ସିଇଓଙ୍କ ପାଖରେ ପୁଣି ଫେରାଦ : ଯେତେ ଅଭିଯୋଗ କଲେ ବି ଓଟିଭି ଓ ବିଜେପି ବିରୋଧରେ ହେଉନି କାର୍ଯ୍ୟାନୁଷ୍ଠାନ – ବିଜେଡି

ଭୁବନେଶ୍ବର : ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ବିଜେପି ଓ ଓଟିଭି ବିରୋଧରେ ବାରମ୍ବାର ଅଭିଯୋଗ କଲେ ବି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜୁ ଜନତା ଦଳ। ଆଜି ପୂୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି। ସମ୍ବଲପୁରରେ ବସ୍ତିବାସିନ୍ଦାଙ୍କୁ ମାଗଣା ଜମି ପଟ୍ଟା ଦେବା ନେଇ ପ୍ରତିଶ୍ରୁତି ପତ୍ର ସଂଗ୍ରହ କରିବା ସହ କେନ୍ଦ୍ରୀୟ ସଂସ୍ଥାରୁ ହୋର୍ଡ଼ିଂ ହଟାନଯିବା ଏବଂ ଓଟିଭି ଆଚରଣ ବିଧି ଉଲଂଘନ କରିଥିବା ନେଇ ପୃଥକ୍ ଭାବେ ୩ଟି ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି।

ବିଜେଡି ଦର୍ଶାଇଛି, ପ୍ରତିଶ୍ରୁତି ପତ୍ର ଜରିଆରେ ସମ୍ବଲପୁରରେ ବିଜେପି ପକ୍ଷରୁ ସହରର ବସ୍ତିବାସିନ୍ଦାଙ୍କୁ ମାଗଣା ଜମିପଟ୍ଟା ଓ ପକ୍କାଘର ବଣ୍ଟନ ପାଇଁ ପ୍ରଲୋଭିତ କରାଯାଇଛି। ବସ୍ତିବାସିନ୍ଦାଙ୍କଠୁ ବିଜେପି ସଂଗ୍ରହ କରିଥିବା ପ୍ରତିଶ୍ରୁତି ପତ୍ରକୁ ପ୍ରମାଣସ୍ବରୂପ ବିଜେଡି ସିଇଓଙ୍କୁ ପ୍ରଦାନ କରିଛି। ନିର୍ବାଚନ ଚାଲୁଥିବାବେଳେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରତିଶ୍ରୁତି ପତ୍ର ବଣ୍ଟନ କରିବା ଆଚରଣ ବିଧିର ଖୋଲାଖୋଲି ଉଲଂଘନ ବୋଲି ବିଜେଡି କହିଛି। ଏ ନେଇ ପୂର୍ବରୁ ମଧ୍ୟ ଦଳ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା।

ସେହିପରି ରାଜ୍ୟରେ ଥିବା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ହୋର୍ଡ଼ିଂରୁ ବିଜେପିର କେନ୍ଦ୍ରୀୟ ନେତାଙ୍କ ଫଟୋ ହଟାଇ ନ ଥିବା ନେଇ ବିଜେଡି ଅଭିଯୋଗ କରିଛି। ହୋର୍ଡ଼ିଂ ହଟାନଯିବା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ସି-ଭିଜିଲ ଆପ୍ ଜରିଆରେ ବିଜେଡି ପ୍ରମାଣ ସହ ଅଭିଯୋଗ କରିଛି। ଓଟିଭି ବାରମ୍ବାର ବିଜେପି ତରଫରୁ ପେଡ୍ ନ୍ୟୁଜ୍ ପରିବେଷଣ କରିଆସୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତୁରନ୍ତ ବିଜେପି ଓ ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ପୁଣି ଥରେ ସିଇଓଙ୍କୁ ନିବେଦନ କରିଛି। ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେଡି ପ୍ରତିନିଧିମଣ୍ଡଳୀରେ ମୁଖପାତ୍ର ସସ୍ମିତ୍ ପାତ୍ର, ଲେନିନ୍ ମହାନ୍ତି ଓ ସୁଲତା ଦେଓ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର