ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ : ଫେରାଦ ହେଲା ବିଜେଡି

ଉଜ୍ଜଳା ଯୋଜନାରେ ନୂଆ ହିତାଧିକାରୀ, ବିଏସ୍‌ଏନ୍‌ଏଲ୍‌ କଲର ଟ୍ୟୁନ ବନ୍ଦ ପାଇଁ ଦାବି

ଭୁବନେଶ୍ବର : ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବି ଉଜ୍ଜ୍ବଳା ଯୋଜନାରେ ନୂଆ ହିତାଧିକାରୀ ସାମିଲ କରାଯାଉଛି। ଏହି ଯୋଜନାରେ ନୂଆ ହିତାଧିକାରୀଙ୍କୁ ଭାରତୀୟ ତୈଳ ନିଗମ ଯୋଗାଇ ଦେଉଥିବା ଗ୍ୟାସ ଷ୍ଟୋଭରେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତାଙ୍କ ଫଟୋ ଲଗାଯାଇଛି। ଯାହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ବିଜେଡି। ସେହିପରି ବିଏସଏନଏଲର ଲ୍ୟାଣ୍ଡ ଲାଇନ ଓ ମୋବାଇଲ କଲର ଟ୍ୟୁନରେ ବିଜେପି ସଂଚାଳିତ କେନ୍ଦ୍ର ସରକାରଙ୍କ ସ୍ଲୋଗାନକୁ ବି ବିଜେଡି ବିରୋଧ କରିଛି।

ସୋମବାର ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଓଡ଼ିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟି ଅଭିଯୋଗ କରିଛି, ଉଜ୍ଜ୍ବଳା ଯୋଜନା ଜରିଆରେ ବିଜେପି ସରକାର ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କେନ୍ଦ୍ର ସରକାରଙ୍କ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ ବା ଆଇଓସିଏଲ ଆଦର୍ଶ ଆଚରଣ ବିଧି ଖୋଲାଖୋଲି ଉଲଂଘନ କରିଛି। ବିଜେଡି ଅଭିଯୋଗ ପତ୍ରରେ ଦର୍ଶାଇଛି, ବିଜେପିର ପ୍ରଭାବରେ ଉଜ୍ଜ୍ବଳା ଯୋଜନାରେ ଅଧିକରୁ ଅଧିକ ଇଣ୍ଡେନ ଗ୍ୟାସ୍ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଆଇଓସିଏଲ ଗ୍ୟାସ ଡିଲରମାନଙ୍କୁ ଚାପ ପକାଇ ବାଧ୍ୟ କରୁଛି। ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବା ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାରେ ଜଣେ ହେଲେ ବି ନୂଆ ହିତାଧିକାରୀ ସାମିଲ ହୋଇ ପାରିବେନି ବୋଲି ନିୟମ ରହିଛି। କିନ୍ତୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହି ଯୋଜନାରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ସେହିପରି ଗ୍ୟାସ ଡିଲରମାନଙ୍କୁ ଚାପ ପକାଇ ନୂଆ ହିତାଧିକାରୀଙ୍କୁ ବଣ୍ଟନ ହେଉଥିବା ଗ୍ୟାସ ଷ୍ଟୋଭରେ ବିଜେପି ନେତାଙ୍କ ଫଟୋ ଲଗାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯାହାକି ଆଦର୍ଶ ଆଚରଣ ବିଧିର ଖୋଲୋଖୋଲି ଉଲଂଘନ। ଏସବୁ ଦୃଷ୍ଟିରୁ ଆଇଓସିଏଲ ଅଧ୍ୟକ୍ଷ ଓ ଓଡ଼ିଶାରେ କମ୍ପାନୀର ମହାପ୍ରବନ୍ଧକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀକୁମାରଙ୍କ ନିକଟରେ ଦାବି କରିଛି।

କେନ୍ଦ୍ର ସରକାର ଆଦର୍ଶ ଆଚରଣ ବିଧି ଉଲଂଘନ କରୁଥିବା ନେଇ ଆଉ ଗୋଟିଏ ପୃଥକ ଅଭିଯୋଗ ପତ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି ବିଜେଡି ଦର୍ଶାଇଛି, ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କ ୩ ବର୍ଷ ପୂର୍ତ୍ତି ଉପଲକ୍ଷେ କ୍ଷମତାସୀନ ବିଜେପି ସରକାର ନିଜର ବିକାଶମୂଳକ କାର୍ଯ୍ୟକ୍ରମର ପ୍ରଚାର ପାଇଁ କେନ୍ଦ୍ରୀୟ ଟେଲିଫୋନ୍ ସେବା ପ୍ରଦାନକାରୀ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ ବା ବିଏସଏନଏଲର କଲର ଟ୍ୟୁନରେ ‘ଦେଶ୍ ବଦଲ ରହା ହୈ ’ ଶାର୍ଷକ ସ୍ଲୋଗାନ ଛଡ଼ାଯାଇଥିଲା। ଏବେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିଲେ ବି ସେ କଲର ଟ୍ୟୁନ୍ ଏବେ ବି ବାଜୁଛି। ଏପରି ଦ୍ବାରା ବିଜେପି ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି। ଏହାକୁ କେବଳ ଓଡ଼ିଶାରେ ନୁହଁ ସାରା ଭାରତରେ ତୁରନ୍ତ ବନ୍ଦ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରଯାଇଥିବା ବିଜେଡି ମୁଖପାତ୍ର ଡଃ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର