ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା ବିଜେଡି

ଭବାନୀପାଟଣା : ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସୋମବାର କଳାହାଣ୍ଡି ଜିଲ୍ଲା ମହିଳା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଲ୍‌ପିଜି ଦର ବାରମ୍ବାର ବୃଦ୍ଧି ଯୋଗୁଁ ଗରିବ ପରିବାରର ହନ୍ତସନ୍ତ ହେଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଏପଟେ ପେଟ୍ରୋଲ ଓ ଡିଜେଲ୍‌ର ଅହେତୁକ ଦର ବୃଦ୍ଧି ଯୋଗୁଁ ସାଧାରଣ ଅତିଷ୍ଠ ହୋଇ ପଡ଼ିଲେଣି ବୋଲି ପୂର୍ବ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ କହିଥିଲେ। ଏ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀଚନ୍ଦନଙ୍କୁ ପ୍ରଦାନ କରାଯାଇଥିଲା।

ସେହିପରି ନର୍ଲାରେ ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂହ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିଲେ। ପରେ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯାଇଥିଲା। ନର୍ଲା ବ୍ଲକ୍‌ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ପଧାନ, ସରପଞ୍ଚ ଚିରଞ୍ଜୀବୀ ଗୌଡ଼ିଆ, ବ୍ଲକ୍‌ ବିଜେଡି ସଭାପତି ପରେଶ ପ୍ରଧାନ, ସାଧାରଣ ସଂପାଦକ ଭୋପାଲ ନାଗ, ଯୁବନେତା ହମେଶ ଜୈନ, ବ୍ଲକ୍‌ ଯୁବ ବିଜେଡି ସଭାପତି ହରିଶଙ୍କର ମାଝୀ, ଛାତ୍ର ନେତା ଓମ୍‌ପ୍ରକାଶ ପୂଜାରୀ, ଯୁବ ନେତା କୌତୁକ ଖମାରୀ, ଦଲଜିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର