ଜାଲ୍ ଗୁଇନ୍ଦା ଚିଠି ନେଇ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପ୍ରସଙ୍ଗ : ଚତୁର୍ଥ ଥର ପାଇଁ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେଡି

ଭୁବନେଶ୍ବର : ଜାଲ ଗୁଇନ୍ଦା ଚିଠି ଆଧାରରେ ସାମ୍ବାଦିକ ସମ୍ମିଳନୀ କରିଥିବା ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟି ଚତୁର୍ଥ ଥର ପାଇଁ ଅଭିଯୋଗ କରିଛି ବିଜେଡି। ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସୋସିଆଲ ମିଡିଆରେ ଏପରି ଜାଲ ଚିଠିର ପ୍ରସାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ସାନି ଦାବି କରିଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ପତ୍ରରେ ବିଜୁ ଜନତା ଦଳ ଦର୍ଶାଇଛି, ଗତ ମାର୍ଚ୍ଚ ୧୮ ତାରିଖରେ ଗୋଟିଏ ଜାଲ ଗୁଇନ୍ଦା ଚିଠିକୁ ପ୍ରଦର୍ଶନ କରି ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟବାସୀଙ୍କୁ ଅସତ୍ୟ ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିଲା। ଏ ନେଇ ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦଳ ପକ୍ଷରୁ ମାର୍ଚ୍ଚ ୧୯, ୨୩ ଓ ୨୭ ତାରିଖରେ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା। ଏ ନେଇ ଆଦର୍ଶ ଆଚରଣ ବିଧି ଉଲଂଘନ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏବେ ଚତୁର୍ଥ ଓ ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୧୮ ଦିନ ବାକି ଥିବାବେଳେ ଏବେସୁଦ୍ଧା ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ବୋଲି ଦର୍ଶାଇ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ଦଳୀୟ ମୁଖପାତ୍ର ସସ୍ମିତ୍ ପାତ୍ର, ମୁଖପାତ୍ର ସୁଲୋଚନା ଦାସ, ମୁଖପାତ୍ର ଲେନିନ୍ ମହାନ୍ତି ଓ ମୁଖପାତ୍ର ସୁଲତା ଦେଓ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର