ବିଜେଡି ଛାଡ଼ିଲେ ବିଜୟ, ସୁରେନ୍ଦ୍ର, ଖଗେଶ୍ବର ଓ ଭାଗୀରଥି: ଶୋଭାଯାତ୍ରାରେ ସହର ପରିକ୍ରମା କରି ଶକ୍ତି ପ୍ରଦର୍ଶନ କଲେ

କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ ନାୟକ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫାଦେବା ସହ କରଞ୍ଜିଆ ସହରରେ ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ୨୦୦୯ ଓ ୨୦୧୪ରେ କରଞ୍ଜିଆ ଆସନରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ବିଜୟ। ତେବେ, ୨୦୧୯ରେ ଦଳ ତାଙ୍କ ପରିବର୍ତ୍ତେ ବାସନ୍ତୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରିଥିଲା। ସେସମୟରେ ସେ ଦଳ ବିରୋଧରେ ନଯାଇ ବାସନ୍ତୀଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ। ତେବେ, ନିର୍ବାଚନ ପରେ ଦଳ ତାଙ୍କୁ କୌଣସି ସାଂଗଠନିକ ପଦବି ନ ଦେଇ ଅଣଦେଖା କରିଥିଲା। ଅନ୍ୟପକ୍ଷରେ, ବାସନ୍ତୀଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ପଦ ମିଳିଥିବାରୁ କରଞ୍ଜିଆରେ ବିଜୟଙ୍କ ଦବ୍‌ଦବା କମିବା‌ରେ ଲାଗିଥିଲା। ତଥାପି ଦଳ ଏଥର ତାଙ୍କୁ ପ୍ରାର୍ଥୀ କରିବ ବୋଲି ସେ ଆଶା ରଖିଥିଲେ। ଏପରିକି ତାଙ୍କ ନାଁ ଉପରେ ସୁପ୍ରି ମୋ ମୋହର ମାରି ସାରିଥିବା ମଧ୍ୟ କହୁଥିଲେ। ହେ‌ଲେ, ଦୀର୍ଘ ସମୟ ଧରି ଏହି ଆସନକୁ ଝୁଲାଇ ରଖିବା ପରେ ଶେଷରେ ବାସନ୍ତୀଙ୍କୁ ପୁଣି ଟିକେଟ୍‌ ଦେଇଥିଲା ବିଜେଡି। ଏହାକୁ ନେଇ ବିଜୟ ଓ ତାଙ୍କ ସମର୍ଥକ କ୍ଷୁବ୍‌ଧ ଥିଲେ। ଶେଷରେ ଆଜି ନିଜ ସମର୍ଥକଙ୍କ ସହ ସେ ଦଳ ଛାଡ଼ିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ମାଣିକ ଛକରୁ ବାହାରି ସହର ପରିକ୍ରମା କରିବା ପରେ ସାମ୍ବାଦିକ ସମ୍ମିଳନୀ ଡାକି ଆଗାମୀ ଦିନେ ଦୁଇଦିନ ଭିତରେ ନିଜ ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଜଣାଇବେ ବୋଲି କହିଛନ୍ତି। ବିଜୟଙ୍କ ଶୋଭାଯାତ୍ରାରେ ପୂର୍ବତନ ପୌରାଧ୍ୟକ୍ଷ ପ୍ରେମଜିତ ସାହୁ, କାଉନ୍‌ସିଲର ବିବେକାନନ୍ଦ ଦାସଙ୍କ ସମେତ ଶତାଧିକ ସମର୍ଥକ ସାମିଲ ହୋଇଥିଲେ।

ପୁରୀ/କାକଟପୁର: କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ସେଠୀ ଶେଷରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ସନ୍ଧ୍ୟାରେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଦଳର ଅବହେଳା ଓ ଅସହଯୋଗ ପାଇଁ ସେ ଦଳ ଛାଡ଼ିଥିବା କହିଛନ୍ତି। ଶ୍ରୀ ସେଠୀ କହିଛନ୍ତି, ୨୦୧୪ରୁ କାକଟପୁର ନିର୍ବାଚନମଣ୍ଡଳୀରେ ସେ ଦଳର ସଂଗଠନକୁ ସୁଦୃଢ଼ କରି ଆସିଛନ୍ତି। କାକଟପୁର ନିର୍ବାଚନମଣ୍ଡଳୀର ଦୁଇ ବ୍ଲକ କାକଟପୁର ଓ ଅସ୍ତରଙ୍ଗ ପଞ୍ଚାୟତ ସମିତି ଆସନ ଦଖଲ କରିବାରେ ସଫଳ ହେବା ସହ ନିର୍ବାଚନମଣ୍ଡଳୀର ୪୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଜିତାଇ ଦଳର ବଳକୁ ଦ୍ବିଗୁଣିତ କରିଥିବା ସେ କହିଛନ୍ତି। ତେବେ ୨୦୧୯ରେ ତାଙ୍କର ଟିକେଟ ଶେଷ ମୂହୂର୍ତ୍ତରେ ପ୍ରତ୍ୟାହାର କରି ନିଆଯାଇଥିଲା। ୨୦୨୪ରେ ଟିକେଟ ଦେବେ ବୋଲି ସେତେବେଳେ ଦଳ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ଦଳ ତାଙ୍କୁ ଭଣ୍ଡାଇଥିବାରୁ ସମର୍ଥକଙ୍କ ନିଷ୍ପତ୍ତିକ୍ରମେ ସେ ଦଳ ଛାଡ଼ିଥିବା କହିଛନ୍ତି। ତେବେ କେଉଁ ଦଳରେ ମିଶିବେ ତାହା ଶ୍ରୀ ସେଠୀ ନିଷ୍ପତ୍ତି ନେଇନାହାନ୍ତି। ଅନ୍ୟପକ୍ଷରେ କୌଣସି ଦଳରୁ ଟିକେଟ ମିଳୁ କି ନି ନମିଳୁ, ଚଳିତ ନିର୍ବାଚନରେ କାକଟପୁର ବିଧାନସଭା ଆସନରୁ ନିଶ୍ଚିତ ଲଢ଼ିବେ ବୋଲି ଶ୍ରୀ ସେଠୀ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୪ରେ ସୁରେନ୍ଦ୍ର ବିଜେଡି ଟିକେଟରେ ଲଢ଼ି ବିଧାୟକ ହୋଇଥିଲେ। ଏଥିରେ ସୁରେନ୍ଦ୍ରଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ ବିଜେପିର ତୁଷାରକାନ୍ତି ବେହେରା। ୨୦୧୯ରେ ବିଜେଡି ତୁଷାରକାନ୍ତିଙ୍କୁ ଦଳରେ ମିଶାଇ ଟିକେଟ ଦେଇଥିଲା। ସୁରେନ୍ଦ୍ର ଟିକେଟ ପାଇ ପ୍ରଚାର ଆରମ୍ଭ କରି ଦେଇଥିଲେ ବି ଶେଷ ମୁହୂର୍ତ୍ତରେ ଦଳ ସୁରେନ୍ଦ୍ରଙ୍କଠାରୁ ଟିକେଟ ପ୍ରତ୍ୟାହାର କରି ନେଇଥିଲା। ସେ ସମୟରେ ଅସନ୍ତୁଷ୍ଟ ସୁରେନ୍ଦ୍ରଙ୍କ ସମର୍ଥକଙ୍କୁ ବହୁ ବୁଝାସୁଝା କରି ଶାନ୍ତ କରିଥିଲା ଦଳ। ସୂଚନାଯୋଗ୍ୟ, ଶ୍ରୀ ସେଠୀ ବିଜେଡିର ରାଜ୍ୟ ପରିଷଦ ସଦସ୍ୟ ଥିଲେ।

