ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି : ବୈଜୟନ୍ତ, ହୋର୍ଡ଼ିଂ, ଜାଲ ପ୍ରମାଣ ପତ୍ର ନେଇ ବିଜେଡିର ପ୍ରଶ୍ନ

ଭୁବନେଶ୍ବର : ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ଆଚରଣ ବିଧି ଉଲଂଘନ ନେଇ ଅଭିଯୋଗ ସେତିକି ବଢ଼ିବଢ଼ି ଚାଲିଛି। ଶନିବାର ବିଜେପି ବିରୋଧରେ ଆଚରଣ ବିଧି ଉଲଂଘନ ନେଇ ପୁଣି ଥରେ ବିଜେଡି ଅଭିଯୋଗ କରିଛି। େକନ୍ଦ୍ରାପଡ଼ାରେ ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡା ନିର୍ବାଚନ କମିସନଙ୍କ ଅନୁମତି ନନେଇ ଭିଡିଓ ଭ୍ୟାନ ବୁଲାଇ ରାଜନୈତିକ ପ୍ରଚାର କରୁଥିବା ନେଇ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି। ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଏବେ ବି କେନ୍ଦ୍ର ସରକାରଙ୍କ ଉଜ୍ଜ୍ବଳା ଗ୍ୟାସ ଯୋଜନାର ଛଦ୍ମ ପ୍ରଚାର ସମ୍ବଳିତ ହୋର୍ଡ଼ିଂ ହଟାନଯିବା ନେଇ ମଧ୍ୟ ଦଳ ଆପତ୍ତି ଉଠାଇଛି। ଏହାସହିତ ଜାଲ ପ୍ରମାଣ ପତ୍ର ଆଧାରରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ବିରୋଧରେ ଆଣିଥିବା ଅସତ୍ୟ ଅଭିଯୋଗର ତଦନ୍ତ କାହିଁକି ମନ୍ଥର ପାଲଟି ଯାଇଛି ତାକୁ ନେଇ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ ଦଳ କରିଛି।

ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟି ବିଜୁ ଜନତା ଦଳର ପ୍ରତିନଧି ୩ଟି ପ୍ରସଙ୍ଗରେ ବିଜେପି ବିରୋଧରେ ପୃଥକ ଭାବେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଭାରତୀୟ ଜନତା ପାର୍ଟି ନେତା ଓ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରାଳୟ ଆଦର୍ଶ ଆଚରଣ ବିଧି ଉଲଂଘନ କରୁଥିବା ନେଇ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କେନ୍ଦ୍ରାପଡ଼ାରେ ବିଜେପି ନେତା ବୈଜୟନ୍ତ ପଣ୍ଡା ଖୁଲମ ଖୁଲା ନିର୍ବାଚନ ଆଚରଣ ବିଧି ଉଲଂଘନ କରିଛନ୍ତି। ଆଚରଣ ବିଧି ଲାଗୁ ହେବା ପରେ ରାଜନୈତିକ ଉଦ୍ଦେଶ୍ୟରେ କୌଣସି ଭିଡିଓ ଭ୍ୟାନ କିମ୍ବା ପ୍ରଚାର ଗାଡ଼ି ବୁଲିବାକୁ ଗଲେ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ନେବା ଆବଶ୍ୟକ। କିନ୍ତୁ ବୈଜୟନ୍ତ ପଣ୍ଡାଙ୍କ କ୍ଷେତ୍ରରେ ଏହାର ପାଳନ କରାଯାଇନି। ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ରାଜ୍ୟ ସ୍ତରରେ ମୁଖ୍ୟ ନିର୍ବାଚନ ଅଧୀକାରୀଙ୍କ ଠାରୁ କୌଣସି ଅନୁମତି ନନେଇ ଶ୍ରୀପଣ୍ଡା ଭିଡିଓ ଭ୍ୟାନ୍ ବୁଲେଇବା ପାଇଁ କେନ୍ଦ୍ରାପଡ଼ାରେ ରାଜନୈତିକ ପ୍ରଚାର କରୁଛନ୍ତି। ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି।

ଚଳିତ ମାସ ୧୮ ତାରିଖରେ ଗୁଇନ୍ଦା ବିଭାଗର ଜାଲ ପ୍ରମାଣ ପତ୍ର ଆଧାରରେ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ କରି ଯେପରି ବିଜେଡି ସୁପ୍ରିମୋଙ୍କୁ ବଦନାମ କରିବାକୁ ଉଦ୍ୟମ କରିଥିଲେ ତାର ପର୍ଦ୍ଧାଫାସ ହୋଇସାରିଛି। ଏ ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଅଭିଯୋଗ ଦାୟର କରିସାରିଥିବା ବେଳେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ଦଳ। ଏପରିକି ପୋଲିସ ସମନ କରିବା ପରେ ବି ବିଜେପି ନେତାଏ ଥାନାରେ ହାଜର ହେଉନାହାନ୍ତି। ଅସତ୍ୟର ସାହାରା ନେଇ ବିଜେପି ଯେଭଳି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର କରିଥିଲା ତାହା ଭଣ୍ଡୁର ହୋଇଯାଇଛି। ଏବେ ରାଜ୍ୟବାସୀଙ୍କ ଆଗରେ ଧରାପଡ଼ିଯିବା ପରେ ଆଉ ସାମନା କରିବାକୁ ସାହାସ ପାଉନାହିଁ। ପୂର୍ବରୁ ମାଳ ପକାଇ ପୋଲିସ ଆଗରେ ହାଜର ହେଉଥିବା ବିଜେପି ନେତାଏ ଏବେ ଓକିଲଙ୍କ ସାହାରା ନେଉଛନ୍ତି। ଏଭଳି ଅସତ୍ୟର ସାହାରା ନେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଥିବା ବିଜେପି ନେତା କାହିଁକି କ୍ଷମପ୍ରାର୍ଥନା କରିବାକୁ କୁଣ୍ଠାବୋଧ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ପ୍ରଶ୍ନ କରିଛନ୍ତି।

ନିର୍ବାଚନ ଆଚରଣ ବିଧି ଉଲଂଘନର ଆଉ ଗୋଟିଏ ଉଦାହରଣ ଦେଇ ବିଜେଡି ଦର୍ଶାଇଛି, ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ କଡ଼ରେ ଏବେ ବି କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଲଗାଯାଇଥିବା ହୋର୍ଡ଼ି ହଟାଯାଇନି। ଭୁବନେଶ୍ବରରୁ ମାତ୍ର ୮ କିଲୋମିଟର ଦୂରରେ ଥିବା ଧଉଳି ଛକକେ କେନ୍ଦ୍ର ସରକାରଙ୍କ ଗ୍ୟାସ ବ୍ୟବହାର ଜନିତ ସତର୍କ ସୂଚନା ଲଗାଯାଇଛି। ସେହିପରି ପିପିଲି ଟୋଲ ଗେଟ ପୂର୍ବରୁ ଓ ପରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ଭଳା ଗ୍ୟାସ ଯୋଜନାର ଏପରି ମାଳମାଳ ହୋର୍ଡ଼ିଂ ଭୋଟରଙ୍କୁ ପ୍ରଭାବିତ କରିବା ଭଳି ଲାଗିଛି। ପେଟ୍ରୋଲ କମ୍ପାନୀଙ୍କ ଏପରି ଛଦ୍ମ ପ୍ରଚାର ହୋର୍ଡ଼ିଂକୁ ହଟାଇବା ସହ ସମ୍ପୃକ୍ତ କମ୍ପାନୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଫଟୋ ସମ୍ବଳିତ ଅଭିଯୋଗ ପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜୁ ଜନତା ଦଳ ପ୍ରଦାନ କରିଛି। ଏପରି ଆଚରଣ ବିଧି ଉଲଂଘନ ନେଇ ବିଜେପି ବିରୋଧରେ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ନହୁଏ, ତାହେଲେ ରାଜ୍ୟରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେବା ନେଇ ବିଜେଡି ମୁଖପାତ୍ର ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର