ଭୁବନେଶ୍ବର : ଭୋଟ ଦେଇସାରିବା ପରେ ଗଣମାଧ୍ୟମରେ ବିଜେପିକୁ ଭୋଟ ଦେବାକୁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଚାର କାର୍ଯ୍ୟରୁ ସପ୍ତାହ ପାଇଁ ଅନ୍ତର କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛି ବିଜେଡି। ସେହିପରି ଭୁବନେଶ୍ବରରେ ନିର୍ବାଚନ ଚାଲିଥିବାବେଳେ ଭୁବନେଶ୍ବର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ନିଜ ସମର୍ଥକଙ୍କ ସହ ସବୁ ବୁଥରେ ପ୍ରବେଶ କରି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାବଳୀର ଉଲଂଘନ କରିଛନ୍ତି। ଏହାସହିତ ବିଜେଡିର କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନୋଟିସକୁ ନେଇ ଦଳ ଅସନ୍ତୋଷ ପ୍ରକାଶ କରିଛି।

Advertisment

ବିଜେଡି ଅଭିଯୋଗ ପତ୍ରରେ ଦର୍ଶାଇଛି ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭୋଟ ଦେଇସାରି ପୁଣି ଥରେ ନିଜ ଦଳ ପାଇଁ ଭୋଟ ଦେବାକୁ ଭୋଟରଙ୍କୁ ପ୍ରଭାବିତ କରିବାଭଳି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି। ଯାହାକି ନିରବ ଅବଧି ନିର୍ଦ୍ଦେଶାବଳୀର ଉଲଂଘନ। ଆଉ ଏପରି ଆଦର୍ଶ ଆଚରଣ ବିଧିର ଉଲଂଘନ ଲଗାତାର ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କରିଆସୁଛନ୍ତି। ସେହିପରି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ନିଜ ଭୋଟ ଦେଇସାରିବା ପରେ ୨୦ରୁ ୨୫ ଜଣ ସମର୍ଥକଙ୍କୁ ଧରି ଭୁବନେଶ୍ବର ସବୁ ବୁଥରେ ବିନାଅନୁମତିରେ ପ୍ରବେଶ କରିଥିଲେ। ଏପରିକି ନିର୍ଦ୍ଦିଷ୍ଟ ଭାବେ ଅପରାହ୍ନ ୨ଟାରୁ ୩ଟା ଭିତରେ ଭୁବନେଶ୍ବର ଆଇଆରସି ଭିଲେଜର ଗୋଟିଏ ବୁଥରେ ନିଜ ସମର୍ଥକମାନଙ୍କ ସହ ଅବାଧରେ ପ୍ରବେଶ କରିଥିଲେ ବି ପୋଲିଂ ଅଧିକାରୀମାନେ ନୀରବଦ୍ରଷ୍ଟା ସାଜିଥିଲେ। ଯାହାକି ନିର୍ବାଚନ କମିସନଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀର ପରିପନ୍ଥୀ। ସେହିପରି ନିରବ ଅବଧି ଭିତରେ ବିଜେଡିର କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଫେସବୁକ ପୋଷ୍ଟକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ନେଇ ଦଳ ଆପତ୍ତି ଉଠାଇଛି। ଏ ନେଇ ବିଜେଡି ଦର୍ଶାଇଛି, ନିରବ ଅବଧି ବଳବତ୍ତର ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଆରମ୍ବ କରି ବିଜେପି ନେତା ବାରମ୍ବାର ଗଣମାଧ୍ୟମରେ ବିବୃତି ଦେଇଥିଲେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଏ ନେଇ ମଧ୍ୟ ବିଜେଡି ସାମ୍ବାଦିକ ସମ୍ମଳନୀ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି। ସମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ମୁଖପାତ୍ର ଲେନିନ୍ ମହାନ୍ତି ଓ ମୁଖପାତ୍ର ସୁଲତା ଦେଓ ପ୍ରମୁଖ ସାମିଲ ଥିଲେ।