ଛେଣ୍ଡିପଦା: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ନିଜର ଦକ୍ଷତା, ଶ୍ରେଷ୍ଠତା ପ୍ରତିପାଦନ ସତ୍ତ୍ୱେ ଦଳରେ ହତାଦର କରାଯାଉଛି ବୋଲି ଅଭିଯୋଗ କରି ସେ ତାଙ୍କ ଇସ୍ତଫାପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ସମସ୍ତ ସାମର୍ଥ୍ୟ ସତ୍ତ୍ୱେ ଲୋକଙ୍କ କାର୍ଯ୍ୟ କରିବା ପାଇଁ ସୁଯୋଗ ନ ମିଳିବାରୁ ବାଧ୍ୟହୋଇ ଇସ୍ତଫା ଦେଇଥିବା ଶ୍ରୀ ବେହେରା କହିଛନ୍ତି। ତେବେ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। ଓଡ଼ିଶାର ବିକାଶ ଓ ଜନହିତକର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇବା ସହିତ ଖୁବଶୀଘ୍ର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି। ସେ ନବଗଠିତ ଛେଣ୍ଡିପଦା ବିଧାନସଭା ଆସନରୁ ପ୍ରଥମ ବିଧାୟକ ଭାବେ ୨୦୦୯ରେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ରେ ଦଳ ତାଙ୍କୁ ଆଉ ଭରସା କରି ନଥିଲା। ତାଙ୍କ ବଦଳ‌ରେ ସୁଶାନ୍ତ ବେହେରାଙ୍କୁ ଟିକେଟ ଦେଇଥିଲା। ୨୦୧୯ରେ ବି ଦଳ ତାଙ୍କୁ ନିରାଶ କରିଥିଲା। ୨୦୨୪ରେ ଟିକେଟ ପାଇଁ ସେ ଆଶାୟୀ ଥିଲେ। ହେଲେ ଏଥର ମଧ୍ୟ ଟ‌ିକେଟ ନ ମିଳିବାରୁ ସେ ଦଳ ଛାଡ଼ିଥିବା କୁହାଯାଉଛି। ଅସନ୍ତୁଷ୍ଟ ନେତାମାନେ ଦଳ ଛାଡ଼ୁଥିବାରୁ ଏହା ବିଜେଡି ଶିବିରକୁ ଚିନ୍ତାରେ ପକାଇଛି।

ଆନନ୍ଦପୁର: ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଭାଗୀରଥି ୨୦୧୪ରେ ବିଜେଡି ଟିକେଟରୁ ବଞ୍ଚିତ ହେବାପରେ ବିଜେପିରେ ମିଶିଥିଲେ। ୨୦୧୯ରେ ବିଜେପି ତାଙ୍କୁ ଆନନ୍ଦପୁରରୁ ଟିକେଟ ମଧ୍ୟ ଦେଇଥିଲା। ଶେଷ ମୁହୂର୍ତ୍ତରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇ ଟିକେଟ ହାତେଇଥିଲେ ଏବଂ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଭୋଟରେ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ସେ ପୁଣି ଟିକେଟ ପାଇବେ ବୋଲି ଆଶା ରଖିଥିଲେ। ଗତ ୨୦ ତାରିଖରେ ବିଜେଡି ହାଟଡିହି ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ସେହିଦିନଠାରୁ ଭାଗୀରଥି ଚୁପ୍‌ ରହିଥିଲେ। ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ସେ ସମର୍ଥକଙ୍କୁ ନେଇ ଏକ ବୈଠକ କରିବେ। ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଭାଗୀରଥି କହିଛନ୍ତି।

ସମ୍ବନ୍ଧିତ ଖବର