ପୁରୁଷୋତ୍ତମପୁର ବ୍ଲକ୍ ଯୁବ ବିଜେଡି ସଭାପତିଙ୍କୁ ଅପହରଣ, ହତ୍ୟା ଧମକ

ପ୍ରାକ୍ତନ ବ୍ଲକ୍ ସଭାପତିଙ୍କ ପୁଅ ସମେତ ୪ ଜଣଙ୍କ ନାଁରେ ମାମଲା

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନଗର ଏବଂ ବ୍ଲକ୍ ବିଜେଡି ଭିତରେ ଗ‌ୋଷ୍ଠୀ ବିବାଦ ଉଗ୍ର ରୂପ ଦେଇଛି। ଉଭୟ ଗୋଷ୍ଠୀ ପରସ୍ପରକୁ ଆରୋପପ୍ରତ୍ୟାରୋପ କରୁଥିବା ବେଳେ କଥା ଥାନାରେ ପହଞ୍ଚିଛି। ଗତ କିଛି ଦିନ ତଳେ ନଗର ସଭାପତି ଚୟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ବ୍ଲକ୍ ଯୁବ ବିଜେଡି ଉପସଭାପତି ଶୁଭ୍ରାଂଶୁ ଶେଖର ସାବତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ବାସୁଦେବଙ୍କ ଏତଲା କ୍ରମେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି।

ଏଭଳି ପରିସ୍ଥିତିରେ ପୁରୁଷୋତ୍ତମପୁର ବ୍ଲକ୍ ଯୁବ ବିଜେଡି ସଭାପତି ଜଗମୋହନ ପାଣିଗ୍ରାହୀଙ୍କୁ କିଛି ଯୁବକ ଅପହରଣ କରିଥିବା ହତ୍ୟା ଧମକ ‌ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ପୂର୍ବତନ ବ୍ଲକ୍ ବିଜେଡି ସଭାପତି ବାଉରୀବନ୍ଧୁ ପଣ୍ଡାଙ୍କ ପୁଅ ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ୬ ଜଣ ଯୁବକ ସଂପୃକ୍ତ ଥିବା ନେଇ ସେ ଥାନାରେ ଏତଲା ଦେଇଛନ୍ତି। ଏହାକୁ ଆଧାର କରି କେସ୍ ନମ୍ବର ୫୭୯ ଅନୁସା‌ରେ ଏକ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।

ପୂର୍ବତନ ବ୍ଲକ୍ ବିଜେଡି ସଭାପତି ଦିଗାମ୍ବର ପାଣିଗ୍ରାହୀଙ୍କ ପୁଅ ଜଗମୋହନଙ୍କ ଅଭିଯୋଗ ଅନୁସା‌ରେ, ସେ ଗତ ୧୬ ତାରିଖ ରାତି ସାଢ଼େ ୧୧ଟାରେ ବ୍ରହ୍ମପୁରରୁ ନିଜ ଗାଁ ଷୋଳଘର ଫେରୁଥିବା ସମୟରେ ୬ ଜଣ ଯୁବକ ନରସିଂହପୁର ଛକରେ ତାଙ୍କୁ ଅଟକାଇଥିଲେ। ସେମାନେ ଚାରିଟି ବାଇକ୍‌ରେ ଆସିଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ର ଦେଖାଇ ମାଡ଼ ମାରିଥିଲେ। ତଳେ ପଡ଼ିଯିବା ପରେ ଏକ ବାଇକ୍‌ରେ ଅପହରଣ କରିନେଇଥିଲେ। ଆଉ ପାଣ୍ଡିଆକୁ ସଂଯୋଗ ହୋଇଥିବା ରାସ୍ତାରେ ହତ୍ୟା ଧମକ ଦେଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଯୁବକର ‌ମୋବାଇଲ୍ ରିଙ୍ଗ୍ ହେବାରୁ ସେମାନେ ତାଙ୍କୁ ଆଣି ଋଷିକୁଲ୍ୟା ବ୍ରିଜ୍ ଉପରେ ଛାଡ଼ି ପଳାଇଥିଲେ। ୬ ଜଣଙ୍କ ମଧ୍ୟରୁ ସେ ନିଲୁ ଗୌଡ଼ ଓ ପୂର୍ବତନ ବ୍ଲକ୍ ବିଜେଡି ସଭାପତି ବାଉରୀବନ୍ଧୁଙ୍କ ପୁଅ ସନ୍ତୋଷଙ୍କୁ ଚିହ୍ନିପାରିଥିବା କହିଛନ୍ତି। କିନ୍ତୁ ଅନ୍ୟ ୪ଜଣଙ୍କୁ ଜାଣିପାରି ନଥିବା ଜଗମୋହନ କହିଛନ୍ତି। ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ତେବ‌େ ‌ପଞ୍ଚାୟତ ଓ ପୌର ନିର୍ବାଚନ ଆଗରୁ ବିଜେଡିର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର