କୋରାପୁଟ ଜିଲ୍ଲାରେ ଗଡ଼ ବଞ୍ଚାଇବାରେ ୩ ବିଜେଡି ବିଧାୟକ ବିଫଳ

ଜୟପୁର : ଗାଁ ଲୋକଙ୍କୁ ମିଳିଲେ ନୂଆ ନେତା। କିନ୍ତୁ କୋରାପୁଟ ଜିଲ୍ଲାରେ ଭୋଟର ଭିନ୍ନ ସଂକେତ ଦେଇଛନ୍ତି। ଯାହା ଏବେ ଉଭୟ ବିଜେଡି ଓ କଂଗ୍ରେସକୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରିଛି। ଦୁଇ ଦଳ ମଧ୍ୟରେ ହୋଇଥିବା ଜୋରଦାର ଲଢ଼େଇ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବର ଆରମ୍ଭ ମାତ୍ର ବୋଲି କୁହାଯାଉଛି। ବଡ଼ କଥା ହେଲା ବିଜେଡିର ତିନି ଜଣ ବିଧାୟକ ଏହି ନିର୍ବାଚନରେ ଆଶାନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଆଗାମୀ ନିର୍ବାଚନର ରୂପରେଖ କଣ ହେବ ତାହାର ଆଭାସ ଦେଇଛି। ଯଦି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁଯାୟୀ ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବ ତେବେ ‌ଲକ୍ଷ୍ମୀପୁର, ପଟାଙ୍ଗି ଏବଂ କୋରାପୁଟ ବିଧାୟକଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ଜୋନ୍‌ ମଧ୍ୟରୁ ଦୁଇଟି ଜୋନ୍‌ରେ ବିଜେଡି ବିଜୟୀ ହୋଇଛି। ବଳକା ୫ଟି ଜୋନ୍‌ କଂଗ୍ରେସ ହାତକୁ ଚାଲି ଯାଇଛି। ବନ୍ଧୁଗାଁ ବ୍ଲକ୍‌ ଦାୟିତ୍ବରେ ପୂର୍ବତନ ବିଧାୟକ ତଥା ସାଂସଦ ଝିନ୍ନ ହିକକା ରହିଥିଲେ। ଏହି ବ୍ଲକ୍‌ରେ ବିଜେଡି ଉଭୟ ଜୋନ୍‌ ଅକ୍ତିଆର କରିଛି। ଅନ୍ୟପଟେ ବର୍ତ୍ତମାନର ବିଧାୟକ ପ୍ରଭୁ ଜାନି ନିଜ ବ୍ଲକ୍‌ ଦଶମନ୍ତପୁରରେ ଦଳକୁ ଜିତାଇବାରେ ସଫଳ ହେଲେ ନାହିଁ। ସେହିପରି କଂଗ୍ରେସ ଛାଡ଼ି ବିଜେଡିକୁ ଯାଇଥିବା ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କିଲେସିକା ବି ନିର୍ବାଚନରେ କୌଣସି ପ୍ରକାର ପ୍ରଭାବ ପକାଇ ପାରିଲୋନି।

କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ ଜିଲ୍ଲା ପରିଷଦ ଜୋନ୍‌ ରହିଥିବା ବେଳେ ବିଜେଡି ଭାଗରେ ମାତ୍ର ଗୋଟିଏ ଜୋନ୍‌ ପଡ଼ିଛି। ବଳକା ୪ଟି ଜୋନ୍‌ କଂଗ୍ରେସ ହାତକୁ ଚାଲି ଯାଇଛି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ରଘୁରାମ ପଡ଼ାଲ ରହିଛନ୍ତି। ଦଳର ଏଭଳି ପ୍ରଦର୍ଶନ ବିଧାୟକ ଏବଂ ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀଙ୍କୁ ନିଶ୍ଚିତ ରୂପେ ଚିନ୍ତା କରିବାକୁ ବାଧ୍ୟ କରିବ। ପଟାଙ୍ଗି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୬ଟି ଜିଲ୍ଲା ପରିଷଦ ଜୋନ୍‌ ରହିଥିବା ବେଳେ ସେମିଳିଗୁଡ଼ା ବ୍ଲକ୍‌ର ଦୁଇଟି ଜୋନ୍‌ କଂଗ୍ରେସ ଅକ୍ତିଆର କରିଛି। କଂଗ୍ରେସର ପୂର୍ବ ଗଡ଼ କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିନ୍ତୁ ବିଜେଡି ବଡ଼ ସଫଳତା ପାଇଛି। ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ ନିଜ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଛନ୍ତି। କୋଟପାଡ଼, କୁନ୍ଦୁରାର ଦୁଇଟି ଲେଖାଏଁ ଜୋନ୍‌ ସହ ବୋରିଗୁମ୍ମା ଏବଂ ବୈପାରିଗୁଡ଼ାର ଗୋଟିଏ ଲେଖାଏଁ ଜୋନ୍‌ରେ ବିଜେଡି ସଫଳତା ପାଇଛି।

କଂଗ୍ରେସ ଗତ ପଞ୍ଚାୟତ ନିର୍ବାଚନ ଠାରୁ ଭଲ ପ୍ରଦର୍ଶନ କରିଛି। କିନ୍ତୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ବିଧାନସଭା କ୍ଷେତ୍ରରେ ଆଶାନୁଯାୟୀ ପ୍ରଦର୍ଶନ କରିପାରି ନାହାନ୍ତି। ଜୟପୁର ବ୍ଲକ୍‌ର ୩ଟି ଜୋନ୍‌ ଏବଂ ବୋରିଗୁମ୍ମା ବ୍ଲକ୍‌ର ଦୁଇଟି ଜୋନ୍‌ ମଧ୍ୟରୁ କେବଳ ଗୋଟିଏ ଜୋନ୍‌ରେ କଂଗ୍ରେସ‌ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର