆରଏମସି ପରିସର ଭୋଟ ଗଣତି କେନ୍ଦ୍ରରେ ଏହା ଚାଲିଛି। ୧୪ ଟେବୁଲରେ ଗଣତି ଚାଲିଥିବାବେଳେ ୨୩ ରାଉଣ୍ଡରେ ଗଣତି ସରିବ। ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ ଜଣ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ପରୀକ୍ଷାଫଳ ଜଣାପଡିବ। ଏଠାରେ ସୂଚନାଥାଉକି,ଏହି ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।

ସମ୍ବନ୍ଧିତ ଖବର