ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ବର : ଓଟିଭି ବିରୋଧରେ ଆଜି ପୁଣି ଥରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ବିଜେପିର ମିଡିଆ ଅସ୍ତ୍ର ସାଜିଥିବା ଓିଟିଭି ଦେଶର ନିର୍ବାଚନ କମିସନ୍‌ଙ୍କ ଆଦେଶନାମା ଓ ନିର୍ବାଚନ ଆଦର୍ଶ ଆଚରଣବିଧିର ଉଲ୍ଲଂଘନ କରି କାର୍ଯ୍ୟକ୍ରମ ପ୍ରସାରଣ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ଦୁଇ ଥର ବିଜେଡି ପ୍ରତିନିଧି ଦଳ ସିଇଓଙ୍କୁ ପୃଥକ ଭାବେ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଦଳ ପକ୍ଷରୁ କୁହାଯାଇଛି, ଭୋଟ୍‌ ପୂର୍ବରୁ ପ୍ରଚାର ବିରତି ସମୟରେ ତାରକା ପ୍ରଚାରକ ଓ ଅନ୍ୟ ରାଜନୈତିକ ନେତାମାନେ ସାମ୍ବାଦିକ ସମ୍ମିଳନୀ କିମ୍ବା ଗଣମାଧ୍ୟମରେ ବାଇଟ୍‌ ଦେବା ପାଇଁ ନିର୍ବାଚନ କମିସନ୍‌ ବାରଣ କରିଛନ୍ତି। ଗତ ଥର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ପ୍ରଚାର ବିରତି ସମୟରେ ଓଟିଭି ଏହାର ଖିଲାପ କରି ବିଜେପି ନେତାଙ୍କ ସାମ୍ବାଦିକ ସମ୍ମିଳନୀ ଓ ବାଇଟ୍‌ ପ୍ରସାରଣ କରିଥିଲା। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଚାର ବିରତି ଥିଲା ବେଳେ ଗତକାଲି ରାତିରେ ଓଟିଭି ଲାଇଭ୍ ପ୍ୟାନେଲ୍‌ ଡିସ୍କସନ୍‌ରେ ବିଜେପି ଓ କଂଗ୍ରେସ ନେତାଙ୍କ ସହ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଆଜି ଓଟିଭିରେ ବିଜେପି ମୁଖପାତ୍ରଙ୍କ ଏକ ବାଇଟ୍‌କୁ ସ୍କ୍ରଲିଂ ନିଉଜ୍ କରି ପ୍ରସାରଣ କରାଯାଇଛି। ତେଣୁ ଓଟିଭି ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ସିଇଓଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ଲେଲିନ୍ ମହାନ୍ତି, ସୁଲତା ଦେଓ ଓ ସସ୍ମିତ ପାତ୍ର ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର